ବସ୍‌କୁ ପଛପଟୁ ଧକ୍କାଦେଲା ହାଇଓ୍ବା: ୧୭ ଯାତ୍ରୀ ଆହତ

ଖୋର୍ଦ୍ଧା,୨ା୨(ପ୍ରଭାତ ପାଣିଗ୍ରାହୀ): ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶିଳ୍ପାଞ୍ଚଳ ଥାନା ଖୋର୍ଦ୍ଧା ଗଡ଼ଖୋର୍ଦ୍ଧା ଛକରେ ରାସ୍ତାକଡ଼ରେ ଠିଆ ହୋଇଥିବା ବସ୍‌କୁ ହାଇଓ୍ବା ଧକ୍କା ଦେବାରୁ ୧୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜିଲା ପ୍ରଶାସନ ଅଧିକାରୀ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି। ପ୍ରାଥମିକ ଚିକିତ୍ସାରେ ଗୋଶାଳା ପଡ଼ିଆ କ୍ୟାମ୍ପକୁ ପଠାଇ ଦିଆଯାଇଛି।

ରାୟଗଡା ଜିଲା ଗୁଡ଼ାରୀ ଏନ୍‌ଏସିରୁ ୪୨ ଯାତ୍ରୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦର୍ଶନ ପାଇଁ ଯାଉଥିଲା। ଗଡ଼ଖୋର୍ଦ୍ଧା ଛକ ନିକଟରେ ବସ୍‌ ରାସ୍ତାକଡ଼ରେ ଠିଆ ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଯାଉଥିବା ହାଇଓ୍ବା ପଛପଟୁ ଧକ୍କା ଦେଇଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀ ଆହତ ହୋଇଥିଲେ। ଖବରପାଇ ଜିଲା ପରିଷଦ ସିଡିଓ ବାଦଲ ମହାନ୍ତି, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ, ତହସିଲଦାର ବିଭାଷ ପାଣିଗ୍ରାହୀ, ଶିଳ୍ପାଞ୍ଚଳ ଥାନାଧିକାରୀ ବାସୁଦେବ ଜୟସିଂ ପ୍ରମୁଖ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପୋଲିସ ବସ୍‌ ଏବଂ ହାଇଓ୍ବାକୁ ଜବତ କରି ତଦନ୍ତ ଚଳାଇଛି।