ହିନ୍ଦୀ ପକ୍ଷ ଉଦ୍‌ଯାପିତ

ଭୁବନେଶ୍ୱର,୭।୧୦:ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ର ଓଡ଼ିଶା ପରିମଣ୍ଡଳ ଭୁବନେଶ୍ୱର ପକ୍ଷରୁ ହିନ୍ଦୀ ପକ୍ଷ-୨୦୨୨ର ସମାପନ ଏବଂ ପୁରସ୍କାର ପ୍ରଦାନ ସମାରୋହ ନିକଟରେ ଉଦ୍‌ଯାପିତ ହୋଇଯାଇଛି। ବିଏସ୍‌ଏନ୍‌ଏଲ୍‌ ଓଡ଼ିଶା ପରିମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ରୁଦ୍ରନାରାୟଣ ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଦ୍‌ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ଉପାଧ୍ୟକ୍ଷ ଡ. ସଂଗ୍ରାମ ଜେନା ମୁଖ୍ୟ ଅତଥି ଏବଂ କେନ୍ଦ୍ରୀୟ ଉଚ୍ଚତର ଶିକ୍ଷା ମନ୍ତ୍ରଣାଳୟର ପ୍ରାଧ୍ୟାପକ ଡ. ଦେବାଶିଷ ମହାପାତ୍ର ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସରକାରୀ ଇ-ଅଫିସ୍‌ କାର୍ଯ୍ୟ ସହ ସାରା ବର୍ଷ ସରକାରୀ କାର୍ଯ୍ୟରେ ଅଧିକରୁ ଅଧିକ ହିନ୍ଦୀର ପ୍ରୟୋଗ କରିବା ଏବଂ କର୍ମଚାରୀମାନେ ସେମାନଙ୍କ ପିଲାମାନଙ୍କୁ ହିନ୍ଦୀ ଭାଷା ପ୍ରତି ଉତ୍ସାହତି କରିବାକୁ ସମାରୋହର ଅଧ୍ୟକ୍ଷ ପଲାଇ ନିବେଦନ କରିଥିଲେ। ପରିଶେଷର ହିନ୍ଦୀ ଗୃହ ପତ୍ରିକା- ଉତ୍କଳ ସଞ୍ଚାର (ହିନ୍ଦୀ ପକ୍ଷ ବିଶେଷାଙ୍କ)-୨୨ର ଉନ୍ମୋଚନ ସହ ପିଲାମାନଙ୍କ ପାଇଁ ଆୟୋଜିତ ନିବନ୍ଧ, ଅନୁବାଦ ପ୍ରତିଯୋଗିତା ଓ କାର୍ମିକମାନଙ୍କ ପାଇଁ ହିନ୍ଦୀ ଟିପ୍ପଣୀ-ମସୌଦା ଲିଖନ୍‌, ତର୍କ, ସ୍ବରଚିତ କବିତାବୃତ୍ତି, ପ୍ରଶ୍ନ-ମଞ୍ଚ ଏବଂ ସଂଗୀତ ପ୍ରତିଯୋଗିତା ଇତ୍ୟାଦିର ବିଜେତାମାନଙ୍କୁ ଅତିଥିମାନେ ଟ୍ରଫି ଓ ପ୍ରମାଣପତ୍ର ସହ ପ୍ରୋତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପରିମଣ୍ଡଳର ସମସ୍ତ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।