ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ତରୀୟ ବୈଠକ: ମ୍ୟାନ ପାଓ୍ବାର, ମେସିନାରୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ଓଡିଶାରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସମ୍ଭାବ୍ୟ ବାତ୍ୟା ନେଇ ଆଇଏମ୍‌ଡିଙ୍କ ସହ ମୁଖ୍ୟ ଶାସନ ସଚିବ(ଏସ୍‌ଆରସି) ଆଲୋଚନା କରିଛନ୍ତି। ଏହି ବୈଠକରେ ବିଭିନ୍ନ ବିଭାଗର ସଚିବ ସାମିଲ ହୋଇଥିବା ବେଳେ ସେମାନଙ୍କୁ ସଜାଗ ରହିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବୈଠକରେ ବାତ୍ୟା ମୁକାବିଲା ନେଇ ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ସମସ୍ତ ସଚିବଙ୍କୁ ମ୍ୟାନ ପାଓ୍ବାର ଓ ମେସିନାରୀ ପ୍ରସ୍ତୁତ ରଖିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଭାଗୀୟ ସଚିବମାନେ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ବୋଲି ଏସ୍‌ଆରସିଙ୍କୁ ଜଣାଇଛନ୍ତି। ବାତ୍ୟା ପୂର୍ବରୁ ଆଗୁଆ ପଦକ୍ଷେପ ନେବାକୁ ସିଏମ୍‌ଓରୁ ନିର୍ଦ୍ଦେଶ ଥିବା ନେଇ ଟୁଇଟ କରାଯାଇଛି। ସୂଚନାଯୋଗ୍ୟ, ଆସନ୍ତା ୨୨ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୭୨ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ। ଏହି ବାତ୍ୟା ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ କିମ୍ବା ଓଡ଼ିଶା ଉପକୂଳ ବାଲେଶ୍ୱର ଦେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।