Categories: ଜାତୀୟ

ଘୁଞ୍ଚୁଛି ହିମାଳୟ ଗ୍ଲେସିୟର

ନୂଆଦିଲ୍ଲୀ, ୨୩ା୧୧: ବିଶ୍ୱତାପନ, ଜଳବାୟୁ ପରିବର୍ତ୍ତନ ଯୋଗୁ ସାରା ବିଶ୍ୱରେ ଗ୍ଲେସିୟର ତରଳିବାରେ ଲାଗିଛି। ଏଥିଯୋଗୁ ସମୁଦ୍ରପତ୍ତନ ବୃଦ୍ଧି ଭବିଷ୍ୟତରେ ବଡ଼ ବିପର୍ଯ୍ୟୟର ଆଶଙ୍କା ବଢ଼ାଇଛି। ଏବେ ହିମାଳୟ ଗ୍ଲେସିୟର ଏହାର ମୂଳ ସ୍ଥାନରୁ ଘୁଞ୍ଚିବା ଗବେଷକଙ୍କ ଧ୍ୟାନ କେନ୍ଦ୍ରିଭୂତ କରିଛି। ମୁଖ୍ୟତଃ ଜଳବାୟୁ ପରିବର୍ତ୍ତନ ଏବଂ ଟେକ୍ଟୋନିକ୍‌ ଗତିବିଧିକୁ ବୈଜ୍ଞାନିକମାନେ ଏଥିପାଇଁ ଦାୟୀ କରିଛନ୍ତି। ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ହିମାଳୟନ ଜିଓଲୋଜି (ଡବ୍ଲ୍ୟୁଆଇଏଚ୍‌ଜି) ଡେରାଡୁନ୍‌ର ଏକ ବୈଜ୍ଞାନିକ ଟିମ୍‌ ଦ୍ୱାରା ହୋଇଥିବା ଏହି ଅଧ୍ୟୟନ ରିପୋର୍ଟ ଜିଓସାଇନ୍ସ ଜର୍ନାଲରେ ପ୍ରକାଶିତ ହୋଇଛି।

ପିଠୋରାଗଡ ଜିଲା କାଳୀ ଗଙ୍ଗା ଉପତ୍ୟକାରେ ଏକ ହିମବାହ ଉପରେ ଭାରତୀୟ ଗବେଷକ ଅଧ୍ୟୟନ କରିଥିଲେ। ଉକ୍ତ ଗ୍ଲେସିୟର ଅସ୍ବାଭାବିକ ଭାବେ ଏହାର ଗତିବିଧି ବଦଳାଇଥିଲା। ଏହାର କାରଣ ଖୋଜିବାରୁ ଜଳବାୟୁ ପରିବର୍ତ୍ତନ ସମେତ ଟେକ୍ଟୋନିକ ଗତିବିଧି ମଧ୍ୟ ଗ୍ଲେସିୟର ସ୍ଥିତିକୁ ପ୍ରଭାବିତ କରୁଥିବା ସେମାନେ ଜାଣିବାକୁ ପାଇଛନ୍ତି।

ଗ୍ଲେସିୟର ଗତିବିଧି ଗତ ଫେବୃୟାରୀ ୭ରେ ଚାମୋଲିରେ ହିମସ୍ଖଳନ ଓ ଭୂସ୍ଖଳନ ଜନିତ ବିପର୍ଯ୍ୟୟରେ ୨ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟଣା ପଛର କାରଣକୁ ମଧ୍ୟ ଅଧିକ ସ୍ପଷ୍ଟ କରିଛି। ୬ କିଲୋମିଟର ଉଚ୍ଚ ରୋଣ୍ଟି ଶିଖରରେ ଏକ ବିଶାଳକାୟ ବରଫ ଏବଂ ପଥର ଖଣ୍ଡ ସ୍ଲୋପ୍‌ରୁ ଅଲଗା ହୋଇଯିବା କାରଣରୁ ଖସି ପଡ଼ିଥିଲା।

Share