Posted inଫୁରସତ

ଉଚ୍ଚ ବିଚାର କିନ୍ତୁ କାର୍ଯ୍ୟ ଶୂନ

କଠଉ ପିନ୍ଧିବାକୁ ଭଲ ପାଉଥିବା ଏବଂ ସମୟ ଓ ପରିସ୍ଥିତି ପାଇଲେ ଦିନରେ କିଛି ସମୟ କଠଉକୁ ଉପଯୋଗ କରୁଥିବା ଜଣେ ଶିକ୍ଷିତ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ ସେଦିନ ଜଣେ ସାମ୍ବାଦିକ ବନ୍ଧୁ କହିଲେ- ଆପଣ କଠଉ ପିନ୍ଧି ପାପ ଅର୍ଜନ କରୁଛନ୍ତି l
ଏ କଥା ଶୁଣି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ପ୍ରକଟ କଲେ l ଏହାର କାରଣ ଜାଣିବାକୁ ଜିଜ୍ଞାସା କରିବାରୁ ସାମ୍ବାଦିକ ଜଣକ କହିଲେ – ଯେଉଁ ପାଦରେ କଠଉ ଲାଗିଲା ସେ ପାଦରେ ଅନ୍ୟ କୌଣସି ଜୋତା ବା ଚପଲ ପିନ୍ଧିବା ଅନୁଚିତ l ଆପଣ ତ ଗୋଟିଏ କଲେଜର ପ୍ରିନ୍ସିପାଲ l ଅଫିସକୁ ଯିବା ବେଳେ ଆପଣ ତ ନିଶ୍ଚେ ଜୋତା ପିନ୍ଧୁଥିବେ l ତେଣୁ ଏଇଠି ପାପ ଅର୍ଜନ ହେଲା ବୋଲି ଜାଣ l

କଠଉ ପିନ୍ଧିଲେ ଶରୀର ପ୍ରତି ବହୁ ଉପକାର ମିଳେ l ବିଶେଷକରି ସ୍ନାୟୁଗତ ରୋଗ ହେବା ସମ୍ଭାବନା ଖୁବ୍‌ କମ l କଠଉ ଉପରେ ପାଦଟି କଠଉର ପୃଷ୍ଠ ତଳ ସହ ସମାନ୍ତରାଳ ଭାବେ ରହୁଥିବାରୁ ଏହା ଅନେକ ରୋଗ ନିବାରଣରେ ସାହାଯ୍ୟ କରେ l ଏହାର ପ୍ରାମାଣିକତା ଏବଂ ବୈଜ୍ଞାନିକତାକୁ ଜାଣିଥିବାରୁ ସାଧୁ ସନ୍ଥମାନେ ଆଗେ କଠଉର ବହୁଳ ବ୍ୟବହାର କରୁଥିଲେ l ଏବେ ଖୁବ୍‌ କମ୍‌ ସାଧୁସନ୍ଥ ଏହାକୁ ବ୍ୟବହାର କରୁଛନ୍ତି l କଠଉ ଅପେକ୍ଷା ଏବେ କପଡ଼ାରେ ତିଆରି ଜୋତାକୁ ଅନେକେ ପସନ୍ଦ କରୁଥିବା ଦେଖାଯାଉଛି l କିନ୍ତୁ ଜୋତା ପିନ୍ଧୁଥିବା ବ୍ୟକ୍ତି ଯେ କଠଉ ପିନ୍ଧିପାରିବ ନାହିଁ କିମ୍ବା କଠଉ ପିନ୍ଧୁଥିବା ଲୋକଟି ଜୋତା ବ୍ୟବହାର କରିଦେଲେ ଯେ ଗୋଟିଏ କ’ଣ ମହାପାପ ହୋଇଯିବ, ଏକଥା କାହିଁକି ଗ୍ରହଣଯୋଗ୍ୟ ମନେହୁଏନା l ଯଦି ବି ଏପରି କିଛି ବୈଧାନିକ ସତର୍କତା କୌଣସି ଶାସ୍ତ୍ରରେ ଥାଏ ତେବେ ଏହା ମୂଳରେ ଥିବା ପ୍ରକୃତ ତତ୍ତ୍ୱଟିକୁ ସାମ୍ବାଦିକ ବନ୍ଧୁ ବୁଝିବାକୁ ସମର୍ଥ ହୋଇପାରି ନାହାନ୍ତି ବୋଲି ଅନୁମାନ କରାଯାଇପାରେ l ଆପଣ କ’ଣ କଠଉକୁ ସବୁବେଳେ ବ୍ୟବହାର କରନ୍ତି? ବୋଲି ବ୍ୟକ୍ତି ଜଣକ ଯେତେବେଳେ ସାମ୍ବାଦିକଙ୍କୁ ଓଲଟା ପଚାରିଲେ ସେ ଉତ୍ତର ଦେଲେ – ନା, ମୁଁ ବ୍ୟବହାର କରେନା l ଠାକୁରଘରେ ଦୁଇହଳ କଠଉ ରଖି କେବଳ ମୁଁ ପୂଜାକରେ l

ଆରେ ବାବା, ଇୟେ ତ ଆହୁରି ମାରାତ୍ମକ କଥା l ଗୀତା, ଭାଗବତ ଆଦି ପବିତ୍ର ପୁସ୍ତକକୁ ଠାକୁରଘର ଗାଦି ଉପରେ ରଖି ପୂଜା କରିବା ଉଚିତ। କିନ୍ତୁ ଏତିକିରେ ଅଟକିଗଲେ କିଛି ଲାଭ ହେବନି l ସେଗୁଡିକୁ ପାଠକରି ଏବଂ ବୁଝି ସେଥିରୁ କିଛି କିଛି ନିଜ ଜୀବନରେ ପ୍ରୟୋଗ କରିବା ବି ଉଚିତ l ସେମିତି କଠଉ କଥା l ନିଜ ଗୁରୁଦେବ କି କୌଣସି ବ୍ରହ୍ମ ଲୀନ ସନ୍ଥଙ୍କର ପାଦୁକାକୁ ପ୍ରତିଦିନ ଭକ୍ତିରେ ପୂଜା କରିବାରେ କିଛି ଅସୁବିଧା ନାହିଁ, କିନ୍ତୁ ଅନ୍ୟ ହଳେ କଠଉ ତିଆରି କରି ତାହାକୁ ବ୍ୟବହାର କରି ସେଥିରୁ ସୁଫଳ ପାଇବା ପାଇଁ ତ ତୁମକୁ କିଏ ମନା କରିନି? ତୁମେ ନିଜେ ଯଦି କଠଉ ବ୍ୟବହାର କରି ନ ପାରିଲ ତେବେ ଅନ୍ୟ ଜଣେ ଯିଏ ଯଦି ତାକୁ ବ୍ୟବହାର କରୁଛି ବା କରିବାର ଅଭ୍ୟାସ କରୁଛି ତେବେ ତାଙ୍କୁ ବିଭିନ୍ନ ମନଗଢ଼ା ଶାସ୍ତ୍ରନୀତି କଥା କହି ହତୋତ୍ସାହିତ କରିବାଟା ଯେ ଗୁରୁତର ଅପରାଧ, ଏହାକୁ ବି ମନେରଖିବା ଉଚିତ l ଏ ପ୍ରକାର କଥା କହୁଥିବା ଲୋକଟି ଯେ ନିଜ ଅଜାଣତରେ ନିଜର ସଂଗୁପ୍ତ ହୀନମନ୍ୟତା ବା ମାନସିକ ବିକୃତିକୁ ମୁଠା ମୁଠା କରି ବାହାରେ ବୁଣୁଛି, ଏହା ସେ ନିଜେ ଜାଣି ପାରେନା l କଠଉକୁ ସମ୍ପୂର୍ଣ୍ଣ ବ୍ୟବହାର ନ କରିବା ଅବା ଖଟୁଲିରେ ରଖି ପୂଜା କରିବା ଅପେକ୍ଷା କେତେବେଳେ କେମିତି ସୁବିଧା ସୁଯୋଗ ପାଇଲେ ତାକୁ ପିନ୍ଧି ସେଥିରୁ ମିଳୁଥିବା ସାମୟିକ ସୁଫଳକୁ ହାତେଇବା ନିଶ୍ଚିତ ଭାବେ ଯେ ମହାନ୍‌ କଥା, ଏ ତତ୍ତ୍ୱକୁ ମାନସିକ ବିକାରଗ୍ରସ୍ତ ଏ ଲୋକଗୁଡିକ କେମିତି ବୁଝିବେ କେଜାଣି? ଭରତଙ୍କ ‘ପାଦୁକା ପୂଜା ’ପ୍ରସଙ୍ଗରୁ ରାମ ଆଦି ଚାରି ଭାଇ କଠଉ ପିନ୍ଧୁ ଥିବାର ପ୍ରମାଣ ମିଳେ l କିନ୍ତୁ କେତେବେଳେ କେମିତି ଯୁଦ୍ଧ କ୍ଷେତ୍ରରେ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହେଉଥିଲେ ସେତେବେଳେ ସେମାନେ ଯେ କଠଉ ପିନ୍ଧୁଥିବେ ଏହା କଦାପି କୁହାଯାଇ ନ ପାରେ l

ପରିସ୍ଥିତିକୁ ଦେଖି ଶାସ୍ତ୍ର ନିୟମର ଦ୍ୱାହିଦେଇ ଏମିତି ମନଗଢ଼ା କଥା କହୁଥିବା ଲୋକମାନଙ୍କ ସଂଖ୍ୟା ସମାଜରେ କିଛି କମ୍‌ ନୁହେଁ l ନିଜର ସାଧନା ଘର ଶୂନ ଅବା ସାଧନା କରୁଥିଲେ ବି ସ୍ବଭାବଗତ ଆଚରଣର ଶୂନ୍ୟତା ଥିବା ବହୁ ଲୋକ ସମାଜର ସବୁ ସମୟରେ ଥାଆନ୍ତି l ଖଟ ଉପରେ ବସି ଜପ କରୁଥିବା ଜଣେ ଲୋକଟିକୁ ଦେଖି ଜିଭ କାମୁଡି ଆଉ ଜଣେ ବୟସ୍କ ଲୋକ କହିଲା – ଭାଇ ! ପୁଣି ଖଟ ଉପରେ… ! ଖଟ ଉପରେ ବସି କ’ଣ ଜପ କରନ୍ତି? ମହାପାପ… ମହାପାପ.. l ଏକଥା ଶୁଣି ଜପ କରୁଥିବା ଲୋକଟି କହିଲା, ତେବେ ଆପଣ କାହା ଉପରେ ବସି ଜପ କରନ୍ତି? ବୟସ୍କ ବ୍ୟକ୍ତିଟି କହିଲା -ମୁଁ ଜପ ଫପ କରେନା l ସେଗୁଡିକୁ କରିବା ପାଇଁ ମୋ ପାଖରେ ସମୟ କାହିଁ?

ରାମାୟଣରେ ଗୋଟିଏ କାଣ୍ଡ ଅଛି l ତା’ ନାଁ ହେଉଛି ‘ସୁନ୍ଦରାକାଣ୍ଡ ’ l ଏହାର ନାଁ ସୁନ୍ଦରା କାଣ୍ଡ ହେବାର ଯଥାର୍ଥତା ହେଉଛି ଏଥିରେ ଗୋଟିଏ ଭକ୍ତଙ୍କର କଥା ଆଲୋଚନା ହୋଇଛି l ସେ ଭକ୍ତ ଜଣକ ହେଉଛନ୍ତି ହନୁମାନ l

ଦ୍ୱିତୀୟ କଥା ହେଉଛି ଏଇ ‘ସୁନ୍ଦରାକାଣ୍ଡ’ କୁ ଘରେ ପାରାୟଣ କଲେ ଘର ପରିବେଶ ସୁନ୍ଦର ହୁଏ l ପରିବାରର ସବୁ ସଦସ୍ୟ ମନ ମିଳାଇ ଚଳନ୍ତି l ପ୍ରତି ମଙ୍ଗଳ କିମ୍ବା ଶନିବାରରେ ଘରେ ଭକ୍ତିପୂର୍ବକ ପାଠକରି ଏହାର ମାହାତ୍ମ୍ୟକୁ ଅନୁଭବ କରାଯାଇପାରେ l ଏହାର ପୂର୍ବ କାଣ୍ଡ ଏବଂ ପର କାଣ୍ଡର ନାଁ ହେଉଛି ଯଥାକ୍ରମେ କିଷ୍କିନ୍ଧାକାଣ୍ଡ ଏବଂ ଲଙ୍କାକାଣ୍ଡ l

ବିଚାର ଏବଂ କାର୍ଯ୍ୟ – ଏହା ହେଉଛି ସଫଳତାର ଦୁଇ ଚାବି l ବିନା ବିଚାରରେ ପ୍ରତ୍ୟେକଟି କାର୍ଯ୍ୟ ନିଷ୍ଫଳ l କେବଳ ବିଚାର କରି ଚାଲୁଥିବ କିନ୍ତୁ କାର୍ଯ୍ୟ କରିବନି, ତେବେ କେବେ ବି ସଫଳତା ମିଳିବନି l କିଷ୍କିନ୍ଧାକାଣ୍ଡରେ ବିଚାର ଅଛି କିନ୍ତୁ କାର୍ଯ୍ୟ ନାହିଁ l ଋଷ୍ୟମୁକ ପର୍ବତ ଉପରେ ନିଜ ଅନୁଚରଙ୍କ ସହ ସୁଗ୍ରୀବ ବସିଥିବା ବେଳେ ରାବଣ ଆକାଶ ମାର୍ଗରେ ସୀତାଙ୍କୁ ଅପହରଣ କରିନେଇ ଯାଉଥିଲା l ସୁଗ୍ରୀବ ଦେଖିଲେ l ବହୁ ବିଚାର କଲେ କିନ୍ତୁ କିଛି କରିପାରିଲେ ନାହିଁ l ସେଇ ଦୃଶ୍ୟକୁ ଦେଖିଲା ଗୋଟିଏ ଶାଗୁଣା ପକ୍ଷୀ l

ଜଟାୟୁ l ସେ କିନ୍ତୁ ଛାତି ପାତି ଦେଲା l ପର୍ବତ ପରି ଉଚ୍ଚ ଆସନରେ ସୁଗ୍ରୀବ ପରି ବସିଥିବା ବହୁ ସମ୍ମାନାସ୍ପଦ ବ୍ୟକ୍ତି ଆମ ସମାଜରେ ଅଛନ୍ତି l ସମାଜର ଉନ୍ନତି ପାଇଁ ସେମାନେ ବହୁ ବିଚାର ଆଲୋଚନା କରନ୍ତି l ବହୁତ ଯୋଜନା କରନ୍ତି କିନ୍ତୁ କାର୍ଯ୍ୟ ଘରଟି ଶୂନ ଥିବାରୁ ସେମାନଙ୍କ ଯାବତୀୟ ବିଚାର, ଅନ୍ୟକୁ ଉପଦେଶ ଆଦି ନିଷ୍ଫଳ ପ୍ରମାଣିତ ହୁଏ l

ଲଙ୍କାକାଣ୍ଡରେ କାର୍ଯ୍ୟ ଅଛି କିନ୍ତୁ ବିଚାର ନାହିଁ l କିଷ୍କିନ୍ଧାକାଣ୍ଡର ଠିକ୍‌ ଓଲଟା l ରାବଣର ଦରବାରରେ ଖବର ପହଞ୍ଚିଗଲା ଯେ ବାନର ସେନା ସେତୁବନ୍ଧ ବାନ୍ଧି ସlରିଲେଣି l ଖବର ଶୁଣି ଉପସ୍ଥିତ ସଭିଏଁ ହାଃ ହାଃ ହୋଇ ହସିଲେ l କହିଲେ, ଭାଲୁ ଓ ମର୍କଟ ତ ଆମର ଆହାର l ଗୋଟି ଗୋଟି କରି ଖାଇଦେବା l

ଏହା ଶୁଣି ରାବଣର ଅନ୍ୟ ଏକ ପୁତ୍ର ପ୍ରହସ୍ତ କହିଲା – ତନ୍ମଧ୍ୟରୁ ଗୋଟିଏ ମାଙ୍କଡ଼ ପରା ପୂର୍ବରୁ ଆସି ଲଙ୍କା ଜାଳି ଦେଇ ଯାଇଛି l ସେତେବେଳେ ତାକୁ ତୁମେ ଖାଇ ଦେଲନି? ସେତେବେଳେ ତୁମ ସମସ୍ତଙ୍କର ପେଟରେ ଗ୍ୟାସ୍‌ ବା ବଦହଜମୀ ହୋଇଥିଲା ବୋଧେ??

ବିଚାର ଆଉ କାର୍ଯ୍ୟର ମଧୁର ସମନ୍ବୟ ଘଟିଛି ‘ସୁନ୍ଦରାକାଣ୍ଡ’ରେ l  ସେଥିପାଇଁ କିଷ୍କିନ୍ଧାକାଣ୍ଡର ଠିକ୍‌ ପରେ ଏବଂ ଲଙ୍କାକାଣ୍ଡର ଠିକ୍‌ ପୂର୍ବରୁ ଗୋସ୍ବାମିଜୀ ‘ସୁନ୍ଦରାକାଣ୍ଡ’କୁ ସଂସ୍ଥାପନ କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି l

ବିଚାର ଏବଂ କାର୍ଯ୍ୟ ଭିତରେ ସମ୍ବନ୍ଧ ରହିଲେ ଜୀବନଟି ମଧୁର ହୁଏ l ବିଚାର ଅନୁସାରେ କାର୍ଯ୍ୟ ଏବଂ କାର୍ଯ୍ୟଟି ବିଚାରର ପୃଷ୍ଟଭୂମି ଉପରେ ରହିଲେ, ସଫଳତା ନାମକ ଚିଜଟି ଯେ ସହଜ ଲଭ୍ୟ ହୋଇପାରେ, ଏକଥା ପ୍ରତ୍ୟେକ ମଣିଷ ବୁଝିବା ଉଚିତl

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ: ୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri