ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ ଏବେ ଦୁଇଟି ସଙ୍କଟରେ ପଡ଼ିଯାଇଛି। ଗୋଟିଏ ହେଉଛି ଗଣତନ୍ତ୍ର ବିରୋଧୀ ଶକ୍ତିର ଉତ୍ଥାନ ଏବଂ ଅନ୍ୟଟି ଜଳବାୟୁ ପରିବର୍ତ୍ତନ। ଦକ୍ଷିଣପନ୍ଥୀ ରାଜନୈତିକ ଦୃଷ୍ଟିକୋଣ ଦ୍ୱାରା ବୃଦ୍ଧି ପାଉଥିବା ଏକଚ୍ଛତ୍ରବାଦ ବିଚାରଧାରା ସାରା ବିଶ୍ୱରେ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି। ଗଣତାନ୍ତ୍ରିକ ଦେଶ ଆମେରିକାରେ ମଧ୍ୟ ଏଭଳି ବିପଦ ଦେଖାଯାଇଛି, ଯେଉଁଠି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସୀମାହୀନ ଭାବେ କ୍ଷମତାର ଦୁରୁପଯୋଗ କରୁଛନ୍ତି, ଏପରି କି ଟ୍ରମ୍ପଙ୍କ ମିତ୍ର ଉଦାରବାଦୀ ୟୁରୋପୀୟ ଦେଶଗୁଡ଼ିକ ଲଗାତର ଭାବେ ଆଇନର ଶାସନକୁ ଦୁର୍ବଳ କରିଦେବା ପାଇଁ ଚେଷ୍ଟା କରୁଛନ୍ତି। ଏଇ ନିକଟରେ, ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏକ ଜାତୀୟ ଜନମତ ସଂଗ୍ରହ ମାଧ୍ୟମରେ ନ୍ୟାୟିକ ସ୍ବାଧୀନତାକୁ ସଙ୍କୁଚିତ କରିବା ଲାଗି ଚେଷ୍ଟା କରିଥିଲେ। ଭାଗ୍ୟବଶତଃ, ଇଟାଲୀୟମାନେ ସେମାନଙ୍କ ସମ୍ବିଧାନର ସୁରକ୍ଷା ପାଇଁ ଏକାଠି ହେବା ଘଟଣା ସାମ୍ନାକୁ ଆସିଥିଲା।
ଗଣତନ୍ତ୍ର ସଙ୍କଟ ଜଳବାୟୁ ସଙ୍କଟକୁ ବୃଦ୍ଧି କରୁଛି। ପ୍ୟାରିସ ଜଳବାୟୁ ଚୁକ୍ତିରୁ ଟ୍ରମ୍ପ୍ ଆମେରିକାକୁ ଦୂରେଇ ନେଇଛନ୍ତି ଏବଂ ଅସଂଖ୍ୟ ପରିବେଶଗତ ସୁରକ୍ଷା ପଦକ୍ଷେପଗୁଡ଼ିକୁ ଦୁର୍ବଳ କିମ୍ବା ଧ୍ୱଂସ କରିଦେଇଛନ୍ତି। ଏହି କ୍ଷେତ୍ରରେ ସରକାରଗୁଡ଼ିକ ଅଧିକରୁ ଅଧିକ ନିବେଶକଙ୍କୁ ପ୍ରୋତ୍ସାହିତ କଲେ ମଧ୍ୟ ବହୁ ସମୟରେ ସେମାନଙ୍କୁ ପରିବର୍ତ୍ତନ କରି ଦେଉଛନ୍ତି। ଏଥିପାଇଁ ଅକ୍ଷୟ ଶକ୍ତି ପାଇଁ ପାଣ୍ଠି ପର୍ଯ୍ୟାପ୍ତ ହେଉନାହିଁ। ଅନ୍ୟପକ୍ଷରେ ଏଆଇ କ୍ଷେତ୍ରରେ ବୃହତ୍ ଟେକ୍ କମ୍ପାନୀଗୁଡ଼ିକର ନିବେଶ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏଇ କେତେ ମାସ ମଧ୍ୟରେ ଟ୍ରମ୍ପ୍ଙ୍କ ରାଜନୈତିକ ହିଂସା ଓ ବିବେକହୀନ କାର୍ଯ୍ୟ ସାମ୍ନାକୁ ଆସିଛି। ମିନିଏପୋଲିର ହତ୍ୟା ଏବଂ ଗାଜା ପୁନର୍ଗଠନର ଯୋଜନାଠାରୁ ଆରମ୍ଭ କରି ଭେନେଜୁଏଲା ଉପରେ ସାମ୍ରାଜ୍ୟବାଦୀ ଆକ୍ରମଣ ଓ ଏବେ ଇରାନ ବିରୋଧରେ ଯୁଦ୍ଧକୁ ଦେଖିଲେ ଜଣାଯାଏ ଯେ ଏହିସବୁ ଘଟଣା ଆମ ଯୁଗର ବିନାଶକାରୀ ମନୋଭାବକୁ ପ୍ରକାଶ କରୁଛିି। ରାଜନୀତି ସମ୍ପୂର୍ଣ୍ଣ ଭାବେ ସମାନ୍ତରାଳ ଶକ୍ତି ଦ୍ୱାରା ନିର୍ଦ୍ଧାରିତ ହେଉଥିବାବେଳେ ଏକ ସୁସ୍ଥ ଗଣତନ୍ତ୍ର ଏବଂ ପରିବେଶଗତ ସ୍ଥାୟିତ୍ୱ ନିରର୍ଥକ ହୋଇଯାଇଥିବା ଜଣାପଡ଼ୁଛି। ନୀତିଗତ ପଦକ୍ଷେପ ପାଇଁ ସୁଯୋଗ ଶେଷ ହୋଇଯାଇଥିବା ମନେହେଉଛି।
ପୂର୍ବରୁ ଆମେ ଏହି ସ୍ଥିତି ଦେଇ ଗତି କରିଆସିଛୁ। ଆଲବର୍ଟ କାମୁସଙ୍କ ଯୁକ୍ତି ଥିଲା ଯେ, ଆମେ ଏକ ନିରର୍ଥକ ବିଶ୍ୱରେ ବିଦ୍ରୋହ ମାଧ୍ୟମରେ ଏକ ଆଶାର କିରଣ ସୃଷ୍ଟି କରିପାରିବା। ଏକ ନୂଆ ଏପରି କି ଗଣହତ୍ୟା ଘଟଣାଗୁଡ଼ିକ ପରିପ୍ରେକ୍ଷୀରେ ମାନବ କ୍ଷେତ୍ରରେ ଅନେକ ଆଶା ଥିବା ଜାଣିବାକୁ ପାଇଥିଲେ ହାନ୍ନା ଆରେଣ୍ଡଟ୍ । ମାର୍ଟିନ ଲୁଥର୍ କିଙ୍ଗ ଜୁନିୟର ଦର୍ଶାଇଥିଲେ ଯେ, ଯନ୍ତ୍ରଣା ନୈତିକ ପ୍ରଗତି ଏବଂ ସାମୂହିକ ପରିବର୍ତ୍ତନ ପାଇଁ ବାଟ ଦେଖାଏ। ନିକଟରେ ଦେହାନ୍ତ ଘଟିଥିବା ମୋ ସାଥୀ ଦାର୍ଶନିକ ଜୋନାଥନ ଲିୟର ସ୍ପଷ୍ଟ କରିଥିଲେ ଯେ, ଏକ ସୁନ୍ଦର ଭବିଷ୍ୟତ ପାଇଁ କ୍ଷତି ଏକ ନୈତିକ ଆଶାର ଉତ୍ସ ହୋଇପାରେ। ଏବକାର ଘଟଣାଗୁଡ଼ିକ ଏଭଳି ଚିନ୍ତାଶୀଳ ବ୍ୟକ୍ତିଙ୍କ ଯୁକ୍ତିଗୁଡ଼ିକୁ ସିଦ୍ଧ କରୁଥିବା ମନେହୁଏ। ସିଭିଲ ସୋସାଇଟି ବା ଭଦ୍ର ସମାଜ ଯେତେ ଅବିକଶିତ ହୋଇଥାଉନା କାହିଁକି ତାହାର ପୁନର୍ଜାଗରଣ କଥା ବିଚାର କରାଯାଉ। ଏହା ହେଉଛି ଗଣତନ୍ତ୍ରର ହୃତ୍ସ୍ପନ୍ଦନ ଏବଂ ଏହା ଏକଚ୍ଛତ୍ରବାଦ ବିରୋଧରେ ଏକ ଅମୂଲ୍ୟ କବଚ। ଆମେରିକାରେ ହୋଇଥିବା ‘ନୋ କିଙ୍ଗସ୍’ ଆନ୍ଦୋଳନରେ ଆମେ ଏହା ଦେଖିଲୁ, ଯେଉଁଥିରେ ଅନେକ ଲକ୍ଷ ଲୋକ ଭାଗ ନେଇଥିଲେ। ଇଟାଲିର ସାମ୍ବିଧାନିକ ଜନମତ ସଂଗ୍ରହରେ ଅସାଧାରଣ ଭାବେ ସର୍ବାଧିକ ମତଦାନ ହୋଇଥିଲା। ବିଶେଷକରି ଏଥିରେ ଅତ୍ୟଧିକ ସଂଖ୍ୟକ ଯୁବବର୍ଗ ଭାଗ ନେଇଥିଲେ। ଏବକାର ସ୍ଥିତି କିମ୍ବା ଦକ୍ଷିଣପନ୍ଥୀ ସରକାରଗୁଡ଼ିକର ଏକଚ୍ଛତ୍ରବାଦ ମନୋଭାବ, ଏପରି କି ରାଜନୈତିକ ଉଦାସୀନତା ପ୍ରକାଶ ପାଉଥିବା ଅତି ଜଘନ୍ୟ କାର୍ଯ୍ୟର ଗମ୍ଭୀରତାକୁ ଦେଖିଲେ ଏହି ପ୍ରକାର ଜାଗରଣକୁ ସମ୍ପୂର୍ଣ୍ଣ ଶ୍ରେୟ ଦିଆଯାଇପାରିବ ନାହିଁ। ଜାଗରଣ ଆଣିବାକୁ ହେଲେ ଅଧିକ କିଛି କରିବାକୁ ହେବ, ସମ୍ଭାବନାର ନୂଆ ଭାବନା ଆଣିିବାକୁ ପଡ଼ିବ।
ଟ୍ରମ୍ପଙ୍କ ପୂର୍ବ ଦଶନ୍ଧିଗୁଡ଼ିକରେ ଆମେରିକା ଓ ୟୁରୋପରେ ମାନ୍ଦାବସ୍ଥା ଓ ଶକ୍ତିହୀନତା ଭାବନା ଖେଳିଯାଇଥିଲା। ଅନେକେ ବିଶ୍ୱାସ କରିବା ଆରମ୍ଭ କରିଦେଇଥିଲେ ଯେ, ଯିଏ ବି ଶାସନ କରନ୍ତୁ ନା କାହିଁକି ସେଥିରେ କୌଣସି ଫରକ ପଡ଼ିବନି, କାରଣ ସ୍ଥିତିରେ କିଛି ପରିବର୍ତ୍ତନ ହେବ ନାହିଁ। ଦକ୍ଷିଣପନ୍ଥୀ ଏବଂ ବାମପନ୍ଥୀ ସରକାରଗୁଡ଼ିକ ଉଦାରବାଦ ସିଦ୍ଧାନ୍ତକୁ ପାଳନ କରି ବି ପ୍ରାୟତଃ ସମାନ ପ୍ରକାର କାମ କରିବେ। ତେବେ ସାମ୍ବିଧାନିକଠାରୁ ଆରମ୍ଭ କରି ବିତ୍ତୀୟ ପର୍ଯ୍ୟନ୍ତ ସବୁଥିରେ ବାହ୍ୟ ଓ ଆଭ୍ୟନ୍ତରୀଣ ବାଧା ଦ୍ୱାରା ପରିବର୍ତ୍ତନର କ୍ଷମତା ସୀମିତ ହୋଇଯାଇଥିବା ଜଣାପଡ଼ୁଛି। ଅବଶ୍ୟ ଅତୀତରେ କେତେକ ସମୟରେ ପରିବର୍ତ୍ତନର ଆଶା ଥିଲା। ସେଥିରୁ ଗୋଟିଏ ଥିଲା, ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା। କିନ୍ତୁ ଏହା ନୈରାଶ୍ୟରେ ଶେଷ ହେଲା। ଓବାମାଙ୍କ ଶାସନ କାଳରେ ବୈଶ୍ୱିକ ବିତ୍ତୀୟ ସଙ୍କଟ ପରେ ଓ୍ବାଲଷ୍ଟ୍ରିଟ ବ୍ୟାଙ୍କଗୁଡ଼ିକ ବ୍ୟାପକ ବେଲ୍ଆଉଟ ଗ୍ରହଣ କରିଥିବାବେଳେ ଅନେକ ଲକ୍ଷ ଆମେରିକୀୟ ସେମାନଙ୍କ ଘର ହରାଇଥିଲେ। ଅନେକ ଅପ୍ରବାସୀ ଦେଶାନ୍ତର ହୋଇଥିଲେ, ଯାହା ଅନ୍ୟ ରାଷ୍ଟ୍ରପତିଙ୍କ ତୁଳନାରେ ଅଧିକ ଥିଲା। ଶେଷରେ ୟୁରୋପର ବାମପନ୍ଥୀ ବିଚାରଧାରାର ସରକାରମାନଙ୍କ ଭଳି ଓବାମା ତାଙ୍କ ପୂର୍ବ ରାଷ୍ଟ୍ରପତିଙ୍କ ପରି ଶାସନ କରିଥିଲେ।
ଅନ୍ୟପକ୍ଷରେ ରାଜନୈତିକ କ୍ଷମତା ରଖି କ୍ଷଣକ ମଧ୍ୟରେ ପୃଥିବୀର ଭାଗ୍ୟ ପରିବର୍ତ୍ତନ କରିଦେଇପାରୁଥିବା ବ୍ୟକ୍ତିଙ୍କ ଜ୍ୱଳନ୍ତ ପ୍ରମାଣ ହେଉଛନ୍ତି ଟ୍ରମ୍ପ୍। ଏଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ, ଠିକ୍ ବ୍ୟକ୍ତି ହାତରେ ଶାସନ ରହିବା କଥା, ଅନ୍ତତଃପକ୍ଷେ ଏକଚ୍ଛତ୍ରବାଦୀ କିମ୍ବା ପାଗଳଙ୍କ ହାତରେ ନୁହେଁ। ସ୍ବେଚ୍ଛାଚାରିତା ଯୋଗୁ ଜଣେ ଏକଚ୍ଛତ୍ରବାଦୀ ଜାତୀୟ ଏବଂ ବୈଦେଶିକ ବ୍ୟାପାରକୁ ପରିବର୍ତ୍ତନ କରିଦେଇପାରେ। ଏଭଳି ମନୋଭାବ ଏବେ ନୂଆ ଗଣତାନ୍ତ୍ରିକ କାର୍ଯ୍ୟକଳାପରେ ଅଧିକ ଦେଖାଯାଇଛି।
ସମାନ ପ୍ରକାର ସ୍ଥିତି ଜଳବାୟୁ ପରିବର୍ତ୍ତନ ସଙ୍କଟ ପାଇଁ ସତ୍ୟ। କିଏ ଭାବିଥିଲେ କି ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଏକମାତ୍ର ଆଶା ଏକ ଉଦ୍ଦେଶ୍ୟହୀନ ଯୁଦ୍ଧରୁ ସୃଷ୍ଟି ହୋଇପାରିବ ?
ହଁ, ଠିକ୍ ତାହା ହିଁ ଏବେ ଘଟୁଛି। ଇରାନ ଯୁଦ୍ଧର ପରିଣାମ ଅନିଶ୍ଚିତ ରହିଥିଲେ ମଧ୍ୟ ଏଥିରେ ବଡ଼ ଲାଭ ମଧ୍ୟରେ ରହିଛି ସବୁଜ ଟେକ୍ନୋଲୋଜି ଏବଂ ଅକ୍ଷୟ ଶକ୍ତିକୁ ପରିବର୍ତ୍ତନ ହେବାର ଆଶା। ତେବେ ଟ୍ରମ୍ପଙ୍କ ଯୁଦ୍ଧ ଯୋଗୁ ଜୀବାଶ୍ମ ଇନ୍ଧନ ଉପରେ ଅତ୍ୟଧିକ ନିର୍ଭରଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛନ୍ତିି। ହର୍ମୁଜ ଷ୍ଟ୍ରେଟ ବନ୍ଦ ରହିବା ଯୋଗୁ ଶକ୍ତିମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଜଣେ ସମାଲୋଚକ ଦର୍ଶାଇଛନ୍ତି ଯେ, ଯେଉଁ ଦେଶଗୁଡ଼ିକ ସବୁଜ ନିବେଶ ଏବଂ ଏହାର ଶିଳ୍ପ ପାଇଁ ବଢୁଥିବା ଚାହିଦାକୁ ଲକ୍ଷ୍ୟ କରି ବିଶ୍ୱ ସ୍ତରରେ ପ୍ରୋତ୍ସାହନ ଦେବା ଆରମ୍ଭ କରିବାକୁ ଚାହଁୁଛନ୍ତି ସେମାନଙ୍କୁ ନେଇ ଚାଇନା ଏକ ମେଣ୍ଟ ଗଠନ କରିବା ଦରକାର। ଅନ୍ୟମାନଙ୍କ ଭଳି ୟୁରୋପୀୟ ଦେଶଗୁଡ଼ିକ ଏଥିପ୍ରତି ଆକର୍ଷିତ ହେବା ଆବଶ୍ୟକ। ଏହିପରି ଏକ ସ୍ବଚ୍ଛ ବାୟୁମଣ୍ଡଳ ଏବଂ ଏକ ଅଧିକ ସ୍ଥାୟୀ ପରିବେଶର ଆଶା ଗୋଟିଏ ଉଦ୍ଦେଶ୍ୟହୀନ ଓ ମୂଲ୍ୟହୀନ ଯୁଦ୍ଧରୁ ସୃଷ୍ଟି ହୋଇପାରିବ। ବାସ୍ତବ କଥା ହେଉଛି ଦୁର୍ଦ୍ଦଶାରୁ ମଣିଷ ଶିକ୍ଷା ଲାଭ କରି ତାହାର ପୁନରାବୃତ୍ତି ହେବାକୁ ଦିଏ ନାହିଁ। ଏହା ନୈତିକ ଏବଂ ରାଜନୈତିକ ପ୍ରଗତିର ଆଶାର ଉତ୍ସ ହୋଇଥାଏ, ଯାହା ଉପରେ ଏବେ ଗଣତନ୍ତ୍ରର ପୁନର୍ଜନ୍ମ ଏବଂ ପୃଥିବୀର ମୁକ୍ତି ନିର୍ଭର କରେ।
ଚିଆରା କରଡେଲ୍ଲି
ପ୍ରାଧ୍ୟାପକ, ରାଜନୀତି ବିଜ୍ଞାନ,
ସିକାଗୋ ବିଶ୍ୱବିଦ୍ୟାଳୟ

