ପୋଲିସ ଏସ୍‌ଆଇ ଚୟନ ମାମଲା: ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନୋଟିସ୍‌

କଟକ,୧୨ା୧(କାର୍ତ୍ତିକ ସାହୁ): ପୋଲିସ ଏସ୍‌ଆଇ ନିମନ୍ତେ ଅନୁଷ୍ଠିତ ପରୀକ୍ଷାରେ ପ୍ରଶ୍ନପତ୍ର ଜନିତ ତ୍ରୁଟିକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଶୁକ୍ରବାର ଶୁଣାଣି କରିଛନ୍ତି। ଏ ସଂକ୍ରାନ୍ତରେ ଜବାବ ଦାଖଲ ନିମନ୍ତେ ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତା ୨୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବାକୁ ଧାର୍ଯ୍ୟ ହୋଇଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ପୋଲିସ ଏସ୍‌ଆଇ ପରୀକ୍ଷାରେ ପ୍ରଥମ ପେପର ପ୍ରଶ୍ନପତ୍ର ବଦଳରେ ଦ୍ୱିତୀୟ ପେପର ପ୍ରଶ୍ନପତ୍ର ଦିଆଯାଇଥିଲା। ଏଭଳି ତ୍ରୁଟି ବିରୋଧରେ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଶ୍ୱରଞ୍ଜନ ପରମଗୁରୁ ମାମଲା ପରିଚାଳନା କରୁଛନ୍ତି।