ଖୋର୍ଦ୍ଧା,୧୩ା୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ବାଇପାସ୍ର ପିତାପଲ୍ଲୀ ଛକ ନିକଟରେ ଶୁକ୍ରବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆମ ବସ୍ ଧକ୍କାରେ ଅଟୋରେ ଯାଉଥିବା ୮ ଜଣ ଛାତ୍ରୀଛାତ୍ର ଗୁରୁତର ହୋଇଥିବା ବେଳେ ଅଟୋ ଓ ବସ୍ ଚାଳକ ମଧ୍ୟ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରୁ ଦୁଇଜଣ ଛାତ୍ରୀଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପ୍ରତିଦିନ ପରି ଗଙ୍ଗପଡ଼ା ଓ ପିତାପଲ୍ଲୀ ଅଞ୍ଚଳର ଛାତ୍ରୀଛାତ୍ରଙ୍କୁ ନେଇ ଏକ ଅଟୋ ଖୋର୍ଦ୍ଧାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ଆସୁଥିଲା। ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ପିତାପଲ୍ଲୀ ଛକ ନିକଟରେ ଅଟୋଟି ଖୋର୍ଦ୍ଧା ବାଇପାସ ଦେଇ ଯାଉଥିବାବେଳେ ୨୧ ନମ୍ବର ରୁଟ୍ର ଏକ ଆମ ବସ୍ ଏହାକୁ ଖୁବ୍ ଜୋର୍ରେ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ ବସ୍ଟି ଅଟୋକୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ଅଟୋରେ ଥିବା ଛାତ୍ରୀଛାତ୍ର ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ
ଦୁର୍ଘଟଣାରେ କେତେକ ଛାତ୍ରୀଛାତ୍ରଙ୍କ ମୁଣ୍ଡ ଫାଟିଥିବାବେଳେ ଅନ୍ୟମାନଙ୍କ ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।
ଦୁର୍ଘଟଣାରେ ଆହତ ଛାତ୍ରୀଛାତ୍ରଙ୍କ ପରିଚୟ ମିଳିଛି। ସେମାନେ ହେଲେ ସାଇ ଶୁଭମ ସେନାପତି (ଦଶମ ଶ୍ରେଣୀ), ଓମ୍ ପ୍ରସାଦ ସାହୁ (ଷଷ୍ଠ ଶ୍ରେଣୀ), ଆୟୁଷ ସ୍ୱାଇଁ (ପଞ୍ଚମ ଶ୍ରେଣୀ), ସାଇ ଶିବାନୀ ସାହୁ (ପଞ୍ଚମ ଶ୍ରେଣୀ), ସମ୍ପୂର୍ଣ୍ଣା ପାଇକରାୟ (ପଞ୍ଚମ ଶ୍ରେଣୀ), ପଦ୍ମାଳୟା ଜେନା (ପଞ୍ଚମ ଶ୍ରେଣୀ) ଓ ବିଶ୍ୱଜିତ ବରାଳ (ପଞ୍ଚମ ଶ୍ରେଣୀ)। ଏହି ଦୁର୍ଘଟଣାରେ ଅଟୋ ଚାଳକ ଦିଲୀପ ନାହାକ (୫୦) ଓ ଆମ ବସ୍ ଚାଳକ ସଦାନନ୍ଦ ବେହେରା ମଧ୍ୟ ଆହତ ହୋଇଛନ୍ତି।
ଆହତଙ୍କ ମଧ୍ୟରୁ ପଦ୍ମାଳୟା ଜେନା ଓ ଓମ୍ ପ୍ରସାଦ ସାହୁଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ଅନ୍ୟ ଆହତଙ୍କୁ ମଧ୍ୟ ପରବର୍ତ୍ତୀ ସମୟରେ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଖବର ମିଳିଛି।
ଖବର ପାଇ ଇଇନ୍ଫୋଭ୍ୟାଲି ଓ ଜଟଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଛାତ୍ରୀଛାତ୍ର ଓ ଅଟୋ ଚାଳକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଓ ଅନ୍ୟ ଗାଡ଼ି ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଆମ ବସ୍ ଚାଳକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ନେଇଥିଲା।
ତେବେ ଆମ ବସ୍ ଚାଳକ ମଦ୍ୟପାନ କରି ଗାଡ଼ି ଚଳାଉଥିବା ନେଇ ସ୍ଥାନୀୟ ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ମଦ୍ୟପାନ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସେମାନେ ଅଭିଯୋଗ କରିବା ସହ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ତେବେ ଚାଳକ ମଦ୍ୟପାନ କରିଥିବା ନେଇ ପୋଲିସ ପକ୍ଷରୁ ଆନୁଷ୍ଠାନିକ ସ୍ପଷ୍ଟୀକରଣ ମିଳିନାହିଁ।
ଆମ ବସ୍ ଦୁର୍ଘଟଣାକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଉଠୁଥିବାବେଳେ ଚାଳକଙ୍କ ଦକ୍ଷତା, ଶୃଙ୍ଖଳା ଓ ନିୟମିତ ଯାଞ୍ଚକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଚାଳକଙ୍କ ମଦ୍ୟପାନ ଯାଞ୍ଚ, ଡ୍ୟୁଟି ପୂର୍ବରୁ ଆଲକୋହଲ ପରୀକ୍ଷା ଏବଂ ଦୁର୍ଘଟଣା ଘଟାଉଥିବା ଚାଳକଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ କ୍ରୁଟ କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ସାଧାରଣରେ ପ୍ରଶ୍ନ ଉଠିଛି।
ଏନେଇ ଇନ୍ଫୋଭ୍ୟାଲି ଥାନା ଆଇଆଇସି ଚନ୍ଦ୍ରଶେଖର ସେଠୀ କହିଛନ୍ତି ଯେ, ଆହତ ପରିବାର ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ସମ୍ପୃକ୍ତ ଆମ ବସ୍ ଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଗିରଫ ପ୍ରକ୍ରିୟା ଗ୍ରହଣ କରାଯିବ।