ବିନା ଡାକ୍ତରରେ ଡାକ୍ତରଖାନା

ହାଟଡିହୀ,୧୬।୭(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସରକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନାନା ଜନହିତକର ଯୋଜନା କରୁଥିବା ବେଳେ ଏଥିରୁ ଫାଇଦା ମିଳୁ ନ ଥିବା ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ହାଟଡିହୀ ଏରିଆ ହସ୍ପିଟାଲର ଅବସ୍ଥା ଦେଖିଲେ ବୁଝା ପଡ଼ିଯିବ। ଆନନ୍ଦପୁର-ଭଦ୍ରକ ୫୩ନଂ. ରାଜ୍ୟ ରାଜପଥ କଡ଼ରେ ଏହି ହସ୍ପିଟାଲ ଅବସ୍ଥିତ। ଏଠାରେ ପ୍ରାୟ ୧୦ ବର୍ଷ ହେବ ସ୍ଥାୟୀ ଡାକ୍ତର ନିଯୁକ୍ତି ହୋଇପାରିନାହିଁ। ଦୀର୍ଘ ମାସ ପୂର୍ବରୁ ଡିଏମ୍‌ଏଫ୍‌ ଫଣ୍ଡରୁ ଆସ୍ଥାୟୀ ଭାବେ ଡାକ୍ତର ନିଯୁକ୍ତି କରାଯାଇଥିଲା। କିନ୍ତୁ ଦେଢ଼ ବର୍ଷ ହେବ ଡାକ୍ତର ପଦବୀ ଫାଙ୍କା ପଡ଼ିଛି। ବିନା ଡାକ୍ତରରେ ଡାକ୍ତରଖାନା ଚାଲିଥିବା ବେଳେ ଅନ୍ୟ କର୍ମଚାରୀ ରୋଗୀସେବା କରୁଛନ୍ତି। ଏଠାକୁ ଆସୁଥିବା ରୋଗୀ ଚିକିତ୍ସା ସେବା ନ ପାଇ ଫେରି ଯାଉଥିବା ବେଳେ ନାନା ଦୁର୍ଦ୍ଦଶା ଭୋଗୁୁଛନ୍ତି। ଅଧିକାଂଶ ସମୟରେ ରୋଗୀ ଖର୍ଚ୍ଚାନ୍ତ ହୋଇ ଅନ୍ୟତ୍ର ଚିକିତ୍ସା ପାଇଁ ଯାଉଛନ୍ତି। ତେବେ ରୋଗୀଙ୍କୁ ଉପଯୁକ୍ତ ଏବଂ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ସରକାରଙ୍କ ଏତେ ଯୋଜନା ଥାଇ ଲାଭ କ’ଣ ବୋଲି ପ୍ରଶ୍ନ ଉଠିଛି। ଟୁକୁଣା, ମୁଗୁପୁରରେ ବି ସମାନ ଅବସ୍ଥା। ଏଠାରେ ଦୀର୍ଘ ମାସ ହେବ ସ୍ଥାୟୀ ଭାବେ କୌଣସି ଡାକ୍ତର ରହୁ ନାହାନ୍ତି। ହାଟଡିହୀ ହସ୍ପିଟାଲ ଉପରେ ବହୁ ଲୋକ ନିର୍ଭର କରିଥାନ୍ତି l କିନ୍ତୁ ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ କିଛି କର୍ମଚାରୀ ଛୁଟିରେ ଥିବା ବେଳେ ଜଣେ ଫାର୍ମାସିଷ୍ଟ, ସିକ୍ୟୁରିଟି ଗାର୍ଡ, ସୁଇପର ଡାକ୍ତରଖାନା ଚଳାଉଛନ୍ତି। ଦିନ ୮ରୁ ୧୨ ଏବଂ ୪ରୁ ୬ଟା ପରେ କାହାରି ଦେଖା ମିଳୁ ନାହିଁ।ି ଏପରି ନାନା ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛ। ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡା. ପ୍ରଭାତ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ଡାକ୍ତର ନିଯୁକ୍ତି ନ ଥିବାରୁ ରୋଗୀ ସେବାରେ ବ୍ୟତିକ୍ରମ ସୃଷ୍ଟି ହେଉଛି। ଯେଉଁଠି ଡାକ୍ତର ନାହାନ୍ତି ସେଠାରେ ଫାର୍ମାସିଷ୍ଟ ରୋଗୀ ସେବା କରିବେ ବୋଲି ସେ କହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହାଟଡିହୀ ବ୍ଲକର ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୦ ଡାକ୍ତର ପଦବୀ ମଧ୍ୟରୁ ଏବେ ମାତ୍ର ୨ଜଣ ଅଛନ୍ତି।