ଅବସର ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର

କଟକ,୪ା୧୦ (କାର୍ତ୍ତିକ ସାହୁ)ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ବୁଧବାରଠାରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟର ବିଜ୍ଞପ୍ତି ଅନୁସାରେ ରାଷ୍ଟ୍ରପତି ଓଡ଼ିଶା ହାଇକୋର୍ଟର ବିଚାରପତି ଡ. ଷଡ଼ଙ୍ଗୀଙ୍କୁ ଏହି ନିଯୁକ୍ତି ଦେଇଥିବା ଜଣାପଡିଛି। ଡ. ଷଡ଼ଙ୍ଗୀ ୧୯୬୨ ଜୁଲାଇ ୨୦ରେ ନୟାଗଡ଼ ଜିଲା ଓଡ଼ଗଁା ଅନ୍ତର୍ଗତ ପାନତିଖରି ଶାସନରେ ଜନ୍ମଗ୍ରହଣ କରିଥିଲେ। ସେ ମଧ୍ୟ ଓଡ଼ିଶା ଅର୍ଥ ସେବାର ଜଣେ ସିନିୟର ପ୍ରଥମ ଶ୍ରେଣୀ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ। କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି ଓ ଏଲ୍‌ଏଲ୍‌ଏମ୍‌ ପାଠ୍ୟକ୍ରମ ଶେଷ ପରେ ଆଇନରେ ପିଏଚ୍‌.ଡି କରିଥିଲେ। ଅପରପକ୍ଷରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶୁଭାଶିଷ ତାଳପତ୍ର ଗତ ଅଗଷ୍ଟ ୮ ତାରିଖରେ ଶପଥ ଗ୍ରହଣ କରିଥିଲେ। ତାଳପତ୍ର ୨୦୧୧ ନଭେମ୍ବର ୧୫ରେ ଗୁଆହାଟୀ ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ। ଏହାପରେ ସେ ୨୦୧୩ରେ ତ୍ରିପୁରା ହାଇକୋର୍ଟର ବିଚାରପତି ଭାବେ ଯୋଗଦେଇଥିଲେ। ୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ତ୍ରିପୁରା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୨ ଜୁନ୍‌ ୧୦ ତାରିଖରେ ଓଡ଼ିଶା ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା।