ଗଞ୍ଜାମ,୨୮ା୧୧(ବିଦ୍ୟାଧର ସାହୁ): ଦୀର୍ଘ ୫୦ ବର୍ଷର ଆଇନଗତ ଲଢ଼େଇ ପରେ ଗଞ୍ଜାମ ସହରର ବ୍ରାହ୍ମଣ ଢମଣା ସାହିସ୍ଥିତ ମହାପ୍ରଭୁ ଶ୍ରୀ ମଦନମୋହନ ସ୍ବାମୀଙ୍କ ୬୦୦ ଡେସିମିଲି (ତିନି ଭରଣ) ଜବରଦଖଲ ଜମି ପୁଣିଥରେ ମନ୍ଦିର କମିଟିକୁ ଫେରିଛି। ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ପଣ୍ଡାଙ୍କ ପ୍ରଚେଷ୍ଟାରେ ଅଦାଲତଙ୍କ ଏହି ଐତିହାସିକ ରାୟ ମିଳିଛି।
୫୦ ବର୍ଷ ପୂର୍ବେ ଭାସ୍କର ମହାରଣାଙ୍କୁ ଜୀବିକା ନିର୍ବାହ ପାଇଁ ତତ୍କାଳୀନ କମିଟି ଏହି ଜମି ବ୍ୟବହାର କରିବାକୁ ଅନୁମତି ଦେଇଥିଲା। ମାତ୍ର ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଗୋପାଳ ମହାରଣା ଜମିଟିକୁ ନିଜ ନାମରେ କରିବାକୁ ଉଦ୍ୟମ କରିବାରୁ ମନ୍ଦିର କମିଟି ସଭାପତି ପ୍ରଭାକର ପାଣିଗ୍ରାହୀ ଓ ସଦସ୍ୟମାନେ ଆଇନର ଆଶ୍ରୟ ନେଇଥିଲେ।
ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୦ ନଭେମ୍ବରରେ ପୋଲିସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇ ଘରର ଚାବି ମନ୍ଦିର ସଭାପତିଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହା ବିରୋଧରେ କନକ ମହାରଣା ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏସ୍ଏଲ୍ପି (୪୦୩୬୨/୨୬) ଗତ ୨୩ ନଭେମ୍ବରରେ ଖାରଜ ହୋଇଯିବାରୁ ନିମ୍ନ ଅଦାଲତଙ୍କ ଆଦେଶ ବଳବତ୍ତର ରହିଛି।
ବିଳମ୍ବ ହେଲେ ମଧ୍ୟ ସତ୍ୟ ଓ ଧର୍ମର ସର୍ବଦା ଜୟ ହୁଏ ବୋଲି ଆଇନଜୀବୀ ପଣ୍ଡା ପ୍ରକାଶ କରିଛନ୍ତି। ଉଚ୍ଛେଦ ସମୟରେ ମନ୍ଦିର କମିଟିର ବହୁ ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।