ବେପରୁଆ ଗାଡ଼ି ଚାଳନା ନେଲା ଆଉ ଏକ ଜୀବନ: ବୁଦୁଲି ନିକଟରେ କାର୍‌ ଧକ୍କାରେ ଭଞ୍ଜନଗର ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର, ୨୭।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନ ବିଭିନ୍ନ ଅଞ୍ଚଳରେ ଗତ କିଛି ମାସ ହେଲା ସଡ଼କ ଦୁର୍ଘଟଣାଜନିତ ମୃତାହତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ବେପରୁଆ ଗାଡ଼ି ଚାଳନା, ଟ୍ରାଫିକ ସମସ୍ୟା ଓ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁ ଅନେକ ଅମୂଲ୍ୟ ଜୀବନ ଅକାଳରେ ଝଡ଼ିପଡ଼ୁଥିବା ବେଳେ ଏହା ଏବେ ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଏହି କ୍ରମରେ ଗୁରୁବାର ରାତିରେ ଭଞ୍ଜନଗର-ଦୁର୍ଗାପ୍ରସାଦ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା କାର୍‌ ଧକ୍କାରେ ଗୁରୁତର ଆହତ ହୋଇଥିବା ଜଣେ ଯୁବକଙ୍କର ଶୁକ୍ରବାର ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଭଞ୍ଜନଗର ଠାକୁରାଣୀ ମନ୍ଦିର ସାହିର ଆକାଶ ବେହେରା ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଅନ୍ୟ ୪ ଜଣ ମଧ୍ୟ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ଆକାଶ ଓ ତାଙ୍କର କିଛି ସାଙ୍ଗ ପଇଡ଼ ଆଣିବା ପାଇଁ ମୁଜାଗଡ଼କୁ ଯାଇଥିଲେ। ଫେରିବା ସମୟରେ ଆକାଶ ଜଣେ ସାଙ୍ଗଙ୍କ ସହ ବାଇକ୍‌ରେ ଆସୁଥିବା ବେଳେ ଅନ୍ୟ ସାଙ୍ଗମାନେ ପଇଡ଼ ନେଇ ଏକ ଟାଟା ଏସି ଗାଡ଼ିରେ ଫେରୁଥିଲେ। ବାଟରେ ବୁଦୁଲି ନିକଟରେ ପରିଶ୍ରା ପାଇଁ ସେମାନେ ଗାଡ଼ି ଅଟକାଇ ଛିଡ଼ା ହୋଇଥିବା ବେଳେ ଏକ ଦ୍ରୁତଗାମୀ କାର୍‌ ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ଅଣାଯାଇଥିଲା। ତେବେ ଆକାଶଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି। ଆକାଶଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ମଧ୍ୟ ଭଞ୍ଜନଗର ଅଞ୍ଚଳର ଜଣାଶୁଣା କଂଗ୍ରେସ ନେତା ବିକ୍ରମ ବିଷୋୟୀଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟିଥିଲା।

Dharitri – Odisha’s No.1 Odia Daily

Share