ଚିଲିକା ନୀତି ପ୍ରସ୍ତୁତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୧୭ା୧:ଡ୍ରୋନ କ୍ୟାମେରା ସାହାଯ୍ୟରେ ଚିଲିକାରେ ଚିଙ୍ଗୁଡ଼ି ଘେରି ସର୍ଭେ କରାଯିବ। ଏହି ଡ୍ରୋନ କ୍ୟାମେରା କିଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସୋମବାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀରମଣଙ୍କ ଖଣ୍ଡପୀଠ ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ସଂକ୍ରାନ୍ତ ମାମଲାର ଶୁଣାଣି କରି ଚିଲିକା ଉପରେ ପ୍ରତିଦିନ ଡ୍ରୋନ କ୍ୟାମେରା ଉଡ଼ାଇ କେତେ ଅଞ୍ଚଳରେ ଚିଙ୍ଗୁଡ଼ି ଘେରି ହୋଇଛି ତାର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଡ୍ରୋନ୍‌ କ୍ୟାମେରାର ସର୍ଭେ ଅନୁସାରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ। ରାଜସ୍ବ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସ୍ଥାନୀୟ ମତ୍ସଜୀବୀ ସଂଘ ସହ ଆଲୋଚନା କରି ଚିଲିକା ନୀତି ପ୍ରସ୍ତୁତ କରିବେ। ଏଥିସହ ବେଆଇନ ଚିଙ୍ଗୁଡ଼ି ଘେରି କରିଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ କେତେ ମାମଲା କାହା ନାମରେ ହେଲାଣି ସେ ସମ୍ପର୍କରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ। ପରବର୍ତ୍ତୀ ଶୁଣାଣି ମେ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ, ଚିଲିକା ଓ ଭିତରକନିକାର ଆର୍ଦ୍ରଭୂମି ସୁରକ୍ଷା ମାମଲାର ପୂର୍ବ ଶୁଣାଣିରେ କେନ୍ଦ୍ରାପଡ଼ା ଓ ପୁରୀ ଜିଲାପାଳ ସତ୍ୟପାଠ ଦାଖଲ କରି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଡ୍ରୋନ୍‌ କିଣିବାକୁ ଆବଶ୍ୟକ ଅର୍ଥରାଶି ଅନୁମୋଦନ ପାଇଁ ରାଜସ୍ବ ବିଭାଗ ସଚିବଙ୍କୁ ଚିଠି ଲେଖାଯାଇଥିବା ସତ୍ୟପାଠରେ ଦର୍ଶାଇଥିଲେ। ଆମିକସ୍‌ କ୍ୟୁରୀ ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ସମଗ୍ର ଦେଶରେ ରହିଥିବା ଆର୍ଦ୍ରଭୂମିଗୁଡ଼ିକର ସୁରକ୍ଷା ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ୧୫ଟି ରାଜ୍ୟର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅନୁସାରେ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରି ନିୟମିତ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଜିଲା ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦେଉଛନ୍ତି।