ପ୍ରସଙ୍ଗକୁ ଜୋର୍‌ଦାର କର: ଚେଲ୍ଲାକୁମାର

ଭୁବନେଶ୍ୱର, ୧୯ା୨(ବ୍ୟୁରୋ):କଂଗ୍ରେସ ସଙ୍ଗଠନକୁ ମଜଭୁତ କରିବା ପାଇଁ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର ବିଭିନ୍ନ ନେତାଙ୍କ ସହ ଗୁରୁବାର ଆଲୋଚନା କରିଛନ୍ତି। କ’ଣ ପାଇଁ ଦଳର ସଙ୍ଗଠନ ଦିନକୁ ଦିନ ଦୁର୍ବଳ ହେଉଛି ଏବଂ ତୃଣମୂଳସ୍ତରରୁ କର୍ମୀଙ୍କୁ ସକ୍ରିୟ କରିବା ଲାଗି କେଉଁଭଳି ଆଭିମୁଖ୍ୟ ଗ୍ରହଣ କରିବା ଆବଶ୍ୟକ ସେନେଇ ଚେଲ୍ଲାକୁମାର ଗୁରୁତ୍ୱ ଦେଇଛନ୍ତି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ସେ ସାରେ ବିଧାୟକ ଦଳ ବୈଠକ ମଧ୍ୟ କରିଛନ୍ତି। ଏଥିରେ ଦଳର ପ୍ରାୟ ସମସ୍ତ ବିଧାୟକ, ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଆଗକୁ ସବୁବେଳେ ପିସିସି ଏବଂ ବିଧାୟକ ଦଳ ମିଳିତଭାବେ ବୈଠକ କରିବା ଲାଗି ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ବୈଠକ ଦ୍ୱାରା ଦଳର ସଙ୍ଗଠନ ଅଧିକ ମଜଭୁତ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଚଳିତ ବଜେଟ ଅଧିବେଶନରେ ସବୁ ବିଧାୟକ ଏକତ୍ରିତ ହୋଇ ତେଲ ଦର ବୃଦ୍ଧି, ଧାନ ସଂଗ୍ରହ ହୋଇ ନ ପାରିବା, କୋଟିଆ ସୀମା ବିବାଦ ଏବଂ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଜୋର୍‌ଦାର ବିରୋଧ କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହି ସମୟରେ ସବୁ ବିଧାୟକମାନେ ଏକାଠି ହେବା ଉପରେ ମଧ୍ୟ ତାଙ୍କ ଗୁରୁତ୍ୱ ସହକାରେ ନିର୍ଦ୍ଦେଶ ଦେଇଛନ୍ତି। ଦଳର ସବୁ ନେତାଙ୍କୁ ଏକାଠି କରିବା ଉପରେ ଚେଲ୍ଲାକୁମାର ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ନିକଟରେ ପିସିସି ପରିବର୍ତ୍ତନ ହେବାର ନାହିଁ। ତେଲଦର ବୃଦ୍ଧି ନେଇ ଓଡ଼ିଶା ବନ୍ଦ ଏବଂ ବ୍ରହ୍ମପୁର ସମାବେଶ କାର୍ଯ୍ୟକ୍ରମ ସଫଳତାର ସହ କରାଯାଇଛି। ପିସିସି ଠିକ୍‌ ଭାବେ କାର୍ଯ୍ୟ କରୁଥିବା ସେ କହିଛନ୍ତି। ଅନ୍ୟପଟେ ଲଗାତର ନିରଞ୍ଜନଙ୍କ ବିରୋଧରେ ଏକାଠି ହେଉଥିବା ନେତାମାନେ ପୁଣିଥରେ ଗୁରୁବାର ଦଳର ପ୍ରଭାରୀଙ୍କୁ ଭେଟି ଏକ ଚିଠି ପ୍ରଦାନ କରିବା ସହ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି।
ପିସିସି ପ୍ରଭାରୀଙ୍କ ନିକଟରେ ସମସ୍ତ ଅସନ୍ତୁଷ୍ଟ ନେତା ଏକାଠି ବସି ଏନେଇ ଆଲୋଚନା କରିଛନ୍ତି। ଅସନ୍ତୁଷ୍ଟ ନେତାମାନେ ଏହି ଅବସରରେ ତାଙ୍କୁ କହିଛନ୍ତି, କଂଗ୍ରେସର ପୁନରୁଦ୍ଧାର ପାଇଁ ପିସିସି ସଭାପତି ପରିବର୍ତ୍ତନ ଜରୁରୀ। ୨୦୧୯ ସାଧାରଣ ନିର୍ବାଚନରେ ଦଳର ଭୋଟ ହାର ୨୬ରୁ ୧୩ ପ୍ରତିଶତକୁ କମିଯାଇଛି। ବିଧାନସଭା ସଦସ୍ୟଙ୍କ ସଂଖ୍ୟା ସର୍ବନିମ୍ନ ୯କୁ ହ୍ରାସ ପାଇଛି। ଜିଲା ପରିଷଦ ଉପନିର୍ବାଚନରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ବୋଲି ଜଣାପଡିଛି। ଗତ ୨ ବର୍ଷରେ ହଜାର ହଜାର କର୍ମୀ ଦଳ ମଧ୍ୟ ଛାଡ଼ିଛନ୍ତି। ସେମାନଙ୍କୁୁ ଅଟକାଇବାରେ ମଧ୍ୟ ଦଳର ନେତୃତ୍ୱ ଫେଲ୍‌ ମାରିଛନ୍ତି। ଦୁଇଟି ଆସନରୁ ଗତ ସାଧାରଣ ନିର୍ବାଚନରେ ଲଢି ନିରଞ୍ଜନ ହାରି ନିଜର ନୈତିକ ଦାୟିତ୍ୱ ନେଇଛନ୍ତି। ନିଜ ଆଡୁ ପିସିସି ସଭାପତି ପଦରୁ ଇସ୍ତଫା ଦେବା କେବଳ ଲୋକ ଦେଖାଣିଆ ବୋଲି ସେମାନେ ଅଭିଯୋଗ ଆଣିଛନ୍ତି। ଆଗକୁ ପିପିଲି ଉପନିର୍ବାଚନ ଏବଂ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି। କଂଗ୍ରେସ ଭବିଷ୍ୟତ ପାଇଁ ନେତୃତ୍ୱ ବଦଳାଇବାକୁ ଅସନ୍ତୁଷ୍ଟ ନେତାମାନେ ଦାବି କରିଛନ୍ତି। ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସମେତ ଅନ୍ୟମାନେ ଲିଖିତ ଆକାରରେ ପ୍ରଭାରୀଙ୍କୁ ଏହା ଜଣାଇବା ସହ ଏନେଇ ହାଇକମାଣ୍ଡଙ୍କ ସହ ଆଲୋଚନା ଲାଗି ପ୍ରସ୍ତାବ ରଖିଥିବା ଜଣାପଡିଛି।