ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ବୈଠକ ଗୁରୁବାର ଅପରାହ୍ନ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ପ୍ରତିବର୍ଷ ମା’ଙ୍କ ଝାମୁଯାତ୍ରା ପଣା ସଂକ୍ରାନ୍ତି ଦିନରୁ ଆରମ୍ଭ ହୁଏ। ଏହା ଚଳିତ ବର୍ଷ ୫ ଦିନ ଧରି ସରକାରୀ ଭାବେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ ହେବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବାକୁ ପ୍ରଶାସନିକସ୍ତରରେ ପ୍ରସ୍ତୁତି ସମ୍ପର୍କିତ ମା’ଙ୍କ ପୀଠରେ ଆଲୋଚନା ହୋଇଥିଲା। ଏଥିରେ ଜିଲାପାଳ ରଘୁରାମ ଆର୍. ଆୟର ଅଧ୍ୟକ୍ଷତା କରିଥିବାବେଳେ ଜିଲା ଓ ବ୍ଲକସ୍ତରୀୟ ଅଧିକାରୀମାନଙ୍କ ସହ ଅଲୋଚନା କରିଥିଲେ। ବିଶେଷକରି ପାନୀୟଜଳ ଓ ପରିମଳ, ବିଦ୍ୟୁତ୍, ଅଗ୍ନିଶମ ବିଭାଗ, ସ୍ବାସ୍ଥ୍ୟ, ଟ୍ରାଫିକ୍ ନିୟନ୍ତ୍ରଣ ପ୍ରମୁଖ ମୌଳିକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପରେ ମନ୍ଦିର ପରିସରରେ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ବିଭାଗୀୟ ଅଧିକାରୀଙ୍କୁ ପଚରାଉଚରା କରିଥିଲେ। ବୈଠକ ପରେ ଜମ୍ବୁ ମହୋତ୍ସବ ସ୍ଥାନକୁ ଜିଲାପାଳ ଓ ଅଧିକାରୀମାନେ ମହୋତ୍ସବସ୍ଥଳରେ ପହଞ୍ଚି ନିରୀକ୍ଷଣ କରିଥିଲେ।
ଉପସ୍ଥିତ ଥିବା ଜିଲାସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ରାଜସ୍ବ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲିକ, ଉପଜିଲାପାଳ ଅରୁଣ କୁମାର ନାୟକ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ମନୋରଞ୍ଜନ ରାଉତ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରବୀନ୍ଦ୍ର ଜେନା , ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ , ଜମ୍ବୁ ସାମୁଦ୍ରିକ ଥାନା ଅଧିକାରିଣୀ ଅନିତା ରାଣୀ ସ୍ବାଇଁଙ୍କ ସମେତ ଯୁବନେତା ପ୍ରଶାନ୍ତ କୁମାର ସେଠୀ, ରଞ୍ଜନ ଚୌଧୁରୀ, ତରୁଣକାନ୍ତି କାଞ୍ଜିଲାଲ, ଚନ୍ଦ୍ରକାନ୍ତ ସ୍ବାଇଁଙ୍କ ସମେତ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାମାଜିକ କର୍ମୀ, ଶିକ୍ଷାବିତ୍ ପ୍ରମୁଖ ଉପସ୍ଥିତ ଥିଲେ।

