ଦୁଇ ସପ୍ତାହରେ ଓଡ଼ିଶାରେ ତିଆରି ହେଲା ଅତ୍ୟାଧୁନିକ ହସ୍ପିଟାଲ

ଚିତ୍ରକୋଣ୍ଡା,୩୦ା୧୧(ଡି.ଏନ.ଏ.): ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବଦଳି ଯାଇଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ମାନଚିତ୍ର। ଦ୍ରୁତ ଗତିରେ ଏଠାରେ ହେଉଛି ବିକାଶମୂଳକ କାର୍ଯ୍ୟ l ସ୍ବାଭିମାନ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବଡପଡା ପଞ୍ଚାୟତରେ ନିର୍ମାଣ ହୋଇଛି ଅତ୍ୟାଧୁନିକ ଡାକ୍ତରଖାନା। ତାହା ପୁଣି ମାତ୍ର ୨ ସପ୍ତାହ ମଧ୍ୟରେ ନିର୍ମିତ ହୋଇଛି। ଏହା ଆଶ୍ୱର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ଆମେରିକାନ ଇଣ୍ଡିଆ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇ ଆଇଆଇଟି ଦ୍ୱାରା ମାଷ୍ଟର କାର୍ଡ ସଂସ୍ଥା ଏଥିପାଇଁ ଦେଇଛି ଆର୍ଥିକ ସହାୟତା। ଏକ ପୋର୍ଟେବଲ ହେଲଥ କେୟାର ୟୁନିଟ ରୂପେ ପରିଚିତ ଏହି ଡାକ୍ତରଖାନା ନିର୍ମାଣରେ ବ୍ୟୟ ହୋଇଛି ୨କୋଟି ଟଙ୍କା। ସମସ୍ତ ଅତ୍ୟାଧୁନିକ ସୁବିଧା ସହ ଏଠାରେ ରହିଛି ୫୦ ଶଯ୍ୟାବିଶିଷ୍ଟ ବେଡ୍‌, ୪ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟରଯୁକ୍ତ ଆଇସିୟୁ ଏବଂ ପ୍ରତି ୱାର୍ଡରେ ୧୪ ଶଯ୍ୟାବିଶିଷ୍ଟ ବେଡ୍‌ ସହ ଶୀତତାପ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା। ଅସ୍କିଜେନ କନସିଟେଟର ବ୍ୟବସ୍ଥା ସହ, ମାଇନର୍ସ ଟେମ୍ପ୍ରେଚର ମେଣ୍ଟେନର ବ୍ୟବସ୍ଥା କରାଯାଇଛି l ଡାକ୍ତର ଓ ସିଷ୍ଟର ରହିବା ପାଇଁ ମଧ୍ୟ ରହିଛି ଅଲଗା ଅଲଗା ରୁମ। ରୋଗୀ ଓ କର୍ମଚାରୀଙ୍କ ପାଇଁ ଟଏଲେଟ ବ୍ୟବସ୍ଥା। କେବଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ଘାଟନ ଅପେକ୍ଷାରେ ରହିଛି ଉକ୍ତ ଡାକ୍ତରଖାନା l ବଡପଡାଠାରେ ପାହାଡ଼କୁ କାଟି କରାଯାଇଥିବା ଏହି ଡାକ୍ତରଖାନାକୁ ଆମେରିକାନ ଇଣ୍ଡିଆ ଫାଉଣ୍ଡେଶନ ସମସ୍ତ ଭିତ୍ତିଭୂମି ଯୋଗାଇ ଦେଇଛି। ଫଳରେ ମାତ୍ର ୨ ସପ୍ତାହ ମଧ୍ୟରେ ଏହାର ନିର୍ମାଣ ସମ୍ଭବ ହୋଇପାରିଛି। ଡାକ୍ତରଖାନାର ପରିଚାଳନା ପାଇଁ ସମସ୍ତ ପାରାମେଡିକାଲ ଷ୍ଟାଫ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଯୋଗାଇ ଦେବେ l ଡାକ୍ତରଖାନା କାର୍ଯ୍ୟକ୍ଷମ ହେଲେ ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟସେବା ନେଇ ରହିଥିବା ସମସ୍ୟା ଦୂର ହେବ। ରୋଗୀଙ୍କୁ ଆଉ ମାଲକାନଗିରି ଜିଲା ସଦର ମହକୁମ୍ମାକୁ ଦୌଡିବାକୁ ପଡିବ ନାହିଁ ବୋଲି କୁହାଯାଉଛି।