ଦୁବାଇ/ଓ୍ବାଶିଂଟନ୍/ଇସ୍ଲାମାବାଦ,୨୦ା୪(ଏ.ପି./ରଏଟର୍ସ): ଆମେରିକା-ଇରାନ୍ ଅସ୍ତ୍ରବିରତି ଅବଧି ଶେଷ ହେବାକୁ ବସିଲାଣି। ତେଣୁ ଇସ୍ଲାମାବାଦରେ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ପାଇଁ ପାକିସ୍ତାନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆଲୋଚନା କେବେ ହେବ ସେନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନ ଥିଲେ ମଧ୍ୟ ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ଶେଷ ପାଇଁ ଚୂଡ଼ାନ୍ତ ଚୁକ୍ତି ଲାଗି ପାକିସ୍ତାନର କୂଟନୈତିକ ପ୍ରୟାସ ଜାରି ରହିଛି। ଏପ୍ରିଲ ୧୫ରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ସାଉଦି ଆରବ ପରେ କାତାର ଓ ତୁର୍କୀ ଗସ୍ତ କରିଥିବାବେଳେ ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍ (ସିଡିଏଫ୍) ଫିଲ୍ଡ ମାର୍ଶାଲ ଆସିମ ମୁନିର ଇରାନ୍ରେ ୩ ଦିନ ଅବସ୍ଥାନ କରିଥିଲେ। ଆମେରିକା-ଇରାନ୍ ଯୁଦ୍ଧର ସ୍ଥାୟୀ ସମାଧାନ ଥିଲା ଉଭୟ ଶରିଫ୍ ଓ ମୁନିରଙ୍କ ଗସ୍ତର ଉଦ୍ଦେଶ୍ୟ। ଉଭୟେ ଫେରିବା ପରେ ପାକିସ୍ତାନ ମଧ୍ୟସ୍ଥତାରେ ପୁଣି ହେବାକୁ ଥିବା ଶାନ୍ତି ଆଲୋଚନା ଉପରେ ବିଶ୍ୱ ସମୁଦାୟର ଧ୍ୟାନ କେନ୍ଦ୍ରୀଭୂତ ହୋଇଛି।
ଇସ୍ଲାମାବାଦରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିଦେଶୀ ପ୍ରତିନିଧିଙ୍କ ଆଗମନକୁ ଦୃଷ୍ଟିରେ ରଖି ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇସ୍ଲାମାବାଦରେ ସମ୍ଭାବ୍ୟ ଆଲୋଚନା ପୂର୍ବରୁ ରାଜଧାନୀ ସଂଲଗ୍ନ ସାମରିକ ସହର ରାଓ୍ବଲପିଣ୍ଡିରେ ସୁରକ୍ଷା ପାଇଁ ୬୦୦ ଚେକ୍ପଏଣ୍ଟ ପ୍ରତିଷ୍ଠା କରାଯାଇଥିବାବେଳେ ୧୦,୦୦୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଥିବା ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ରେ ରିପୋର୍ଟ ପ୍ରକାଶ ପାଇଛି। ନୁର୍ ଖାନ୍ ଏୟାରବେସ୍ ଓ ଇସ୍ଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦର ଆଖପାଖ ସମ୍ବେଦନଶୀଳ ଅଞ୍ଚଳକୁ ରବିବାର ମଧ୍ୟରାତ୍ରିରୁ ବନ୍ଦ ଘୋଷଣା କରାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍ ସହ ଚୁକ୍ତିରେ ସ୍ବାକ୍ଷର କରିବା ପାଇଁ ପାକିସ୍ତାନ ଯାଇପାରନ୍ତି ବୋଲି ପୂର୍ବରୁ କହିଥିବାରୁ ରାଓ୍ବଲପିଣ୍ଡି ସାମରିକ ଅଧିକାରୀମାନେ ନିରାପତ୍ତା କ୍ଷେତ୍ରରେ କୌଣସି ତ୍ରୁଟିବିଚ୍ୟୁତି ଘଟିବାକୁ ଦେବେ ନାହିଁ। ଏପରି କି ରାଓ୍ବଲପିଣ୍ଡି ଆକାଶରେ ଡ୍ରୋନ୍ ଉଡ଼ାଣ ଏବଂ ଏରିଅଲ ଫାୟାରିଂ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। ଭାରି ପରିବହନ ଓ ସାଧାରଣ ପରିବହନକୁ ଅନ୍ୟାଦେଶ ଜାରି ହେବା ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ଇସ୍ଲାମାବାଦ ଜିଲା କମିଶନର Xରେ ସୂଚନା ଦେଇଛନ୍ତି। ରାଓ୍ବଲପିଣ୍ଡିରେ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଇଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଭୟ ସହରର ଉଚ୍ଚଶିକ୍ଷାନୁ୍ଷ୍ଠାନ ଓ ୟୁନିଭର୍ସିଟିଗୁଡ଼ିକୁ ଛୁଟି କରାଯାଇଛି। ଏପରି କି ଆମେରିକା-ଇରାନ୍ ଆଲୋଚନା ପୂର୍ବରୁ ପରୀକ୍ଷାଗୁଡ଼ିକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସୋମବାର ସନ୍ଧ୍ୟାରେ ଇସ୍ଲାମାବାଦରେ ପହଞ୍ଚତ୍ବେ ବୋଲି ଟ୍ରମ୍ପ୍ ସୂଚନା ଦେଇଛନ୍ତି। ରାଓ୍ବଲପିଣ୍ଡି ସିଟି ପୋଲିସ ଅଫିସର ସୟେଦ ଖାଲିଦ୍ ମେହମୁଦ୍ ହମ୍ଦାନି ଫୁଲ୍ପ୍ରୁଫ୍ ସିକ୍ୟୁରିଟି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।