ଭୟାବହ ଅଗ୍ନିକାଣ୍ଡ: ଜଳିଲା ରାଇସ୍‌ ମିଲ୍‌, ଧୂପ କାରଖାନା

ବନ୍ତ,୧୦।୫(କିଶୋର କୁମାର ସେଠୀ/ ହରି ନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ତହସିଲ ଅନ୍ତର୍ଗତ  ନିଳୋକ କୁମ୍ଭାରିଆ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି। ସର୍ଟ ସର୍କିଟ ଯୋଗୁ ସ୍ଥାନୀୟ ଅଞ୍ଚଳର ଜଣାଶୁଣା ବ୍ୟକ୍ତି ପ୍ରେମାନନ୍ଦ ନାୟକ, ପ୍ରେମଲତା ପ୍ରଧାନ ଓ ନିର୍ମଳା ନାୟକଙ୍କ ମାଲିକାନାରେ ଥିବା ରାଇସମିଲ, ଚୂଡାମିଲ୍‌ ଏବଂ ଧୂପ କାରଖାନା ଭସ୍ମୀଭୂତ ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ମା’ ତାରିଣୀ ରାଇସ ଓ ଚୂଡାମିଲ, ଏଏସ୍‌ପି ଏଣ୍ଟରପ୍ରାଇଜର୍ସ ଏବଂ ପିକେ ଏଣ୍ଟରପ୍ରାଇଜର୍ସରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି। ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଦେଖୁ ଦେଖୁ ଏହା କାରଖାନାର ବିଭିନ୍ନ ଅଂଶକୁ ବ୍ୟାପି ଯାଇଥିଲା। ନିଆଁ ଲାଗିବା ସମୟରେ ମିଲରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ପ୍ରଥମେ ନିଆଁ ଲିଭାଇବାକୁ ପ୍ରଚେଷ୍ଟା କରିଥିଲେ। ସଙ୍ଗେ ସଙ୍ଗେ ମିଲ ମାଲିକ ଓ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା। ଖବର ପାଇ ରବିବାର ସକାଳୁ ଆଗରପଡ଼ା ଓ ଭଣ୍ଡାରିପୋଖରୀରୁ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଘଣ୍ଟା ଘଣ୍ଟା ଧରି ଅଗ୍ନିଶମ ବାହିନୀ ପକ୍ଷରୁ ଅକ୍ଳାନ୍ତ ପରିଶ୍ରମ କରାଯାଉଥିଲେ ସୁଦ୍ଧା, ଶେଷ ଖବର ସୁଦ୍ଧା ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇନାହିଁ। ନିଆଁ ଲିଭା କାର୍ଯ୍ୟ ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି l
Dharitri – Odisha’s No.1 Odia Daily

Share