ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ଧର୍ମପୁର ଗ୍ରାମର ସାହେବ ଗୌଡ଼ (୬୩)।
ମିଳିଥିବା ସୂଚନା ମୁତାବକ, ସାହେବ ଶନିବାର ସନ୍ଧ୍ୟା ପ୍ରାୟ ୬:୩୦ ଟାରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ରାସ୍ତା ପାର ହେଉଥିଲେ। ଏହି ସମୟରେ ଗାଁ ଶ୍ମଶାନ ନିକଟ ରାସ୍ତାରେ କୌଣସି ଏକ ଗାଡ଼ି ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଦୁର୍ଘଟଣାରେ ସାହେବଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଓ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ନେଇ ଥାନାରେ ଏତଲା ଦିଆଯିବା ପରେ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ତଥା ପୋଡ଼ାମାରି ଫାଣ୍ଡି ଏଏସଆଇ ପ୍ରଭାତ କୁମାର ବାଲିକାନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ରବିବାର ସକାଳେ ମୃତଦେହ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି।