ପରାର୍ଥ ପଥିକ

ଡ.ପ୍ରଫୁଲ୍ଲ କୁମାର ସାହୁ

 

ମହିମା ଧର୍ମର ମହାନ୍‌ ଭକ୍ତ ଓ ପରମ ପ୍ରବକ୍ତା ସନ୍ଥକବି ଭୀମ ଭୋଇ। ବିଶ୍ବପ୍ରାଣତାର ଏକ ନିଃସର୍ତ୍ତ ଅଙ୍ଗୀକାର। କବିଙ୍କ ଜନ୍ମ ଜାତକ ଯେତିକି ରହସ୍ୟମୟ, କର୍ମମୟ ଜୀବନ ସେତିକି ସଂଘର୍ଷପୂର୍ଣ୍ଣ। କିଏ ତାଙ୍କୁ ଅନ୍ଧକବି କହେ ତ କିଏ କହେ କନ୍ଧକବି। କିନ୍ତୁ ନିଃସ୍ବ ଜୀବନ ନେଇ ବିଶ୍ବ ଧର୍ମ ସାହିତ୍ୟକୁ ଯେଉଁ ଶାଶ୍ବତ ଅବଦାନ ସେ ଦେଇ ଯାଇଛନ୍ତି, ତାହା ହିଁ ତାଙ୍କ ପରମ ପରିଚୟର ପୁଣ୍ୟ ପରିଧି।
କବିତ୍ୱ ଥିଲା ଭୀମ ଭୋଇଙ୍କ ସହଜାତ ପ୍ରତିଭା। ପ୍ରାରମ୍ଭିକ ଅବସ୍ଥାରେ ନିଜ ରଚନାରୁ ଗାଉଥିଲେ ରସଲକେଲି, ଡାଲଖାଇ ଓ ଜାଇଫୁଲ ଆଦି ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସଂଗୀତ। ମାତ୍ର ପ୍ରବୁଦ୍ଧ ଗୁରୁ ମହିମା ସ୍ବାମୀଙ୍କ ସଂସ୍ପର୍ଶରେ ଆସିବା ପରେ ସ୍ରଷ୍ଟା ପ୍ରାଣରେ ଆସିଲା ଅବିଶ୍ବସନୀୟ ପରିବର୍ତ୍ତନ। ତାଙ୍କ କବିତାର ଶିରାରେ ଶିରାରେ ପ୍ରବାହିତ ହେଲା ଜଣେ ସମର୍ପିତ ଭକ୍ତର ସ୍ବକୀୟ ଭାବାବେଗ। ଗୁରୁ ଆଶୀର୍ବାଦରୁ ତାଙ୍କ କବିତ୍ୱରେ ବୋଳି ହୋଇଗଲା ଜଣେ ଦାର୍ଶନିକର ପ୍ରଜ୍ଞା, ଜଣେ ସଂସ୍କାରକର ସାହସିକତା ଓ ଜଣେ ପରାର୍ଥ ପଥିକର ଭାକ୍ତିକ ଶ୍ରଦ୍ଧା ଓ ଜିଜ୍ଞାସା।
ସମସ୍ତଙ୍କ ସେବା କରିବା ହେଉଛି ମହିମା ଧର୍ମର ପ୍ରାଣକେନ୍ଦ୍ର। ମହିମା ଧର୍ମଦର୍ଶନ କହେ ସମଷ୍ଟିର ମଙ୍ଗଳରେ ବ୍ୟଷ୍ଟିର ମଙ୍ଗଳ। ପରସ୍ପର ଶାନ୍ତି, ସମତା ଓ ମମତାରେ ବାନ୍ଧି ହୋଇ ରହିଲେ ମଧୁମୟ ହୋଇ ଉଠିବ ସମଗ୍ର ଜଗତ। ସମସ୍ତଙ୍କ ଭିତରେ ବିରାଜମାନ କରିବ ଶାନ୍ତି। କବି ଆପଣା ଉପଲବ୍ଧି ପ୍ରତି ସତ୍ୟଶୀଳ ରହି ମହିମା ଧର୍ମ ଦର୍ଶନକୁ ଅନ୍ତର୍ଦୃଷ୍ଟି ବଳରେ ନିରୀକ୍ଷଣ କରିଛନ୍ତି ଏବଂ ଏକ କଲ୍ୟାଣକାରୀ ଆକାଂକ୍ଷା ନେଇ ଚାହିଁଛନ୍ତି ସମାଜରୁ ଦୂର ହେଉ ମଣିଷ ମଣିଷ ଭିତରେ ଥିବା ସକଳ ପ୍ରକାର ଭେଦ, ବାଦ ଓ ବିସଙ୍ଗତି। କବି ଭୀମ ଭୋଇ ମଣିଷ ଭୋଗୁଥିବା ଦୁଃଖର ଅନ୍ତ ପାଇଁ ଶୂନ୍ୟ ପୁରୁଷଙ୍କ ପାଖରେ ବାଢ଼ିଛନ୍ତି ଆକୁଳ ନିବେଦନ। ପୀଡ଼ିତ ଆତ୍ମାର ଉଦ୍ଧାର ପାଇଁ ଏକ ଅବିଶ୍ବସନୀୟ ପ୍ରସ୍ତାବନା ରଖି ଗାଇଛନ୍ତି-”ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ।“
ଏ କେମିତି କଥା! ନିଜକୁ ନରକ ନିକ୍ଷେପ କରି କେହି କ’ଣ ଚାହିଁପାରେ ଜଗତ ଉଦ୍ଧାର ହେଉ ବୋଲି ? ସମଗ୍ର ବିଶ୍ବବାସୀଙ୍କ ଚେତନାକୁ ଚହଲେଇ ଦେଇଥିବା ଏଭଳି ଅତିକ୍ରମଣୀୟ ତ୍ୟାଗର ମହିମା କଥା ଭାବିବା ମାତ୍ରେ ବିସ୍ମୟ ପ୍ଳାବିତ ଶ୍ରଦ୍ଧାରେ ପୂରିଉଠେ ଅନ୍ତରର କୋଣ ଅନୁକୋଣ। ବୁଝି ହୁଏନାହିଁ ଏହା ଜଣେ ମାନବବାଦୀ କବିପ୍ରାଣର ଗୀତିମୟ ଉଚ୍ଚାରଣ ନା କେହି ଆର୍ଯ୍ୟ ଋଷି କଣ୍ଠରୁ ଝରି ଆସିଥିବା ବିଶ୍ବ କଲ୍ୟାଣକାରୀ ମନ୍ତ୍ର। ରେଢାଖୋଲର କେଉଁ ଅଖ୍ୟାତ ଗାଁର ଗୋଟେ ନିଗୃହୀତ କନ୍ଧ ପରିବାରରେ ଜନ୍ମ ନେଇଥିବା ଭୀମ ଭୋଇଙ୍କ ପ୍ରାଣକୁ କେମିତି ଛୁଇଁଲା ଏ ଉଦାର ବିଶ୍ବମୟ ଭାବନା? ପିଲାଟି ବେଳୁ ଦାରିଦ୍ର୍ୟର କଷାଘାତ ସହି ସହି କେମିତି ସେ ନିଜ ଭିତରେ ଠୁଳ କରିପାରିଲେ ସାରା ଜଗତର ଦୁଃଖ ବୋଝକୁ ଏକା ଏକା ବୋହି ନେବାର ସାମର୍ଥ୍ୟ? ଏବେ ସୁଦ୍ଧା ଗବେଷକମାନଙ୍କ ପାଇଁ ଦୁର୍ଭେଦ୍ୟ ହୋଇ ରହିଛି କବିଙ୍କର ଏଭଳି ଉତ୍ସର୍ଗୀକୃତ ଭାବନା ଓ ଦମ୍ଭିଲାପଣର ରହସ୍ୟ।
ମହିମା ଧର୍ମମତ ଅନୁସାରେ ମହିମା ଶବ୍ଦର ଅର୍ଥ ଐଶ୍ବର୍ଯ୍ୟମୟ। ଯିଏ ଅନନ୍ତ ଐଶ୍ବର୍ଯ୍ୟ ଓ ଅନନ୍ତ ବିଭୂତିର ଆଧାର ସେ ମହିମାମୟ। ତେଣୁ ମହାଶୂନ୍ୟର ମହା ବିସ୍ତୃତିକୁ ମହିମା ବୋଲି କହିଲେ ମହିମା ସ୍ବାମୀ। ତାଙ୍କ ମତରେ ବିଶ୍ବ ନିୟନ୍ତା ହେଉଛନ୍ତି ଶୂନ୍ୟ ପୁରୁଷ। ସେ ସର୍ବବ୍ୟାପି, କିନ୍ତୁ ନିରାକାର। ସେହି ଶୂନ୍ୟ ପୁରୁଷଙ୍କ ନିକଟରେ ଆତ୍ମସମର୍ପଣ ପୂର୍ବକ ବ୍ରହ୍ମ ଉପାସନା ହିଁ ମହିମା ଧର୍ମ ଦର୍ଶନର ପରମ ବିଧି। ଅଲେଖ ନିରଞ୍ଜନଙ୍କ ନାମ କୀର୍ତ୍ତନ ଭଜନ ଓ ମନନ ହିଁ ତା’ର ଆଚରିତ ପନ୍ଥା। ଏହି ଦର୍ଶନ ତତ୍ତ୍ବକୁ ଆଧାର କରି ଭୀମ ଭୋଇ ଲେଖିଲେ ଭଜନ ଓ ଜଣାଣ। ଭୀମ ଭୋଇ କେବଳ କବି ନୁହନ୍ତି, ସେ ଏକାଧାରରେ ସଂଗୀତଜ୍ଞ ଓ ସ୍ବର ସମ୍ରାଟ। ପଲ୍ଲୀବାଦ୍ୟ ଖଞ୍ଜଣିକୁ ସାଧନାର ଏକ ସାଧନ ଭାବରେ ଗ୍ରହଣ କରି ତିଆରି କଲେ ଭଜନର ଛନ୍ଦ। ସେଥିରେ ପ୍ରକାଶ ପାଇଲା ତାଙ୍କ ଅତୁଳନୀୟ ଆଧ୍ୟାତ୍ମିକ ଅଭୀପ୍ସା। ଜନ ମାନସକୁ ଛୁଇଁଲା ତାଙ୍କ ଭଜନର ଭାକ୍ତିକ ଆବେଦନ।
ଯୁଗେ ଯୁଗେ ଭକ୍ତି ଆନ୍ଦୋଳନକୁ ନେଇ ସୃଷ୍ଟି ହୋଇଛି ସ୍ବତନ୍ତ୍ର ଜନ ସ୍ରୋତ। ଏହି ଯେମିତି ମହିମା ଧର୍ମକୁ ନେଇ ଓଡ଼ିଶାରେ ଗଢ଼ିଉଠିଲା ମହିମା ମଣ୍ଡଳୀ। ସୃଷ୍ଟି ହେଲା ମହିମା ସାହିତ୍ୟ। ସେ ସାହିତ୍ୟର ଭଗୀରଥ ଭୀମ ଭୋଇଙ୍କ ଅମୃତସ୍ରାବୀ ଲେଖନୀରୁ ଆତ୍ମ ପ୍ରକାଶ କଲା ସ୍ତୁତି ଚିନ୍ତାମଣି, ଅଷ୍ଟକବିହାରୀ ଗୀତା, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା, ନିର୍ବେଦ ସାଧନା ଓ ଚଉତିଶା ମଧୁଚକ୍ର ଆଦି ଭକ୍ତି କବିତାର ଅନେକ କଳାମୟୀ କୋଣାର୍କ।
ବିଶେଷକରି ତାଙ୍କ ପ୍ରଜ୍ଞାର ପୂଜାପାଠ ବୋଲି କୁହାଯାଉଥିବା ‘ସ୍ତୁତି ଚିନ୍ତାମଣି’ ଭକ୍ତି ସାହିତ୍ୟର ଏକ ଅମୂଲ୍ୟ ସଂପଦ। ତା’ର ପ୍ରତ୍ୟେକଟି ପଦରେ ରହିଛି ଚିରକାଳ ପାଇଁ ମାନବାତ୍ମାକୁ ପ୍ରେମ ଓ କରୁଣାରେ ଭିଜେଇ ଦେବାର ମହାର୍ଘ ମନ୍ତ୍ର।
ମହିମା ଗୋସେଇଁ ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ହେଲେ ବି ମହିମା ଧର୍ମର କଠୋରତା ଓ ଜଟିଳତାରେ ପରିବର୍ତ୍ତନ ଆଣି ତାକୁ ଗଣଧର୍ମୀ କରିବାରେ ଭୀମ ଭୋଇଙ୍କ ଅବଦାନ ଅତୁଳନୀୟ। ଗୃହକୁ ସାଧନା ଓ ସିଦ୍ଧର ମନ୍ଦିର ରୂପେ ଗ୍ରହଣ କରି ଧର୍ମ ଆନ୍ଦୋଳନରେ ସେ ହିଁ ଯୋଡ଼ିଲେ ନୂଆ ଅଧ୍ୟାୟ। ମହିମା ଧର୍ମରେ ନାରୀକୁ ପ୍ରବେଶାଧିକାର ଦେବାକୁ ଯାଇ ବଜ୍ର କଣ୍ଠରେ ଘୋଷଣା କଲେ-‘ଯେସନେକ ଜଳ ପବନର ଭେଦ ନାହିଁ, ପୁରୁଷ ଯେଣିକି ଯିବ ସ୍ତିରୀ ଯିବ ତହଁି।“ କେବଳ କବି ଭାବରେ ନୁହେଁ, ଜଣେ ଆଚାରସିଦ୍ଧ ଋଷି ଓ ପରିବ୍ରାଜକ ଭାବରେ ଯାଯାବରୀ ଜୀବନର ଗଭୀର ଜିଜ୍ଞାସା ନେଇ ସେ ଭେଦିଛନ୍ତି ବିଶ୍ବ ବ୍ରହ୍ମାଣ୍ଡର ରହସ୍ୟ। ସର୍ବ ଜନ ନିକଟରେ ମହିମା ଧର୍ମ ଦର୍ଶନ ବା ପ୍ରେମ ଓ କରୁଣାର ସନ୍ଦେଶ ପହଞ୍ଚାଇବା ପାଇଁ ବରଡ଼ା ଛତା ଧରି ଗୈରିକ ବସନରେ ଚାଲିଛନ୍ତି ସହସ୍ର ସହସ୍ର କୋଶ ବାଟ। ଚାରିଆଡ଼େ ବୁଲି ବୁଲି ଗାଇଛନ୍ତି ଶୂନ୍ୟ ବ୍ରହ୍ମର ମହିମା। ପୂର୍ଣ୍ଣଗର୍ଭା ନଦୀ କୂଳ ଲଂଘିଲା ପରି ଓଡ଼ିଶା ମାଟିରେ ଜନ୍ମ ନେଇଥିବା ମହିମା ଧର୍ମ ତେଣୁ ଓଡ଼ିଶା ସୀମା ଡେଇଁ ପ୍ରସରି ଯାଇଛି ଆସାମ, ଆନ୍ଧ୍ରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଆଦି ଅନେକ ରାଜ୍ୟକୁ। ସବୁଠି ଗଢ଼ି ଉଠିଛି ଶହ ଶହ ମହିମା ଟୁଙ୍ଗି। ସଞ୍ଜ ନଇଁଲେ ଯେଉଁ ମହିମା ଟୁଙ୍ଗିରେ ହୁଏ ଖଞ୍ଜଣି ମାଡ଼। ଭାସିିଆସେ ମହିିମା ଭଜନ ‘ବନ୍ଦନା ପାଦ ପଦ୍ମକୁ ଧ୍ୟାୟୀ ଅରୂପାନନ୍ଦଙ୍କ…’ ଇତ୍ୟାଦି। ଭୀମ ଭୋଇଙ୍କ ଏ ଭଜନର ଅନାହତ ଆତ୍ମ ନିବେଦନ ଓ ସଂଗୀତର ଅନୁପମ ସ୍ବର ବିଷୟାସକ୍ତ ମନକୁ ନେଇ ପହଞ୍ଚାଇ ଦିଏ କେଉଁ ଅତୀନ୍ଦ୍ରିୟ ରାଜ୍ୟରେ।
ପାର୍ଥିବ ଜୀବନରେ ନିତାନ୍ତ ନିଃସମ୍ବଳ ଥିଲେ ବି ଭୀମ ଭୋଇଙ୍କ କବିପ୍ରାଣ କେବେ ଲୋଡ଼ିନାହିଁ କୁବେର ସମ୍ପତ୍ତି କିମ୍ବା ରାଜ ଐଶ୍ବର୍ଯ୍ୟ। ଶୂନ୍ୟ ବ୍ରହ୍ମଙ୍କଠାରେ ଆତ୍ମସମର୍ପଣ କରି ପାଇଛନ୍ତି କରୁଣାର ଝର ଭଳି ହୃଦୟ ଭର୍ତ୍ତି କରୁଣା ଓ ପ୍ରେମ ବିତରି ଯିବାର ପ୍ରେରଣା। ଆପଣା ଦିବ୍ୟ ଦୃଷ୍ଟି ଯୋଗୁ କେବେ ବି ଅମରାବତୀର ଜୟଗାନ କରି ନାହାନ୍ତି କି ଗାଇନାହାନ୍ତି କାଷ୍ଠ ପାଷାଣ ନିର୍ମିତ ଦେବତା ଉଦ୍ଦେଶ୍ୟରେ ବନ୍ଦନା। ପିତୁଳା ନୁହେଁ, କବି ଥିଲେ ସତ୍ୟର ଉପାସକ। ସତ୍ୟର ମହିମା ଗାନ କରିବାକୁ ଯାଇ ଲେଖିଛନ୍ତି-”ସତ୍ୟରେ ମରିବି ସତ୍ୟରେ ତରିବି ଏହି ଆଜ୍ଞା ମୋତେ ହେଉ, କହେ ଭୀମ ଭୋଇ ଏ ମର୍ତ୍ତ୍ୟ ମଣ୍ଡଳେ ଯଶ ଅପଯଶ ଥାଉ।“ ଅନ୍ୟପକ୍ଷରେ ପୌତ୍ତଳିକତା ପରି ଏକ କୁସଂସ୍କାର ବିରୋଧ କରି ଲେଖିଛନ୍ତି- ”ଦେବଦେବୀଗଣ ମୃତ୍ତିକା ପାଷାଣ କାହାକୁ ନ ଭଜି ଚିତ୍ତେ, ମୁକତି କାଷ୍ଠାରେ ଏକାନ୍ତ ନିଷ୍ଠାରେ ଏକା ଧ୍ୟାୟୀ ଅଛି ତୋତେ।“
ଭୀମ ଭୋଇ ଶ୍ରେଣୀହୀନ ସମାଜ ଗଠନର ଜଣେ ମହାନ୍‌ ଉଦ୍‌ଗାତା। ସମାଜବାଦୀ ଆନ୍ଦୋଳନର ସୂତ୍ରଧର। ଏକ ସଂସ୍କାରସ୍ନାତ ଦୃଷ୍ଟିଭଙ୍ଗୀ ନେଇ ସମାଜରେ ପ୍ରଚଳିତ ଅନ୍ଧବିଶ୍ବାସ, କୁସଂସ୍କାର ଓ ଧର୍ମ ନାମରେ ଚାଲିଥିବା ଅନାଚାର ବିରୋଧରେ ଶୁଣାଇଛନ୍ତି ତାଙ୍କ ବିଦ୍ରୋହୀ ଆତ୍ମାର ଉଚ୍ଚାରଣ। ଜାତିବାଦ ଓ ତଜ୍ଜନିତ ବୈରତାର ବିଲୋପ ପାଇଁ ଆହ୍ବାନ ଦେଇ କହିଛନ୍ତି -”ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ।“ ସମଗ୍ର ମଣିଷ ଜାତି ତଥା ଜୀବ ଜଗତ ପ୍ରତି ଅଶେଷ ଶ୍ରଦ୍ଧା ଯୋଗୁ ଶୋଷଣ କଷଣ ଓ ଜୀବହତ୍ୟା ଆଦି କବି ପ୍ରାଣରେ ଜଳାଇ ଦେଇଛି ବିଦ୍ରୋହର ନିଆଁ। ମାତ୍ର ଅହିଂସା ହେଉଛି ସତ୍ୟବଦ୍ଧ କବି ଭୀମ ଭୋଇଙ୍କ ସୃଜନଶୀଳ ଆତ୍ମାର ମୂଳପିଣ୍ଡ। ତେଣୁ ମାନବାତ୍ମାକୁ ଶୁଦ୍ଧ କରିବାର ବିନୀତ ଭାବ ନେଇ ସେ ଗାଇଛନ୍ତି-”ଅହିଂସ ହୁଅ ସର୍ବଜନ, ହିଂସାରେ ନାହିଁ ବ୍ରହ୍ମଗାନ।“
ଐଶୀ ଚେତନା ଓ ମାନବ ପ୍ରେମର ଅପୂର୍ବ ସମନ୍ବୟ ସୃଷ୍ଟି କରିଥିବା ଏହି କବିଙ୍କୁ ପୌତ୍ତଳିକତାବାଦୀ ସହି ପାରିନାହାନ୍ତି କି ସଂଖୋଳି ନେଇ ପାରି ନାହାନ୍ତି ସମକାଳୀନ ସାରସ୍ବତ ପୁରୁଷମାନେ। ତଥାପି ସବୁ ବଞ୍ଚନାକୁ ବରଦାସ୍ତ କରି ଆନ୍ତରିକ ଭାବେ ଚାହିଁଛନ୍ତି ଜଗତ କଲ୍ୟାଣ। ଏଭଳି ଜଣେ ଅନାସକ୍ତ ସ୍ରଷ୍ଟା ପୁରୁଷଙ୍କୁ କେହି ଅଭିଜାତ ଓ ଶାସ୍ତ୍ରୀୟ ବର୍ଗର କବି ଭାବରେ ଗ୍ରହଣ କରୁ କି ନ କରୁ ତାଙ୍କ ଦୃଷ୍ଟି ଓ ଦର୍ଶନରେ ନିହିତ ବିଶ୍ବ ଧର୍ମର ସାର ସର୍ବସ୍ବ। ତେଣୁ ବିଶ୍ବ ସାହିତ୍ୟରେ ତାଙ୍କ ପରିଚୟର ପୁଣ୍ୟ ପରିଧିକୁ କେବେ ବି ପୁରୁଣା କରିପାରିବନି କାଳର କରାଳ ଗତି।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ,
ପଡ଼ିଆବେଡ଼ା,ଠାକୁରମୁଣ୍ଡା,ମୟୂରଭଞ୍ଜ
ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri