ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଜିଲାରେ ଅତିରିକ୍ତ ସତର୍କତା ଓ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ନନ୍ଦିପଦା ଥାନା ଆଇଆଇସିଙ୍କ ପକ୍ଷରୁ ସମସ୍ତ ଜୁଏଲେରୀ ବ୍ୟବସାୟୀ ଓ ଦୋକାନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଅପିଲ୍ କରାଯାଇଛି। ସମସ୍ତ ଜୁଏଲେରୀ ଦୋକାନର ସିସିଟିଭି କ୍ୟାମେରା ୨୪ ଘଣ୍ଟା ସଠିକ୍ ଭାବେ କାର୍ଯ୍ୟକ୍ଷମ ରଖିବା, ଦୋକାନର ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ସବୁବେଳେ ନଜର ରଖିବା ସହ ନଗଦ ଟଙ୍କା ଓ ମୂଲ୍ୟବାନ ସୁନା ଅଳଙ୍କାର ନେବା-ଆଣିବା ବେଳେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରାଯାଇଛି।

ଏଥିସହ କୌଣସି ସନ୍ଦେହଜନକ ବ୍ୟକ୍ତି, ବାହାର ରାଜ୍ୟର ନମ୍ବର ଥିବା ଯାନବାହନ କିମ୍ବା ଅସ୍ୱାଭାବିକ ଗତିବିଧି ନଜରକୁ ଆସିଲେ ନିଜେ ମୁହାଁମୁହିଁ ନହୋଇ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ, ନନ୍ଦିପଦା ଥାନା ଅଞ୍ଚଳ ଜିଲାର ଶେଷ ସୀମାରେ ଥିବା ବେଳେ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲା ଏହି ଥାନା ଅଞ୍ଚଳ ସହ ସଂଲଗ୍ନ ରହିଛି। ସୀମାନ୍ତ ଅଞ୍ଚଳରେ ନନ୍ଦିପଦା ପୋଲିସ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ପଥଗୁଡ଼ିକରେ ଦିନ ଓ ରାତି ସମୟରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

ସମସ୍ତଙ୍କ ସହଯୋଗ ଓ ସଚେତନତା ହିଁ ଅପରାଧକୁ ରୋକିବାରେ ସହାୟକ ହେବ ବୋଲି ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି।

Dharitri – Odisha’s No.1 Odia Daily

Share