Categories: ଜାତୀୟ

ଜନ ପ୍ରତିନିଧିଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ ପାଇଁ ହାଇକୋର୍ଟଙ୍କ ମଞ୍ଜୁରୀ ଜରୁରୀ: ଏସ୍‌ସି…

ନୂଆଦିଲ୍ଲୀ,୨୫।୮: ଏମ୍‌ପି ଏବଂ ବିଧାୟକଙ୍କ ଭଳି ଜନ ପ୍ରତିନିଧିଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର ଉପରେ ସମ୍ପୂର୍ଣ୍ଣ କଟକଣା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଯଦି ଦୁର୍ଭାଗ୍ୟ ବଶତଃ କୌଣସି ମାମଲା ପଞ୍ଜିକୃତ ହୋଇଛି, ତେବେ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିପାରିବେ। କିନ୍ତୁ ସେ ନିର୍ଦ୍ଦେଶ ଦେବାବେଳେ କାରଣ ଦର୍ଶାଇବା ଆବଶ୍ୟକ। ରାଜ୍ୟ ସରକାରଙ୍କ ଏପରି ଆଦେଶକୁ ହାଇକୋର୍ଟରେ ନ୍ୟାୟିକ ଭାବେ ସମୀକ୍ଷା କରାଯିବା ଉଚିତ। ହାଇକୋର୍ଟଙ୍କ ମଞ୍ଜୁରୀ ପରେ ହିଁ ମାମଲା ପ୍ରତ୍ୟାହୃତ ହୋଇ ପାରିବ ବୋଲି ସୁପ୍ରିମ୍‌କୋର୍ଟ(ଏସ୍‌ସି) କହିଛନ୍ତି। ବର୍ତ୍ତମାନର ତଥା ପୂର୍ବତନ ଜନ ପ୍ରତିନିଧିଙ୍କ ବିରୋଧରେ ବିଚାରାଧୀନ ମାମଲାର ଶୀଘ୍ର ସମାଧାନ ପାଇଁ ପ୍ରତ୍ୟେକ ରାଜ୍ୟରେ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। କୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଆମିକ୍ସ କ୍ୟୁରୀ ବରିଷ୍ଠ ଆଡଭୋକେଟ ବିଜୟ ହଂସାରିଆ, ସୂଚନା ଦେଇଛନ୍ତି ଯେ ଅନେକ ରାଜ୍ୟରେ ସରକାର କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଜନ ପ୍ରତିନିଧିଙ୍କ ମାମଲା ପ୍ରତ୍ୟାହାର କରୁଛନ୍ତି। ମୁଜାଫରନଗର ଦଙ୍ଗାର ୭୭ ଟି ମାମଲା ପ୍ରତ୍ୟାହାର କରିବାକୁ ଉତ୍ତରପ୍ରଦେଶ ସରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଶୁଣାଣି ସମୟରେ ଆମିକ୍ସ କ୍ୟୁରୀ କହିଛନ୍ତି ଯେ, ଅଭିଯୋଗର ସଂଖ୍ୟା ଏବଂ ଗମ୍ଭୀରତା ଅନୁଯାୟୀ ଜନ ପ୍ରତିନିଧିଙ୍କ ବିଚାରାଧୀନ ମାମଲା ଚିନ୍ତାଜନକ ହେବାରେ ଲାଗିଛି। କେଉଁ ଗତିର ତଦନ୍ତ କରାଯାଉଛି ଏବଂ ମାମଲାର ଶୁଣାଣି କରାଯାଉଛି ସେ ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିବା ଆବଶ୍ୟକ। ସିବିଆଇ, ଇଡି ଏବଂ ଏନ୍‌ଆଇଏ ଦ୍ୱାରା ଦାଖଲ ହୋଇଥିବା ପୃଥକ ରିପୋର୍ଟ ଆଧାରରେ ହଂସାରିଆ କହିଛନ୍ତି ୫୧ ଏମ୍‌ପି ଏବଂ ୭୧ ଜଣ ବିଧାୟକଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ରହିଛି। ୧୫୧ ଟି ଗୁରୁତର ମାମଲାର ବିଚାର ସ୍ବତନ୍ତ୍ର ଅଦାଲତରେ ରହିଛି। ସେଥିମଧ୍ୟରୁ ୫୮ଟି ଆଜୀବନ କାରାଦଣ୍ଡ ମାମଲା ମଧ୍ୟ ରହିଛି। ଅଧିକାଂଶ ମାମଲା ବହୁ ବର୍ଷ ଧରି ବିଚାରାଧୀନ ଅଛି। ଏନେଇ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଏନ.ଭି ରମନା କହିଛନ୍ତି, ଆମେ ବହୁତ କିଛି କହିପାରିବୁ, କିନ୍ତୁ ତାହା କରିବାକୁ ଚାହୁଁ ନାହୁଁ। କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ପ୍ରଧାନ ବିଚାରପତି କହିଛନ୍ତି, ଆପଣଙ୍କର ରିପୋର୍ଟ ସନ୍ତୋଷଜନକ ନୁହେଁ। ୧୫ରୁ ୨୦ ବର୍ଷ ପର୍ଯ୍ୟନ୍ତ ଚାର୍ଜସିଟ ଦାଖଲ ନ କରିବାର କୌଣସି କାରଣ ଦିଆଯାଇ ନାହିଁ। କେତେକ କ୍ଷେତ୍ରରେ ବିବାଦୀୟ ସମ୍ପତ୍ତି ଜବତ କରାଯାଇଥିଲା, କିନ୍ତୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସୂଚନା ନାହିଁ। ଏହାର ଜବାବ ଦେଇ ସୋଲିସିଟର ଜେନେରାଲ ସ୍ବୀକାର କରିଛନ୍ତି ଯେ ମାମଲାଗୁଡ଼ିକରେ ଅନେକ ତ୍ରୁଟି ରହିଛି। ଏ ବାବଦରେ କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେବାକୁ ସେ ଦାବି କରିଛନ୍ତି। ମେହେଟ୍ଟା କହିଛନ୍ତି, କୋର୍ଟ ନିର୍ଦ୍ଦେଶ ଦେବା ଉଚିତ୍‌ ଯେ ଯେଉଁ ମାମଲାର ତଦନ୍ତ ବିଚାରାଧୀନ ଅଛି, ସେଗୁଡିକ ୬ ମାସ ମଧ୍ୟରେ ଶେଷ ହେବା ଜରୁରୀ। ଯେଉଁଠାରେ ମାମଲା ବିଚାରାଧୀନ ଅଛି, ତାହାର ସମାଧାନ ପାଇଁ ସମୟ ସୀମା ମଧ୍ୟ ସ୍ଥିର କରାଯିବାଅବାଶ୍ୟକ। ଯଦି ହାଇକୋର୍ଟ କୌଣସି ମାମଲାର ତଦନ୍ତ କିମ୍ବା ଶୁଣାଣି ବନ୍ଦ କରି ଦେଇଛନ୍ତି, ତେବେ ଏହି ପ୍ରତିବନ୍ଧକକୁ ହଟାଇବାକୁ ହାଇକୋର୍ଟଙ୍କୁ କୁହାଯିବା ଉଚିତ।
ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠରେ ଜଷ୍ଟିସ ଡି.ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟ କାନ୍ତଙ୍କୁ ମଧ୍ୟ ସାମିଲ କରାଯାଇଛି। ଏହାପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଥିଲେ ସ୍ବତନ୍ତ୍ର ଅଦାଲତ ଗଠନ ପାଇଁ କେତେ ପାଣ୍ଠି ଜାରି ହୋଇଛିି। ଏହାର ଜବାବରେ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, କହିଛି ସ୍ବତନ୍ତ୍ର ଅଦାଲତରେ ଭିଡିଓ କନଫରେନ୍ସିଂ ଜରିଆରେ ଜନ ପ୍ରତିନିଧିଙ୍କ ମାମଲା ଶୀଘ୍ର ସମାଧାନ ପାଇଁ ୧୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଶୁଣାଣି ଶେଷରେ ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଇଜନଜୀବୀ ବିକାଶ ସିଂ ଦାବି କରିଛନ୍ତି ଯେ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଆଜୀବନ ବାରଣ କରାଯାଉ। ସିଂ କହିଛନ୍ତି,ଦଣ୍ଡାଦେଶର ୬ ବର୍ଷ ପରେ ନିର୍ବାଚନ ଲଢ଼ିବା ପାଇଁ ଅନୁମତି ଦେବା ଭୁଲ। ଯଦି କୌଣସି ବ୍ୟକ୍ତି ସରକାରୀ ଚାକିରିରେ ୧୦ ଟଙ୍କା ଚୋରି କରନ୍ତି, ତେବେ ତାଙ୍କୁ ସବୁଦିନ ପାଇଁ ଚାକିରିରୁ ବାହାର କରି ଦିଆଯାଏ। ଏହା ଉପରେ କୋର୍ଟ କହିଛନ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦୋଷୀମାନଙ୍କ ଉପରେ ନିଷେଧାଦେଶ ଉପରେ ପାର୍ଲାମେଣ୍ଟ ଦୃଷ୍ଟି ଦେବା ଜରୁରୀ।

Share