ଛତ୍ରପୁର,୧୩ା୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ୍ କରିଛନ୍ତି ଗଞ୍ଜାମ ଜିଲାପାଳ।
ପ୍ରଶାସନିକ ନିର୍ଦ୍ଦେଶ ଅନୁଯାୟୀ, ଆସନ୍ତା ନଭେମ୍ବର ୧୪ (ଶନିବାର) ଏବଂ ନଭେମ୍ବର ୧୫ ତାରିଖ (ରବିବାର) ସାପ୍ତାହିକ ଛୁଟି ଦିନ ହୋଇଥିଲେ ମଧ୍ୟ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏହି ଦୁଇ ଦିନ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିୟମିତ ଭାବେ ଅଫିସରେ ଉପସ୍ଥିତ ରହି କାର୍ଯ୍ୟ କରିବାକୁ ଜିଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଜିଲାରେ ହୋଇଥିବା କ୍ଷୟକ୍ଷତିର ଆକଳନ ସହ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଚାଲିଥିବା ପୁନରୁଦ୍ଧାର, ରିଲିଫ୍ ବଣ୍ଟନ ଏବଂ ଥଇଥାନ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ଲକ୍ଷ୍ୟରେ ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।