Categories: ଖେଳ

ଇତିହାସ ରଚିଲା ହିମାଚଳ ପ୍ରଦେଶ

ଜୟପୁର,୨୬।୧୨: ତାମିଲନାଡୁ ଭଳି ଶକ୍ତିଶାଳୀ ଦଳକୁ ହରାଇ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଶୁଭମ ଆରୋରାଙ୍କ ଅପରାଜିତ ଶତକ ବଳରେ ହିମାଚଳ ପ୍ରଦେଶ ହାତେଇଛି ବିଜୟ ହଜାରେ ଟ୍ରଫି। ଏହା ହିମାଚଳ ପ୍ରଦେଶ ପାଇଁ ପ୍ରଥମ ଘରୋଇ ଟାଇଟଲ। ଆଲୋକ ଅଭାବ କାରଣରୁ ଭିଜେଡି ପ୍ରଣାଳିରେ ରିଶି ଧାଓ୍ବନଙ୍କ ନେତୃତ୍ୱାଧୀନ ଦଳ ୧୧ ରନ୍‌ରେ ଫାଇନାଲ ଜିତି ନେଇଥିଲା। ଆଲୋକ ଅଭାବରୁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ୩୧୫ ରନ୍‌ର ଟାର୍ଗେଟ ପିଛା କରୁଥିବା ହିମାଚଳ ପ୍ରଦେଶକୁ ଜିତିବା ପାଇଁ ୧୫ ବଲରେ ୧୬ ରନ୍‌ ଦରକାର ଥିଲା। ଆଉ ଦଳ ହାତରେ ଥିଲା ୬ ଉଇକେଟ। ଏଣୁ ଫିଲ୍ଡ ଅମ୍ପାୟରଙ୍କ ପରାମର୍ଶ କ୍ରମେ ବୋଲିଂ ଦଳର ଅଧିନାୟକ ବିଜୟ ଶଙ୍କରଙ୍କ ସହ ଆଲୋଚନା କରିଥିଲେ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ତାମିଲନାଡୁ ୪୦ ରନ୍‌ ମଧ୍ୟରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଭେଟେରାନ ଦୀନେଶ କାର୍ତ୍ତିକ ଓ ବାବା ଇନ୍ଦ୍ରଜୀତ ୫ମ ଉଇକେଟ ପାଇଁ ୨୭.୨ ଓଭରରେ ୨୦୨ ରନ୍‌ ଯୋଡ଼ିଥିଲେ। ୩୬ ବର୍ଷୀୟ କାର୍ତ୍ତିକ ୧୦୩ ବଲରେ ୮ ଚୌକା ଓ ୭ ଛକା ସହାୟତାରେ ୧୧୬ ରନ୍‌ କରିଥିଲେ। ଏହା ଥିଲା ତାଙ୍କ କ୍ୟାରିୟରର ୯ମ ଶତକ। ଅନ୍ୟପକ୍ଷରେ ୮୦ (୮ ଚୌକା ଓ ୧ ଛକା) ରନ୍‌ କରି ଆଉଟ୍‌ ହୋଇଥିଲେ ଇନ୍ଦ୍ରଜୀତ। ଶେଷ ଆଡ଼କୁ ଶାହରୁଖ ଖାନ ୪୨ ଓ ଅଧିନାୟକ ବିଜୟ ଶଙ୍କ ୨୨ ରନ୍‌ କରିବାରୁ ତାମିଲନାଡୁ ୩୧୪ ରନ୍‌ରେ ସୀମିତ ରହିଥିଲା। ଜବାବରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇ ଦଳର ବିଜୟ ସୁନିଶ୍ଚିତ କରିଥିଲେ ଶୁଭମ ଆରୋରା । ସେ ୧୩୧ ବଲରେ ୧୩୬ ରନ୍‌ କରି ଅପରାଜିତ ଥିଲେ। ତାଙ୍କ ଇନିଂସରେ ସାମିଲ ଥିଲା ୧୩ ଚୌକା ଓ ୧ ଛକା। ମଧ୍ୟକ୍ରମରେ ଅମିତ କୁମାର ୭୪ (୬ ଚୌକା) ଏବଂ ଅଧିନାୟକ ରିଶି ୪୨ ( ୫ ଚୌକା ଓ ୧ ଛକା)ଙ୍କ ଯୋଗୁ ହିମାଚଳ ପ୍ରଦେଶରେ ଘରୋଇ କ୍ରିକେଟ ଇତିହାସରେ ନୂଆ ଫର୍ଦ୍ଧ ଯୋଡ଼ିଛି।

Share