୧ରୁ ଖୋଲିବ ଉଚ୍ଚଶିକ୍ଷାନୁଷ୍ଠାନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଜୁନ୍‌ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ। ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଶୁକ୍ରବାର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି। ବିଭାଗ ପକ୍ଷରୁ ପୂର୍ବ ଘୋଷିତ ଗ୍ରୀଷ୍ମ ଛୁଟି ଅବଧି ଆସନ୍ତା ୩୧ରେ ଶେଷ ହେଉଛି। ଛୁଟି ସରିବା ପରେ ଜୁନ୍‌ ପହିଲାରୁ ପାଠପଢ଼ା ହେବ। ୨୦୨୧ ଏପ୍ରିଲ ୧୬ରେ ବିଭାଗ ପକ୍ଷରୁ ଜାରି କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଠପଢ଼ା ହେବ। ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଦେଇଥିଲେ।