କାମକରୁନି ଏଚ୍‌ଆଇଭି ପରୀକ୍ଷଣ ମେଶିନ

ଢେଙ୍କାନାଳ ଅଫିସ, ୧୬।୭: କରୋନା ସଙ୍କଟ ସମୟରେ ବଡ଼କଷ୍ଟରେ ଆୟୋଜନ କରାଯାଉଛି ରକ୍ତଦାନ ଶିବିର। ରକ୍ତ ଭଣ୍ଡାରକୁ ସଂଗୃହୀତ ଆସୁଛି ରକ୍ତ। ହେଲେ ଏହା ରୋଗୀଙ୍କ କାମରେ ଆସୁନି। କାରଣ ରକ୍ତ ପରୀକ୍ଷଣ ଲାଗି ବ୍ୟବହୃତ ଏଚ୍‌ଆଇଭି ପରୀକ୍ଷଣ ମେଶିନ ହିଁ ଅଚଳ ହୋଇପଡ଼ିଛି। ଢେଙ୍କାନାଳ ଜିଲା ଚିକିତ୍ସାଳୟରେ ଏପରି ଅବ୍ୟବସ୍ଥା ଏବେ ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବାବେଳେ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ରକ୍ତଦାନ କରିବା ଲାଗି ଥିବା ଆଗ୍ରହ କମିବାରେ ଲାଗିଛି।
ରକ୍ତଭଣ୍ଡାରରେ ଥିବା ୩ ଏଚ୍‌ଆଇଭି ପରୀକ୍ଷଣ ମେଶିନ ମଧ୍ୟରୁ ୨ଟି ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଥିଲା। ବର୍ଷେ ହେବ ଏକ ନୂଆ ମେଶିନ ଅଣାଯାଇଛି। ଓ୍ବାରେଣ୍ଟି ଅବଧି ଥିବା ସତ୍ତ୍ୱେ ଗତ ୨ ତାରିଖରୁ ଏହା ମଧ୍ୟ କାମ କରୁନାହିଁ। ଦୀର୍ଘଦିନ ଧରି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ମେଶିନ ଖରାପ ହୋଇ ପଡ଼ିବା ଏବଂ ଏହାର ମରାମତି ଦିଗରେ ପଦକ୍ଷେପ ନିଆଯାଉନାହିଁ। ଅନ୍ୟପଟେ କରୋନା ସଙ୍କଟ ସମୟରେ ଶିବିରରୁ ସଂଗୃହୀତ ହୋଇ ରକ୍ତ ଭଣ୍ଡାରକୁ ଆସୁଥିବା ରକ୍ତ ପରୀକ୍ଷଣ ହୋଇପାରୁ ନ ଥିବାରୁ କାମରେ ଲାଗୁନାହିଁ। ଏହାକୁ ନେଇ ସ୍ବେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। କରୋନା ପାଇଁ ବାହାରୁ ମେକାନିକ୍‌ ଆସି ପାରୁ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା କର୍ମଚାରୀମାନେ କହିଛନ୍ତି। ଏଚ୍‌ଆଇଭି ପରୀକ୍ଷଣ ପାଇଁ ତୁରନ୍ତ ଏକ ନୂତନ ମେଶିନ ଯୋଗାଇଦେବା ଲାଗି ଜିଲା ସଚେତନ ନାଗରିକ ଫୋରମର ଉପସଭାପତି ପଙ୍କଜ କୁମାର ନାୟକ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ସିଡିଏମ୍‌ଓ ଡା. ସୁଜାତା ମିଶ୍ର କୁହନ୍ତି, ମେଶିନ ମରାମତି କରିବାକୁ ବୁଧବାର ମେକାନିକ୍‌ ଆସିଥିଲେ। ଏଥିରେ ଆଉ କିଛି ଯନ୍ତ୍ରାଂଶ ଲାଗିବ। ମରାମତି ପରେ ଦିନେ ଦୁଇଦିନ ମଧ୍ୟରେ ମେଶିନ୍‌ଗୁଡ଼ିକ କାର୍ଯ୍ୟକ୍ଷମ ହେବ।