ନ୍ୟାୟ ଆଶା କ୍ଷୀଣ

ଉତ୍ତରାଖଣ୍ଡ ଋଷିକେଶର ଏକ ରିସର୍ଟରେ କାମ କରୁଥିବା ରିସେପ୍‌ସନିଷ୍ଟ ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଏକ ବ୍ୟାରେଜ ନିକଟରୁ ମିଳିବା ପରେ ପାଉରି ଗରଓ୍ବାଲ ଅଞ୍ଚଳରେ ଲୋକେ ଭୟଙ୍କର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସମ୍ପୃକ୍ତ ଭାଜପାର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଭାଜପା ବାପ ଓ ପୁଅଙ୍କୁ ଦଳରୁ ବହିଷ୍କାର କରିଛି। ଉଲ୍ଲେଖ କରାଯାଇପାରେ ଯେ, ଉକ୍ତ ଭନନ୍ତରା ରିସର୍ଟର ମାଲିକ ହେଉଛନ୍ତି ପୁଲକିତ ଆର୍ଯ୍ୟ। ସେଠାରେ ଅତିଥିମାନଙ୍କ ପାଇଁ ଗଣିକାବୃତ୍ତି କରିବାକୁ ଅଙ୍କିତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଏବେ ଜଣାପଡ଼ିଛି। ଅଙ୍କିତା ତାଙ୍କ ସାଙ୍ଗଙ୍କ ନିକଟକୁ କରିଥିବା ହ୍ବାଟ୍ସଆପ୍‌ ବାର୍ତ୍ତାରୁ ଏହି ବିଷୟ ଜଣାପଡ଼ିବା ପରେ ଏଥିରେ ପୁଲକିତ ଆର୍ଯ୍ୟ ଓ ରିସର୍ଟର ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେଉଛି।
ଅଙ୍କିତା ଅନୈତିକ କାର୍ଯ୍ୟ କରିବାକୁ ଅମଙ୍ଗ ହେବାରୁ ତାଙ୍କୁ ପାଣିକୁ ଠେଲି ହତ୍ୟା କରାଯାଇଥିବାର ଅନେକ ପ୍ରମାଣ ମିଳିଛି। ତେବେ ବର୍ତ୍ତମାନ ଯେଉଁ ବିଷୟଟି ବିଷମ ସ୍ଥିତି ସୃଷ୍ଟି କରିଛି, ତାହ ହେଉଛି ପୋଲିସ ଓ ପ୍ରଶାସନର ଭୂମିକା। ଉତ୍ତ୍ୟକ୍ତ ଲୋକଙ୍କ ପ୍ରତିବାଦ ଦେଖି ପାଉରି ପ୍ରଶାସନ ରିସର୍ଟର କିଛି ଅଂଶ ଭାଙ୍ଗି ଦେଇଥିଲେ। କୁହାଯାଉଛି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ତତ୍‌କ୍ଷଣାତ୍‌ ପଦକ୍ଷେପ ନିଆଯାଇଥିଲା। ହେଲେ ଏବେ ଜଣାପଡ଼ିଛି ଯେ, ରିସର୍ଟର ଯେଉଁ ଅଂଶ ଭଙ୍ଗାଯାଇଛି ସେହି କୋଠରିରେ ଅଙ୍କିତା ରହୁଥିଲେ। ତେଣୁ ଶତ ପ୍ରତିଶତ ସନ୍ଦେହ ଉପୁଜିଛି ଯେ ଫୋରେନ୍‌ସିକ୍‌ ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି ଯେ, ଭଙ୍ଗା ଯାଇଥିବା ଅଂଶ ବେଆଇନ ଥିଲା। ଏଠାରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, କେବଳ ଅଙ୍କିତା ରହୁଥିବା କୋଠରି କ’ଣ ବେଆଇନ ଥିଲା। ଯଦି ତାହା ଥିଲା ତେବେ ପୂର୍ବରୁ କାହିଁକି ଏଭଳି ନିଷ୍ପତ୍ତି ନିଆଯାଇ ନ ଥିଲା। ଓଡ଼ିଆରେ ଢଗ ଅଛି-ବିଲେଇ ଆଖିବୁଜି କ୍ଷୀର ପିଏ। ଅର୍ଥାତ୍‌ ପ୍ରଶାସନର ଜାଣତରେ ସେହି ରିସର୍ଟରେ ସବୁକିଛି ବେଆଇନ କାର୍ଯ୍ୟ ହେଉଥିବା ଯେ କେହି ଅନୁମାନ କରିପାରୁଥିବେ। ଇତିମଧ୍ୟରେ ଅଙ୍କିତାଙ୍କ ପିତା ତାଙ୍କ ଝିଅର ମୃତଦେହ ପୋଷ୍ଟମର୍ଟମ୍‌ର ଅନ୍ତିମ ରିପୋର୍ଟ ନ ମିଳିବା ଯାଏ ଅନ୍ତ୍ୟେଷ୍ଟି କରିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏମ୍ସ ଋଷିକେଶ ପକ୍ଷରୁ ଏହି ପୋଷ୍ଟମର୍ଟମ କାର୍ଯ୍ୟ ତଦାରଖ କରାଯାଉଛି।
ଭାରତବର୍ଷରେ ବିଭିନ୍ନ ଅପରାଧ ଓ ବେଆଇନ କାର୍ଯ୍ୟରେ ପୋଲିସ ଓ ପ୍ରଶାସନର ସମ୍ପୃକ୍ତି ରହୁଥିବା ଦେଖାଯାଉଛି। କୁହାଯାଇଥାଏ ପୋଲିସର ବିନା ସହଯୋଗରେ ସାଧାରଣ ଅପରାଧଟିଏ ମଧ୍ୟ ଘଟିପାରିବ ନାହିଁ। ଏହାର ଅନେକ ଉଦାହରଣ ଦେଶବ୍ୟାପୀ ଘଟୁଥିବା ଅପରାଧରୁ ଜଣାପଡ଼ୁଛି। ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରିରେ ଭାଜପାର କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା କୃଷକଙ୍କ ଉପରେ ଗାଡ଼ି ମଡ଼ାଇ ୪ ଜଣଙ୍କୁ ହତ୍ୟା କରିବା ବିଷୟ ସମସ୍ତେ ଜାଣନ୍ତି। ଏହି ଘଟଣାର ଭିଡିଓ ପ୍ରମାଣ ଥିବା ସତ୍ତ୍ୱେ ଆଶିଷଙ୍କୁ ଗିରଫ କରିବାକୁ ବହୁଦିନ ଲାଗି ଯାଇଥିଲା। ନା ଯେ କେବଳ ପୋଲିସ ଓ ପ୍ରଶାସନରେ ଭାବମୂର୍ତ୍ତିକୁ ଏହା କ୍ଷୁଣ୍ଣ କରେ, ତାହା ଅପରାଧୀଙ୍କୁ ବେଆଇନ କାର୍ଯ୍ୟ କରିବାର ଦମ୍ଭ ଦେଇଥାଏ। ମାତାପିତା ରାଜନୀତିରେ କୌଣସି ବଡ଼ ପଦପଦବୀରେ ଥିଲେ, ପିଲାଙ୍କୁ ଲାଗେ ଯେ ସେମାନେ ଯାହା କିଛି ଚାହିଁବେ କରିପାରିବେ। ଏହି ଅବସ୍ଥା କେବଳ ଉତ୍ତରପ୍ରଦେଶ ବା ଉତ୍ତରାଖଣ୍ଡରେ ସୀମିତ ନୁହେଁ। ଦେଶର ଚାରିଆଡ଼େ ଏଭଳି ଉଦାହରଣ ଖୋଜିଲେ ଅନେକ ମିଳିବ। ଉତ୍ତରାଖଣ୍ଡ ମାମଲାର ତଦନ୍ତ ଫାଷ୍ଟଟ୍ରାକ୍‌ କୋର୍ଟରେ ହେବା ଦରକାର ବୋଲି ଅଙ୍କିତାଙ୍କ ପିତା ଏବେ ଦାବି କରିଛନ୍ତି। ସ୍ଥିତିକୁ ପ୍ରଶମନ କରିବା ଲାଗି ଉତ୍ତରାଖଣ୍ଡ ସରକାର ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି। କିନ୍ତୁ ବାସ୍ତବରେ ଏହି ତଦନ୍ତର ଗତି କେଉଁଆଡ଼େ ଯିବ ଭଲ ଭାବେ ବୁଝି ହେଉଛି। ଅତୀତରେ ଏହିଭଳି ଅନେକ ଘଟଣାକୁ ପ୍ରଶାସନ ଚପେଇ ଦେବାରେ ସକ୍ଷମ ହୋଇଛି। କେବଳ ଲୋକଙ୍କ କ୍ରୋଧକୁ ଟାଳିବା ଲାଗି ସରକାର ଏହିପରି ଉପରଠାଉରିଆ ପଦକ୍ଷେପ ନେଇଥାଆନ୍ତି। ପୁଣି କିଛି ଦିନ ଗଡ଼ିଯିବା ପରେ ଜନସାଧାରଣ ତାହାକୁ ଭୁଲି ଯାଇଥାଆନ୍ତି। ଏ ଦେଶରେ ରାଜନେତା-ପ୍ରଶାସନ ଯଦି କୌଣସି ଘଟଣାକୁ ସମାଧି ଦେବାକୁ ଚାହିଁବେ, ସାଧାରଣ ଲୋକ ଅସହାୟ ହୋଇ ରହିବେ। ଅନ୍ୟପକ୍ଷରେ ବର୍ତ୍ତମାନର ସୂଚନା ଯୁଗରେ ସବୁ ଖବର ତତ୍‌କ୍ଷଣାତ୍‌ ଲୋକଙ୍କ ପାଖରେ ପହଞ୍ଚତ୍ପାରୁଛି। ଉତ୍ତରାଖଣ୍ଡ ଘଟଣାରେ ଘୋର ପ୍ରତିବାଦ ହେଉଥିବାରୁ କିଛି ସମୟ ଏହି ବିଷୟ ଲୋକଲୋଚନରେ ରହିବ। କିନ୍ତୁ ଥରେ ଗଣମାଧ୍ୟମର ଦୃଷ୍ଟି ଆଢୁଆଳକୁ ଏହା ଚାଲିଗଲେ ତଦନ୍ତ ପ୍ରକ୍ରିୟା ମନ୍ଥର ହେବା ଥୟ। ବହୁଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ଘଟଣାରେ ଗୁଜରାଟ ସରକାର ଯେଉଁଭଳି ଭାବେ ସବୁ ଦୋଷୀଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଲେ, ତାହା ନ୍ୟାୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଥିଲା। ଏଭଳି ବହୁ ଆଲୋଚିତ ଘଟଣାସବୁର ପ୍ରକ୍ରିୟାକୁ ବାଟବଣା କରିଦିଆଯାଉଥିବା ବେଳେ ସାଧାରଣ ଘଟଣାରେ ଲୋକଙ୍କୁ ନ୍ୟାୟ ମିଳିବା ଆଶା କ୍ଷୀଣ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri