ଭୁବନେଶ୍ବର,୫ା୧୦: ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବଡ଼ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ୭ ତାରିଖରେ ଆସିବ ଅଫିସିଆଲ ନୋଟିଫିକେସନ୍ ଏହାପରେ ୯ ତାରିଖରେ ନାମାଙ୍କନ ଦାଖଲ ହେବ । ୧୦ ଅପରାହ୍ନ ୧ଟା ଭିତରେ ନାମାଙ୍କନ ପ୍ରତ୍ୟାହାର ସହ ୩ଟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ୧୪ ତାରିଖରେ ଅନୁଷ୍ଠିତ ହେବ ‘ହ୍ବାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂ । ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ୧୬ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।
କହିରଖୁଛୁ କି, ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଦାବି କରିଆସୁଥିଲା। ତେବେ ଚଳିତ ବର୍ଷ ଦଶହରା ଛୁଟି ପୂର୍ବରୁ ନିର୍ବାଚନ ହେବ । ଏସବୁ ଭିତରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଛାତ୍ର ବିଜେଡି ଏବଂ ଛାତ୍ର କଂଗ୍ରେସ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୩ ଦଳର ଛାମୁଆ ସଙ୍ଗଠନ ବର୍ତ୍ତମାନ ସେମାନଙ୍କର ସାଙ୍ଗଠନିକ ସ୍ଥିତି ଏବଂ ଭିତିରି କନ୍ଦଳ ତୁଟାଇବା ପାଇଁ ସବୁ ବଳ ଲଗାଇ ଦେଇଛନ୍ତି।