ଥୁଆମୂଳ ରାମପୁର,୨୯।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା-କଲେଜ ଛକ ମଧ୍ୟବର୍ତ୍ତୀ ଡୁମେର ଗଛ ବୁଲାଣି ନିକଟରେ ଶନିବାର ସନ୍ଧ୍ୟା ପ୍ରାୟ ୬:୧୦ ସମୟରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ କାଣୀଗୁମା ପଞ୍ଚାୟତ ଟେଭା ମହୁଲ ଗ୍ରାମର ଜଳନ୍ଧର ଗୌଡ଼ (୨୯) ଏବଂ ବିରିକୋଟ ଗ୍ରାମର ଶ୍ରୀରାମ ଗୌଡ଼ (୪୦)।
ସୂଚନା ଅନୁସାରେ, ଜଳନ୍ଧର ନିଜ ଭଉଣୀ ଘର ବିରିକୋଟକୁ ଆସି ଗାଁକୁ ଫେରୁଥିବା ବେଳେ ଶ୍ରୀରାମ ମଧ୍ୟ ସମୁଦି ଘରକୁ ଯିବା ପାଇଁ ତାଙ୍କ ସହ ବାହାରିଥିଲେ। ଦୁହେଁ ଏକ ଆପାଚି ଆରଟିଆର ବାଇକ୍ (OD 08 W 7213) ଯୋଗେ ବିରିକୋଟରୁ କାଣୀଗୁମା ଅଭିମୁଖେ ଯାଉଥିବା ସମୟରେ ଡୁମେର ଗଛ ବୁଲାଣି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲା। ଦ୍ରୁତ ଗତି ଓ ମଦ୍ୟପାନ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ଦୁର୍ଘଟଣାରେ ଶ୍ରୀରାମଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ବେଳେ ଜଳନ୍ଧରଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସହ ବାମ କାନଟି ଚିଣ୍ଡି ଝୁଲି ରହିଛି। ଡାକ୍ତର ପି.କେ. ପଣ୍ଡା ପ୍ରାଥମିକ ଚିକିତ୍ସା କରିବା ପରେ ଜଳନ୍ଧରଙ୍କ ସଙ୍କଟାପନ୍ନ ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି।