ନ୍ୟାୟ ଆଶା କ୍ଷୀଣ

ଉତ୍ତରାଖଣ୍ଡ ଋଷିକେଶର ଏକ ରିସର୍ଟରେ କାମ କରୁଥିବା ରିସେପ୍‌ସନିଷ୍ଟ ୧୯ ବର୍ଷୀୟା ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ଏକ ବ୍ୟାରେଜ ନିକଟରୁ ମିଳିବା ପରେ ପାଉରି ଗରଓ୍ବାଲ ଅଞ୍ଚଳରେ ଲୋକେ ଭୟଙ୍କର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ସମ୍ପୃକ୍ତ ଭାଜପାର ପୂର୍ବତନ ମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ସମେତ ୩ ଜଣଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଭାଜପା ବାପ ଓ ପୁଅଙ୍କୁ ଦଳରୁ ବହିଷ୍କାର କରିଛି। ଉଲ୍ଲେଖ କରାଯାଇପାରେ ଯେ, ଉକ୍ତ ଭନନ୍ତରା ରିସର୍ଟର ମାଲିକ ହେଉଛନ୍ତି ପୁଲକିତ ଆର୍ଯ୍ୟ। ସେଠାରେ ଅତିଥିମାନଙ୍କ ପାଇଁ ଗଣିକାବୃତ୍ତି କରିବାକୁ ଅଙ୍କିତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଏବେ ଜଣାପଡ଼ିଛି। ଅଙ୍କିତା ତାଙ୍କ ସାଙ୍ଗଙ୍କ ନିକଟକୁ କରିଥିବା ହ୍ବାଟ୍ସଆପ୍‌ ବାର୍ତ୍ତାରୁ ଏହି ବିଷୟ ଜଣାପଡ଼ିବା ପରେ ଏଥିରେ ପୁଲକିତ ଆର୍ଯ୍ୟ ଓ ରିସର୍ଟର ମ୍ୟାନେଜରଙ୍କ ସମ୍ପୃକ୍ତି ଥିବା ସ୍ପଷ୍ଟ ହେଉଛି।
ଅଙ୍କିତା ଅନୈତିକ କାର୍ଯ୍ୟ କରିବାକୁ ଅମଙ୍ଗ ହେବାରୁ ତାଙ୍କୁ ପାଣିକୁ ଠେଲି ହତ୍ୟା କରାଯାଇଥିବାର ଅନେକ ପ୍ରମାଣ ମିଳିଛି। ତେବେ ବର୍ତ୍ତମାନ ଯେଉଁ ବିଷୟଟି ବିଷମ ସ୍ଥିତି ସୃଷ୍ଟି କରିଛି, ତାହ ହେଉଛି ପୋଲିସ ଓ ପ୍ରଶାସନର ଭୂମିକା। ଉତ୍ତ୍ୟକ୍ତ ଲୋକଙ୍କ ପ୍ରତିବାଦ ଦେଖି ପାଉରି ପ୍ରଶାସନ ରିସର୍ଟର କିଛି ଅଂଶ ଭାଙ୍ଗି ଦେଇଥିଲେ। କୁହାଯାଉଛି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ତତ୍‌କ୍ଷଣାତ୍‌ ପଦକ୍ଷେପ ନିଆଯାଇଥିଲା। ହେଲେ ଏବେ ଜଣାପଡ଼ିଛି ଯେ, ରିସର୍ଟର ଯେଉଁ ଅଂଶ ଭଙ୍ଗାଯାଇଛି ସେହି କୋଠରିରେ ଅଙ୍କିତା ରହୁଥିଲେ। ତେଣୁ ଶତ ପ୍ରତିଶତ ସନ୍ଦେହ ଉପୁଜିଛି ଯେ ଫୋରେନ୍‌ସିକ୍‌ ପ୍ରମାଣ ନଷ୍ଟ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି ଯେ, ଭଙ୍ଗା ଯାଇଥିବା ଅଂଶ ବେଆଇନ ଥିଲା। ଏଠାରେ ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, କେବଳ ଅଙ୍କିତା ରହୁଥିବା କୋଠରି କ’ଣ ବେଆଇନ ଥିଲା। ଯଦି ତାହା ଥିଲା ତେବେ ପୂର୍ବରୁ କାହିଁକି ଏଭଳି ନିଷ୍ପତ୍ତି ନିଆଯାଇ ନ ଥିଲା। ଓଡ଼ିଆରେ ଢଗ ଅଛି-ବିଲେଇ ଆଖିବୁଜି କ୍ଷୀର ପିଏ। ଅର୍ଥାତ୍‌ ପ୍ରଶାସନର ଜାଣତରେ ସେହି ରିସର୍ଟରେ ସବୁକିଛି ବେଆଇନ କାର୍ଯ୍ୟ ହେଉଥିବା ଯେ କେହି ଅନୁମାନ କରିପାରୁଥିବେ। ଇତିମଧ୍ୟରେ ଅଙ୍କିତାଙ୍କ ପିତା ତାଙ୍କ ଝିଅର ମୃତଦେହ ପୋଷ୍ଟମର୍ଟମ୍‌ର ଅନ୍ତିମ ରିପୋର୍ଟ ନ ମିଳିବା ଯାଏ ଅନ୍ତ୍ୟେଷ୍ଟି କରିବେ ନାହିଁ ବୋଲି ଅଡ଼ି ବସିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏମ୍ସ ଋଷିକେଶ ପକ୍ଷରୁ ଏହି ପୋଷ୍ଟମର୍ଟମ କାର୍ଯ୍ୟ ତଦାରଖ କରାଯାଉଛି।
ଭାରତବର୍ଷରେ ବିଭିନ୍ନ ଅପରାଧ ଓ ବେଆଇନ କାର୍ଯ୍ୟରେ ପୋଲିସ ଓ ପ୍ରଶାସନର ସମ୍ପୃକ୍ତି ରହୁଥିବା ଦେଖାଯାଉଛି। କୁହାଯାଇଥାଏ ପୋଲିସର ବିନା ସହଯୋଗରେ ସାଧାରଣ ଅପରାଧଟିଏ ମଧ୍ୟ ଘଟିପାରିବ ନାହିଁ। ଏହାର ଅନେକ ଉଦାହରଣ ଦେଶବ୍ୟାପୀ ଘଟୁଥିବା ଅପରାଧରୁ ଜଣାପଡ଼ୁଛି। ଉତ୍ତରପ୍ରଦେଶର ଲଖିମ୍‌ପୁର ଖେରିରେ ଭାଜପାର କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରା କୃଷକଙ୍କ ଉପରେ ଗାଡ଼ି ମଡ଼ାଇ ୪ ଜଣଙ୍କୁ ହତ୍ୟା କରିବା ବିଷୟ ସମସ୍ତେ ଜାଣନ୍ତି। ଏହି ଘଟଣାର ଭିଡିଓ ପ୍ରମାଣ ଥିବା ସତ୍ତ୍ୱେ ଆଶିଷଙ୍କୁ ଗିରଫ କରିବାକୁ ବହୁଦିନ ଲାଗି ଯାଇଥିଲା। ନା ଯେ କେବଳ ପୋଲିସ ଓ ପ୍ରଶାସନରେ ଭାବମୂର୍ତ୍ତିକୁ ଏହା କ୍ଷୁଣ୍ଣ କରେ, ତାହା ଅପରାଧୀଙ୍କୁ ବେଆଇନ କାର୍ଯ୍ୟ କରିବାର ଦମ୍ଭ ଦେଇଥାଏ। ମାତାପିତା ରାଜନୀତିରେ କୌଣସି ବଡ଼ ପଦପଦବୀରେ ଥିଲେ, ପିଲାଙ୍କୁ ଲାଗେ ଯେ ସେମାନେ ଯାହା କିଛି ଚାହିଁବେ କରିପାରିବେ। ଏହି ଅବସ୍ଥା କେବଳ ଉତ୍ତରପ୍ରଦେଶ ବା ଉତ୍ତରାଖଣ୍ଡରେ ସୀମିତ ନୁହେଁ। ଦେଶର ଚାରିଆଡ଼େ ଏଭଳି ଉଦାହରଣ ଖୋଜିଲେ ଅନେକ ମିଳିବ। ଉତ୍ତରାଖଣ୍ଡ ମାମଲାର ତଦନ୍ତ ଫାଷ୍ଟଟ୍ରାକ୍‌ କୋର୍ଟରେ ହେବା ଦରକାର ବୋଲି ଅଙ୍କିତାଙ୍କ ପିତା ଏବେ ଦାବି କରିଛନ୍ତି। ସ୍ଥିତିକୁ ପ୍ରଶମନ କରିବା ଲାଗି ଉତ୍ତରାଖଣ୍ଡ ସରକାର ସ୍ବତନ୍ତ୍ର ତଦନ୍ତ ଟିମ୍‌ (ଏସ୍‌ଆଇଟି) ଗଠନ କରିଛନ୍ତି। କିନ୍ତୁ ବାସ୍ତବରେ ଏହି ତଦନ୍ତର ଗତି କେଉଁଆଡ଼େ ଯିବ ଭଲ ଭାବେ ବୁଝି ହେଉଛି। ଅତୀତରେ ଏହିଭଳି ଅନେକ ଘଟଣାକୁ ପ୍ରଶାସନ ଚପେଇ ଦେବାରେ ସକ୍ଷମ ହୋଇଛି। କେବଳ ଲୋକଙ୍କ କ୍ରୋଧକୁ ଟାଳିବା ଲାଗି ସରକାର ଏହିପରି ଉପରଠାଉରିଆ ପଦକ୍ଷେପ ନେଇଥାଆନ୍ତି। ପୁଣି କିଛି ଦିନ ଗଡ଼ିଯିବା ପରେ ଜନସାଧାରଣ ତାହାକୁ ଭୁଲି ଯାଇଥାଆନ୍ତି। ଏ ଦେଶରେ ରାଜନେତା-ପ୍ରଶାସନ ଯଦି କୌଣସି ଘଟଣାକୁ ସମାଧି ଦେବାକୁ ଚାହିଁବେ, ସାଧାରଣ ଲୋକ ଅସହାୟ ହୋଇ ରହିବେ। ଅନ୍ୟପକ୍ଷରେ ବର୍ତ୍ତମାନର ସୂଚନା ଯୁଗରେ ସବୁ ଖବର ତତ୍‌କ୍ଷଣାତ୍‌ ଲୋକଙ୍କ ପାଖରେ ପହଞ୍ଚତ୍ପାରୁଛି। ଉତ୍ତରାଖଣ୍ଡ ଘଟଣାରେ ଘୋର ପ୍ରତିବାଦ ହେଉଥିବାରୁ କିଛି ସମୟ ଏହି ବିଷୟ ଲୋକଲୋଚନରେ ରହିବ। କିନ୍ତୁ ଥରେ ଗଣମାଧ୍ୟମର ଦୃଷ୍ଟି ଆଢୁଆଳକୁ ଏହା ଚାଲିଗଲେ ତଦନ୍ତ ପ୍ରକ୍ରିୟା ମନ୍ଥର ହେବା ଥୟ। ବହୁଚର୍ଚ୍ଚିତ ବିଲ୍‌କିସ୍‌ ବାନୋ ଘଟଣାରେ ଗୁଜରାଟ ସରକାର ଯେଉଁଭଳି ଭାବେ ସବୁ ଦୋଷୀଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରିଦେଲେ, ତାହା ନ୍ୟାୟ ବ୍ୟବସ୍ଥାର ଦୁର୍ବଳତାକୁ ପଦାରେ ପକାଇଥିଲା। ଏଭଳି ବହୁ ଆଲୋଚିତ ଘଟଣାସବୁର ପ୍ରକ୍ରିୟାକୁ ବାଟବଣା କରିଦିଆଯାଉଥିବା ବେଳେ ସାଧାରଣ ଘଟଣାରେ ଲୋକଙ୍କୁ ନ୍ୟାୟ ମିଳିବା ଆଶା କ୍ଷୀଣ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri