ମେଣ୍ଟ ଆଶା ଆହୁରି ବଢିଲା: ଭାଜପାର ୩ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରହିଲାନି ଓଡ଼ିଶା

ଭୁବନେଶ୍ୱର,୨୨ା୩(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ ନେତୃବୃନ୍ଦ ଗୁରୁବାର ଦିଲ୍ଲୀରୁ ଫେରିଛନ୍ତି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମେଣ୍ଟ ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସବୁ କହିସାରିଛନ୍ତି। ଏଥିରେ କିଛି ଦ୍ୱନ୍ଦ୍ୱ ନାହିଁ। ଯାହା ନିଷ୍ପତ୍ତି ହେବ ଜଣାଇ ଦିଆଯିବ। ଖୁବ୍‌ଶୀଘ୍ର ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସେ କହିଛନ୍ତି।
ଗତ ଶନିବାର ରାଜ୍ୟ ଭାଜପା କାର୍ଯ୍ୟାଳୟଠାରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏଥିରେ ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ଲୋକ ସଭା ଏବଂ ବିଧାନସଭା କ୍ଷେତ୍ରରେ କେଉଁମାନେ ପ୍ରାର୍ଥୀ ହେବେ ସେନେଇ ସବିଶେଷ ଆଲୋଚନା କରାଯାଇଥିଲା। ଏହାପରେ ରାଜ୍ୟ ନିର୍ବାଚନ କମିଟିରେ ଶର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀ ତାଲିକା ଧରି ଗତ ସୋମବାର ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ପ୍ରମୁଖ ଦିଲ୍ଲୀ ଗସ୍ତ କରିଥିଲେ। ମିଳିଥିବା ସୂଚନା ମୁତାବକ, ଏହା ମଧ୍ୟରେ ଓଡ଼ିଶାର ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ ୩ ଥର ବୈଠକ ବସିସାରିଲାଣି। ହେଲେ ଗୁରୁବାର ଦଳ ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ସେଥିରେ ଓଡ଼ିଶା ନାହିଁ। ତେଣୁ ଶୁକ୍ରବାର ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଏହାପରେ ଦଳ ପକ୍ଷରୁ ଯେଉଁ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ସେଥିରେ ଓଡ଼ିଶାରୁ କେତେଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ଥିବା ଦଳର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି।
କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବା ପୂର୍ବରୁ ରାଜ୍ୟ ନେତୃବୃନ୍ଦ ଓଡ଼ିଶା ଫେରି ଆସିବା ନେଇ ଆହୁରି ଦ୍ୱନ୍ଦ୍ୱ ବଢ଼ିଛି। ଅନ୍ୟପଟେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଜାତୀୟ ଗଣମାଧ୍ୟମ ସଂସ୍ଥାରେ ବିଜେଡି-ଭାଜପା ମେଣ୍ଟ ନେଇ ଯେଉଁ ମତ ରଖିଛନ୍ତି ତାକୁ ନେଇ ଏବେ ମଧ୍ୟ ବହୁ ନେତା ଓ କର୍ମୀ ସନ୍ଦେହରେ ଅଛନ୍ତି। ହେଲେ ଏବେ ମଧ୍ୟ ଭାଜପା ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବ ବୋଲି ଦଳର ରାଜ୍ୟ ନେତୃବୃନ୍ଦ ଯୁକ୍ତି ରଖୁଛନ୍ତି। ବିଜେଡି ମଧ୍ୟ ପର୍ଯ୍ୟାୟକ୍ରମେ ଯେପରି ପୁରୀ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର, ଭୁବନେଶ୍ୱର ଏବଂ ଆସିକା ଆଦି ଲୋକ ସଭା କ୍ଷେତ୍ରକୁ ନେଇ ସମୀକ୍ଷା ଆରମ୍ଭ କରିଛି, ତାକୁ ଦେଖିବା ପରେ ମଧ୍ୟ ଅନେକଙ୍କ ମତ ବୋଧହୁଏ ରାଜ୍ୟରେ ଆଉ ମେଣ୍ଟ ହୋଇ ନ ପାରେ। ହେଲେ କେତେଜଣ ରାଜନୈତିକ ସମୀକ୍ଷକମାନଙ୍କ କହିବା କଥା, ରାଜନୀତିରେ କିଛି ଅସମ୍ଭବ ନୁହେଁ। ଓଡ଼ିଶାରେ ନିର୍ବାଚନ ପାଇଁ ଆହୁରି ଅନେକ ସମୟ ରହିଥିବାରୁ ଶେଷ ସମୟରେ ମଧ୍ୟ ମେଣ୍ଟ ନେଇ କିଛି ବି ଘୋଷଣା ହୋଇପାରେ। ତେବେ ଏନେଇ ଭାଜପାର ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବିଜେଡି ଯେଉଁସବୁ ଲୋକ ସଭା ଆସନର ନେତାମାନଙ୍କୁ ଡାକି ସମୀକ୍ଷା କରୁଛି ସେଠାରେ ଉକ୍ତ ଆସନର ପ୍ରାର୍ଥୀମାନଙ୍କୁ ଗ୍ରୀନ୍‌ ସିଗ୍‌ନାଲ ଦେଇ ଛାଡୁଥିବା ସୂଚନା ମିଳିଛି।