ଢେଙ୍କାନାଳ ଅଫିସ, ୨୯।୧୧:ଜାନୁୟାରୀ ୧୩ରୁ ଆରମ୍ଭ ହେଉଛି ବିଶ୍ୱକପ୍‌ ହକି। ଏହି ବିଶ୍ୱସ୍ତରୀୟ ଲୋକପ୍ରିୟ କ୍ରୀଡ଼ାର ଆୟୋଜକ ଓଡ଼ିଶା ରହିଥିବାରୁ ରାଜଧାନୀରୁ ରାଉରକେଲା ଯାଏ ସବୁଠି ଏବେ ହକି ଫିଭର। ଏଥିରୁ ବାଦ୍‌ ପଡ଼ିନି ହକିର ଅନ୍ତୁଡ଼ିଶାଳ ଢେଙ୍କାନାଳ। ସ୍ଥାନୀୟ ଷ୍ଟାଡିୟମ୍‌ରେ ସୋମବାରଠାରୁ ଆରମ୍ଭ ହୋଇଛି ଓଡ଼ିଶା ନାଭାଲ ଟାଟା ହକିର ୧୪ ବର୍ଷରୁ କମ୍‌ ୫-ଏ-ସାଇଡ୍‌ ଗ୍ରାସରୁଟ୍‌ ଲିଗ୍‌ ଚାମ୍ପିୟନଶିପ୍‌। ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ରାଜ୍ୟର ୧୪ଟି ସେଣ୍ଟର ଅଂଶଗ୍ରହଣ କରିଛନ୍ତି। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌ଙ୍କୁ ନେଇ ଫେବୃୟାରୀରେ ଲକ୍ଷ୍ନୌଠାରେ ହେବାକୁ ଥିବା କେ.ଡି. ସିଂ ବାବୁ ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଚୟନ କରାଯିବ।
ପ୍ରତିଯୋଗିତାରେ ସୁନ୍ଦରଗଡ଼ର ୮, ଦେବଗଡ଼ର ୧, ସମ୍ବଲପୁରର ୨, ଢେଙ୍କାନାଳ, ରଣପୁର ଏବଂ ଛତ୍ରପୁରର ଗୋଟିଏ ଲେଖାଏ ଦଳ ଭାଗ ନେଇଛନ୍ତି। ୫-ଏ ସାଇଡ୍‌ ପ୍ରତିଯୋଗିତାରେ ପ୍ରତି ଦଳରେ ୮ ଜଣ ଲେଖାଏ ଖେଳାଳି ରହିବେ। ମ୍ୟାଚର ଉଭୟ ପଟରେ ୫ ଖେଳାଳି ଏବଂ ୩ ଅତିରିକ୍ତ ଖେଳାଳି ରହିବେ। ଜାତୀୟ ପ୍ରତିଯୋଗିତା ପାଇଁ ଚୟନ ହୋଇଥିବା ଖେଳାଳିଙ୍କୁ ଭୁବନେଶ୍ୱରଠାରେ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। ବିଭିନ୍ନ ଜିଲାର ହକି ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି।