ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ।ଏହି ଅବସରରେ ଜିଲାପାଳ ଗୌରବ ଶିବାଜୀ ଇସଲଓ୍ବାର ଓ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ. ଉପସ୍ଥିତ ଥିଲେ। ମୁଖ୍ୟଅତିଥି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ତାଙ୍କ ଅଭିଭାଷଣରେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବୀର ଶହୀଦ ଓ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜିଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଚଳିତ ବର୍ଷ ସ୍ବାଧୀନତା ଦିବସର ଥିମ୍ ‘ସ୍ବାଧୀନତାର ସମ୍ମାନ, ଭବିଷ୍ୟତର ଉତ୍ସାହ’ ବିଷୟରେ କହିଥିଲେ। ବଲାଙ୍ଗୀର ଜିଲା ପୁଇଁନ୍ତଲା ବ୍ଳକ ଅନ୍ତର୍ଗତ ଆଟଗାଁସ୍ଥିତ ସ୍ବାଧୀନତା ସଂଗ୍ରାମୀ ଧରମ ସିଂ ମାଝୀ ମାନ୍ଧାତାଙ୍କ ଜନ୍ମପୀଠକୁ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ସାମିଲ କରାଯାଇଥିବା ସୂଚନା ଦେଇଥିଲେ। ଏହି ଅବସରରେ ଜିଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସୂର୍ଯ୍ୟବଂଶୀ ପୁରସ୍କୃତ କରିଥିଲେ। ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ଜିଲାସ୍ତରୀୟ ଅଧିକାରୀ, ମାନ୍ୟଗଣ୍ୟ ବ୍ୟକ୍ତି, ସ୍କୁଲ, କଲେଜ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଉପସ୍ଥିତ ଥିଲେ।