ହୁକପକା ପୁରସ୍କାର

ପୁରସ୍କାର ପୁଣି ହୁକପକା। ଏ ଶୀର୍ଷକ କାହାକୁ ଅଡୁଆ ଲାଗୁଥାଇ ପାରେ। ହେଲେ କଥାଟିରେ ମିଛ ନାହିଁ। ପୁରସ୍କାର କେଉଁଠି ଛିନ୍ଦି ବା ଛଡ଼େଇ ନିଆଗଲେ ହୁକପକା ପୁରସ୍କାର କଥା ମନକୁ ଢୁକିଥାଏ। ପୁରସ୍କାର ବିକଳିଆଙ୍କ ପାଇଁ ପୁରସ୍କାରର ମହତ୍ତ୍ୱ ତଥା ଗୁରୁତ୍ୱ ବୋଧହୁଏ ସବୁବେଳେ ରହିଥାଏ ବୋଲି ପୁରସ୍କାର ପଛରେ ରହିଥାନ୍ତି ସେମାନେ। ଖାଲି ରହି ନ ଥାନ୍ତି ପୁରସ୍କାର ପଛରେ ରୀତିମତ ଗୋଡ଼ାଇଥାନ୍ତି। ପୁରସ୍କାର ପାଇବା ପାଇଁ ଚେଷ୍ଟାରେ ରହନ୍ତି। ବିଶେଷ କରି ସାହିତ୍ୟ ପୁରସ୍କାର କ୍ଷେତ୍ରରେ ସାହିତ୍ୟ ସାଧନାରେ ରହିବା ଅପେକ୍ଷା ସାହିତ୍ୟକ୍ଷେତ୍ରର ଫଳ ପୁରସ୍କାର ତୋଳିବା ଲକ୍ଷ୍ୟରେ ରହନ୍ତି। ଏମିତି କ’ଣ କିଛି ଲେଖି କିଛି ଅର୍ଥ ଅଛି ବୋଲି କିଛି ଲେଖାକୁ ନେଇ ସଂକଳିତ କରି ବହି ଛପେଇ ବଡ଼ ଲେଖକର ମୋହର ନିଜଠି ବସାଇବା ପାଇଁ କୌଣସି ବଡ଼ ପୁରସ୍କାର ସନ୍ଧାନରେ ବି ଥାଆନ୍ତି। ପୁରସ୍କାର ହାତେଇ ନଁା କମେଇବା ମାନସିକତା ରଖି ପୁରସ୍କାର ସଂଗ୍ରହ ଅଭିଯାନରେ ବର୍ଷ ତମାମ ଲାଗି ପଡ଼ନ୍ତି। ବଡ଼ ପୁରସ୍କାରର ଡକ୍ୟୁମେଣ୍ଟେଶନ ତିଆରି ପାଇଁ ଏଠୁ ସେଠୁ ସାନ ସାନ ପୁରସ୍କାର ଗୋଟାନ୍ତି। ଆଜିକାଲି କିଛି ଲେଖକ କସରତ କରି ପୁରସ୍କାର ହାତେଇବା ଯୋଜନା ତିଆରି କରିବା ଧାରାରେ ରହିଛନ୍ତି।
କେଉଁଠୁ କେମିତି ପୁରସ୍କାର ମିଳେ ଆଗ ଅନୁସନ୍ଧାନ କରନ୍ତି ପୁରସ୍କାରପ୍ରିୟ। କେଉଁଠୁ ବଦଳ ସୂତ୍ରରେ ପୁରସ୍କାର ମିଳୁଥିଲେ ସେଇ ସୂତ୍ର ଅନୁସରଣ କରନ୍ତି। ଯାହାଠୁ ପୁରସ୍କାର ଆଣନ୍ତି, ତାକୁ ସେମିତି ପୁରସ୍କାର ଦିଅନ୍ତି। ସାଧାରଣ ଜନଜୀବନରେ ଅଦଳବଦଳ ଧାରା କେବେଠୁ ଚାଲିଆସିଛି। ସାହିତ୍ୟରେ ସେମିତି ପୁରସ୍କାର ଅଦଳବଦଳ କରିବାରେ ଅସଙ୍ଗତି ରହିବ କାହିଁକି ? ଦିଆନିଆ ତ ଚାଲିଛି। ସାହିତ୍ୟରେ ସେମିତି ପୁରସ୍କାର ବଦଳ ଆଜିର ଦିନରେ ଚାଲିଲାଣି। କୁହାବୋଲା କରି, ତେଲ ମାରି ପୁରସ୍କାର ହାତେଇଲେଣି ଚାଲାକଚତୁରମାନେ। ପୁରସ୍କାର କିଣାଯାଉଥିବା କଥା ଶୁଣାଗଲାଣି କେବେଠୁ। ପୁରସ୍କାର ଏବେ ଏକ ସାମଗ୍ରୀ ପାଲଟିଲାଣି। ପୁରସ୍କାର ଗୋଟେ ଦ୍ରବ୍ୟ ହୋଇ ନ ଥିଲେ, ତାକୁ କିଏ ବା କାହିଁକି କିଣନ୍ତା ? ପୁରସ୍କାରକୁ ଏକ ଦ୍ରବ୍ୟ ମନେକରାଯାଉ ନ ଥିଲେ କେମିତି ତା’ର ବିକ୍ରି ହୁଅନ୍ତା, ବିକ୍ରି କରାଯାଆନ୍ତା ? ବିଶେଷ ସାଧନା ନ ଥାଇ, ସାହିତ୍ୟର ଖାସ୍‌ ସେବକ ନ ହୋଇ ସାହିତ୍ୟ କରିବା ପୁଣି ପୁରସ୍କାରମନସ୍କ ରହି ପୁରସ୍କାର ଛିନ୍ଦିବା ଦୁର୍ଭାଗ୍ୟଜନକ। କେଉଁଠି ଗଳି ରାସ୍ତା କଡ଼ରେ ଯାଇଥିବା ବିଜୁଳି ତାରରେ ହୁକ ପକେଇ ବିଜୁଳି ଚୋରି କଲାଭଳିଆ ପୁରସ୍କାରକୁ ସେମିତି ହୁକପକେଇ (ନାନା ବିଦ୍ୟା ଆପଣେଇ) ଚୋରି କଲେଣି ପୁରସ୍କାରମନସ୍କମାନେ।
ତେବେ ଗୋଟିଏ କଥା ମନକୁ ଆସେ ସାହିତ୍ୟ କରାଯାଏ କାହିଁକି? ହଁ, ଏହାର ଉତ୍ତର ଦୁଇ ତିନି ପ୍ରକାରର ହୋଇପାରେ। ପ୍ରଥମତଃ ସାହିତ୍ୟ କରାଯାଏ ନିରୁତା ଖୁସି ସାଉଁଟିବା ପାଇଁ। ଏ ମତ ସହ ସଭିଏ ସହମତ ହେବେ ନିଶ୍ଚୟ। ଦ୍ୱିତୀୟ ଉତ୍ତର ରଖାଯାଇପାରେ ସାହିତ୍ୟ କରୁଥିବା ସତୀର୍ଥ ହୋଇପାରନ୍ତି ସାହିତ୍ୟର ସେବକ। ସାହିତ୍ୟ ସେବା କର୍ମରେ ରହି ଖୁସି ଅନୁଭବ କରାଯାଇପାରେ। ପୁଣି ସାହିତ୍ୟ ପୁରସ୍କାର ଛିନ୍ଦିବା ପାଇଁ କିଏ କିଏ ସାହିତ୍ୟ କରୁଥାଇପାରନ୍ତି। ଉପରୋକ୍ତ ତିନିଟା ଭିତରୁ ପ୍ରଥମ ଦୁଇଟାରେ ଅନେକଙ୍କ ଦ୍ବିମତ ରହି ନ ପାରେ। ତୃତୀୟ ପଏଣ୍ଟରେ କେହି କେହି ଅମତ ରଖିପାରନ୍ତି। କିନ୍ତୁ ଏଥିରେ ଅତିରଞ୍ଜନ ନାହିଁ। ପୁରସ୍କାର ପାଇଁ ହିଁ କେତେକ ସାହିତ୍ୟ କରନ୍ତି, ଏ କଥା ଜୋର ଦେଇ କହିବାରେ ଅସୁବିଧା ନାହିଁ। କିଛି ଲେଖକ ଦଶ ବର୍ଷ ଭିତରେ ଅନେକ ଶହ ପୁରସ୍କାର ସଂଗ୍ରହ କରିଛନ୍ତି। ଆହୁରି ସଂଗ୍ରହ କରିବା ଧାରାରେ ରହିଛନ୍ତି। ଆଶ୍ଚର୍ଯ୍ୟର କଥା ଆମ ମାଟି ମୂଳକରେ ଏମିତି କିଛି ପୁରସ୍କାରକାଙ୍ଗାଳ ରହିଛନ୍ତି ନିଜେ ତିଆରି କରି ନେଇଥିବା ମାନପତ୍ର ଅନ୍ୟ ମଞ୍ଚରୁ ସଂଗ୍ରହ କରନ୍ତି ମାନେ ସେ ମଞ୍ଚର ଅତିଥିଙ୍କଠୁ ପୁରସ୍କାର ଆକାରରେ ଗ୍ରହଣ କରିଥାନ୍ତି ନିଜକୁ କେବଳ ବିଜ୍ଞପିତ କରିବା ପାଇଁ। କୁହନ୍ତୁ ତ, ଏହା କ’ଣ ଅଜବ ମାନସିକତା ନୁହେଁ ? ଏହା ନିଶ୍ଚିତ ଭାବେ ଏକ ରୁଗ୍ଣ ମାନସିକତା ଯାହା ପ୍ରତିଫଳିତ ହୁଏ ପୁରସ୍କାର ଛିନ୍ଦି ନେବାରେ। ପୁରସ୍କାର ପାଇଁ କାହିଁକି ଏତେ ଆକୁଳତା ବ୍ୟାକୁଳତା ରହେ କେଜାଣି।
ସେ ଭଳିଆ ଲେଖକ ନିଜ ପକେଟ୍‌ରୁ ଅର୍ଥ ଖସେଇ (ଖର୍ଚ୍ଚ କରି) ମଞ୍ଚ ଚଢ଼ିପାରନ୍ତି। ଘୋଷା ଭାଷଣ ଥୁଅନ୍ତି। ବଡ଼ ପୁରସ୍କାର ସ୍ବପ୍ନରେ ମସ୍‌ଗୁଲ୍‌ ରହି ସାନ ସାନ ପୁରସ୍କାର ସବୁକୁ ହୁକ ପକାଇ ହଡ଼ପ କରିନିଅନ୍ତି I ସେଇ ବଡ଼ ପୁରସ୍କାର ନ ହେଲେ (ନ ପାଇଲେ) ଯେମିତି ଜୀବନଟା ପାଣିଚିଆ ହୋଇଯିବ। ଅସଲକୁ ପୁରସ୍କାର ପାଇ ପୁରସ୍କାର ହାତେଇ କେହି ଅମର ହୁଅନ୍ତିନି। କାଳଜୟୀ ଲେଖା ଲେଖକକୁ ବଞ୍ଚେଇ ରଖେ। କାଳଜୟୀ ଲେଖା ଲେଖକଙ୍କୁ ଅମର କରେ। ତେବେ ସାହିତ୍ୟ ସାଧନାରେ ନ ରହି କେବଳ ପୁରସ୍କାର ପାଇବା ପାଇଁ ହୁକ ପକାଇବା, ଫନ୍ଦି ଫିକର କରିବା ଅସଙ୍ଗତ କଥା ନୁହେଁ କି ? ଅଯଥା ପୁରସ୍କାରମନସ୍କ ନ ହୋଇ ସାହିତ୍ୟମନସ୍କ ହେବା ବରଂ ବହୁ ଗୁଣରେ ଭଲ।
ଶେଷକୁ ଏହା କୁହାଯାଇପାରେ, ସାହିତ୍ୟ ଲେଖିବା ଓ ସାହିତ୍ୟ କରିବା ଭିତରେ ଯଦି ସାହିତ୍ୟ କୃତି ପାଇଁ କାହାକୁ ସତ ସଚ୍ଚା ସାହିତ୍ୟ ପୁରସ୍କାର ମିଳିଲା, ସେଇ ଶୁଦ୍ଧ ପବିତ୍ର ପୁରସ୍କାରକୁ ଗ୍ରହଣ କରିବାରେ କେହି କୁଣ୍ଠିତ ହେବା ଉଚିତ ନୁହେଁ। ସେଇ ପୁରସ୍କାରକୁ ଖୁସିରେ ଗ୍ରହଣ କରିବା ଦରକାର। ହୁକପକା ପୁରସ୍କାରଠୁ ବିନା ଧରାକରାର ପୁରସ୍କାର ଆଣିଦେଇଥାଏ ପ୍ରକୃତ ଖୁସି। ଏ ମାଟିରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାରକୁ ବିଳମ୍ବରେ ଦିଆଯାଇ ପ୍ରତିଭାକୁ ଅସମ୍ମାନିତ କରାଯାଇଥିବାର ଅଭିଯୋଗ ଆଣି ସେ ପୁରସ୍କାରକୁ ଆଗ୍ରହ୍ୟ କରି ପୁରସ୍କାର ଗ୍ରହଣ ନ କରି ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି ଅତୀତରେ ସ୍ବାଭିମାନୀ ସାହିତି୍ୟକ। ଆଉ ଏବେ ଯେ ହୁକପକା ପୁରସ୍କାର ଛିନ୍ଦି ନେଇ ଜାଣି କୁତୁକୁତୁ ହେଉଥିବା ଦୁର୍ବଳ ସାଧକ ବି ଏଠି ରହିଛନ୍ତି। ଧନ୍ୟ କହିବା ନିଶ୍ଚୟ ସେଇ ହୁକପକା ପୁରସ୍କାରକାଙ୍ଗାଳଙ୍କୁ !

ଧ୍ରୁବ ଚରଣ ଘିବେଲା
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri