ବଲାଙ୍ଗୀର ଜିଲାର ଲୋୟର ସୁକ୍ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ ବ୍ୟବସ୍ଥା ନ ହେବା ଯାଏ ଲୋକେ ଗଁା ଛାଡିବେ ନାହିଁ ବୋଲି କହି ମଙ୍ଗଳବାରଠାରୁ ଗଁା ଦାଣ୍ଡରେ ଧାରଣା ଦେଇଥିଲେ। ବୁଧବାର ଗଁା ରାସ୍ତାରେ ଧାରଣା ଦେଇଥିବା ମହିଳାମାନଙ୍କୁ ପୋଲିସ ଉଠାଇନେଇ ଏକ ଭ୍ୟାନ୍ ଭିତରେ ପୂରାଇ ଲୋକଙ୍କ ଘର ଭାଙ୍ଗିଛି। ଲୋୟର ସୁକ୍ତେଲ ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନିକ ଟିମ୍ ଜେସିବିି ମେଶିନ ଜରିଆରେ ଏହି ଗଁାର ୩ଟି ପରିବାରର ଘର ଭାଙ୍ଗିଛନ୍ତି। ଘର ଭଙ୍ଗା ହେବା ପୂର୍ବରୁ ସମ୍ପୃକ୍ତ ପରିବାର ସଦସ୍ୟ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଆସନ୍ତା ସେପ୍ଟେମ୍ବର ୨୬ରେ ଲୋୟର ସୁକ୍ତେଲ ଡ୍ୟାମ୍କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବା ସ୍ଥିର ହୋଇଛି। ଏହି କାରଣରୁ ପ୍ରଶାସନ ବିସ୍ଥାପନ ପ୍ରକ୍ରିୟା ଶୀଘ୍ର ସାରିବାକୁ ଜୋର ଦେଇଛି।
ବଲାଙ୍ଗୀର,୬ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ପ୍ରଶାସନିକ ଟିମ୍ ମଙ୍ଗଳବାର ପହଞ୍ଚତ୍ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ। ଆନ୍ଦୋଳନରତ ଗଁା ଲୋକଙ୍କ ପ୍ରବଳ ବିରୋଧ ଯୋଗୁ ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ପୋଲିସ ବାହିନୀ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଥିଲେ। ଫଳରେ ମଙ୍ଗଳବାର ତବଲବାଞ୍ଜି ଗଁାରେ ଘରଭଙ୍ଗା କାମ ହୋଇପାରି ନ ଥିଲା। ବୁଧବାର ଜିଲା ପ୍ରଶାସନ ଏହି ଗଁାରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଅଣ୍ଟା ଭିଡ଼ିଥିଲା। ସକାଳୁ ପୋଲିସ ଫୋର୍ସ, ପ୍ରକଳ୍ପ କର୍ତ୍ତୃପକ୍ଷ ଏବଂ ଉଚ୍ଛେଦ ଟିମ୍ ତବଲବାଞ୍ଜି ଗଁାରେ ପହଞ୍ଚତ୍ୟାଇଥିଲେ। ଗଁା ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ଦ୍ୱିତୀୟ ଦିନରେ ପୁଣି ଗଁା ଦାଣ୍ଡରେ ଧାରଣା ଦେଇଥିଲେ। ଥଇଥାନ ଏବଂ ସମ୍ପୂର୍ଣ୍ଣ କ୍ଷତିପୂରଣ ନ ଦେବା ପୂର୍ବରୁ ଗଁା ଲୋକଙ୍କ ଘର ନ ଭାଙ୍ଗିବାକୁ ଲୋକେ ଦାବି କରିଥିଲେ। ଘର ନ ଭାଙ୍ଗିବାକୁ ଲୋକେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲା। ପୋଲିସ ଧାରଣାସ୍ଥଳରୁ ମହିଳାମାନଙ୍କୁ ଜବରଦସ୍ତ ଉଠାଇନେଇ ଭ୍ୟାନ୍ରେ ପୂରାଇ ଦେଇଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନକୁ ଲୋକେ ବିରୋଧ କରିଥିଲେ ମଧ୍ୟ ଜେସିବି ମେଶିନ ଗଁାକୁ ପଶି ସୁମନ୍ତ ଭୁଏ, ଟିକେଶ୍ୱର ରାଉତ ଏବଂ ବୃନ୍ଦାବନ ପଧାନଙ୍କ ଘରକୁ ଭାଙ୍ଗିଦେଇଛି।
ଗଁାର ମହେନ୍ଦ୍ର ବଗର୍ତ୍ତୀ କହିଛନ୍ତି, ତବଲବାଞ୍ଜି ଗଁା ଲୋୟର ସୁକ୍ତେଲ ପ୍ରକଳ୍ପର ଆଂଶିକ ଜଳମଗ୍ନ ଗଁା ଦର୍ଶାଯାଇଛି। କିନ୍ତୁ ଗଁାର ଅଳ୍ପ କିଛି ଘରକୁ ଛାଡ଼ିଦେଲେ ପ୍ରାୟ ଅଧିକାଂଶ ଘର ପ୍ରକଳ୍ପ ପାଣିରେ ବୁଡ଼ିଯିବ। ମାତ୍ର ଗଁାର ଅଧିକାଂଶ ଲୋକଙ୍କ ଚାଷଜମି ଜଳମଗ୍ନ ହେଉନାହିଁ। ଏଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା କୁସମେଲ କଲୋନିରେ ଗଁା ଲୋକଙ୍କ ପୁନର୍ବାସ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ କହୁଛି। ଲୋକେ ସେଠାକୁ ଗଲେ ଚାଷ କରିବାକୁ କିଭଳି ଆସିବେ। ଲୋକେ ଚାହୁଁଛନ୍ତି ଗଁା ନିକଟ ଜମିରେ କିମ୍ବା ରାଣୀପାଲି ବୁଲାଣି ନିକଟ ପମ୍ପହାଉସ୍ ସମ୍ମୁଖ ଜମିରେ ପୁନର୍ବାସ କଲୋନି ତିଆରି କଲେ ସେମାନେ ଗଁା ଛାଡ଼ିଦେବେ। ପ୍ରଶାସନ ଲୋକଙ୍କ ଦାବି ପୂରଣ ନ କରି ଜବରଦସ୍ତି ମହିଳାମାନଙ୍କୁ ଭ୍ୟାନ୍ ଭିତରକୁ ଉଠାଇନେଇ ଘର ଭାଙ୍ଗିବା ଆରମ୍ଭ କରିଛି। ଏହା ଠିକ୍ ହୋଇନାହିଁ ବୋଲି ସେ କହିଛନ୍ତି। ଗଁାର ବୃନ୍ଦାବନ ସାହୁ ମଧ୍ୟ ଜୋରଜବରଦସ୍ତି ବିସ୍ଥାପନକୁ ନାପସନ୍ଦ କରିଛନ୍ତି। ଲୋକଙ୍କୁ ଉଚିତ କ୍ଷତିପୂରଣ ଦେଇ ଥଇଥାନକରି ବିସ୍ଥାପନ କରିବାକୁ ସେ କହିଛନ୍ତି। ଘରଭଙ୍ଗା ଆରମ୍ଭ ହେବା ପରେ ଗଁାର ମହିଳାମାନଙ୍କୁ ଭ୍ୟାନ୍ ଭିତରୁ ଛଡ଼ାଯାଇଥିବା ଜଣାପଡିଛି।
ଅନ୍ୟପକ୍ଷରେ ପ୍ରକଳ୍ପ ଅଧୀକ୍ଷଣ ଯନ୍ତ୍ରୀ ଅଜୟ ବେହେରାଙ୍କୁ ପଚରାଯିବାରେ ପ୍ରଶାସନ ତବଲବାଞ୍ଜି ଗଁା ଲୋକଙ୍କ ପୁନର୍ବାସ ପାଇଁ ବ୍ୟବସ୍ଥା କରିଛି। ଯେଉଁମାନେ ନିଜସ୍ବ ଉଦ୍ୟମରେ ଘର ତିଆରି କରିଛନ୍ତି, ସେମାନେ ସେଠାକୁ ଚାଲିଗଲେଣି। ଅନ୍ୟ ଯେଉଁମାନେ ସେଠାରେ ରହିଛନ୍ତି ସେମାନେ ମଧ୍ୟ ଗଁା ଉପର ମୁଣ୍ଡରେ ଘର କରି ରହୁଛନ୍ତି। ଲୋକଙ୍କୁ ବୁଝାଇ ଘରଭଙ୍ଗା କାମ ଆରମ୍ଭ କରାଯାଇଛି ବୋଲି ସେ କହିଛନ୍ତି।