ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର ଜଳସ୍ତର ମଧ୍ୟ କ୍ରମଶଃ ବୃଦ୍ଧି ପାଇ ଏହାର ସର୍ବୋଚ୍ଚ ଜଳଧାରଣ କ୍ଷମତାର ନିକଟତର ହୋଇଛି। ତେଣୁ ରବିବାର ପୁଣିଥରେ ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ ଗେଟ୍ ଖୋଲାଯାଇ ବର୍ତ୍ତମାନ ମୋଟ୍ ୫ଟି ସ୍ଲୁଇସ୍ ଗେଟ ଜରିଆରେ ମହାନଦୀକୁ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ରବିବାର ଅପରାହ୍ନ ସାଢ଼େ ୧୨ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ ଜଳଭଣ୍ଡାରର ଜଳସ୍ତର ୬୨୯.୩୧ ଫୁଟ୍ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୧ ଲକ୍ଷ ୨୫ ହଜାର ୦୯୫ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଛି। ସେହିପରି ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ହାରାହାରି ମୋଟ ୧ ଲକ୍ଷ ୧୬ ହଜାର ୯୭୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ସେଥିମଧ୍ୟରୁ ଜଳଭଣ୍ଡାରର ବାମ ପାର୍ଶ୍ୱର ୩ ଓ ଦକ୍ଷିଣ ପାର୍ଶର ୨ଟି ମିଶି ମୋଟ ୫ଟି ସ୍ଲୁଇସ୍ ଗେଟ୍ ଜରିଆରେ ୮୧ ହଜାର ୯୨୫ ଘନଫୁଟ, ପାଓ୍ବାର ଚ୍ୟାନେଲରେ ୩୧,୧୯୭ ଘନଫୁଟ, ବରଗଡ଼ କେନାଲରେ ୩,୦୭୨, ଶାସନ କେନାଲରେ ୪୫୦ ଓ ସମ୍ବଲପୁର କେନାଲରେ ୧୦୫ ଶିଳ୍ପଭିତ୍ତିକ ବ୍ୟବହାର ପାଇଁ ୨୨୧ ଘନଫୁଟ ଜଳ ନିଷ୍କାସିତ ହେଉଛି।