ଲୁଚାଯାଉଛି ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୪।୯: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)କୁ ‘ରାଜ୍ୟକୁ ପ୍ରଦୂଷିତ କର ବୋର୍ଡ’ ବୋଲି ଯାହା ଉପହାସ କରାଯାଉଛି, ତାହା ସତ୍ୟ ମନେହେଉଛି। କାରଣ କୋଇଲା, ଲୁହାପଥର ଗୁଣ୍ଡ, କଳା ଧୂଆଁ ଓ ପାଉଁଶରେ ବାୟୂମଣ୍ଡଳକୁ ପ୍ରଦୂଷିତ କରୁଥିବା ଖଣି, କାରଖାନା ମାଲିକମାନେ ଜୋକ ମୁହଁରେ ଲୁଣ ଭଳି ଏସ୍‌ପିସିବି କର୍ତ୍ତୃପକ୍ଷଙ୍କୁ ଅଥର୍ବ କରି ପକାଇଛନ୍ତି। ଏଠାରେ ଏସ୍‌ପିସିବି କର୍ତ୍ତୃପକ୍ଷ ଖଣି ଓ ଶିଳ୍ପ ମାଲିକଙ୍କ ବୋଲକରା ସାଜିଛନ୍ତି। ୨୦୨୦ ନଭେମ୍ବର ୧୩ରେ ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର ପି.ଜି. ସୁରେଶ କୁମାରଙ୍କ ନିକଟକୁ ଫାକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଏ.କେ. ପାତ୍ର ଦେଇଥିବା ପତ୍ରରେ ଏହା ସ୍ପଷ୍ଟ ହୋଇ ସାରିଛି।
ସଂପ୍ରତି ଅନ୍ୟ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ୧୭ ସହରର ୩୯ଟି ସ୍ଥାନରେ ପାରିପାର୍ଶ୍ୱିକ ବାୟୁର ମାନ ମାପିବା ପାଇଁ ସ୍ଥାପିତ ପରୀକ୍ଷଣ ଯନ୍ତ୍ର ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟାଟସ(ଏଏକ୍ୟୁଏମ୍‌ଏସ୍‌) ମଧ୍ୟରୁ ୪ଟି ଖରାପ ରହିଛି। ସେଥିରୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାପିତ ୩ ଏଏକ୍ୟୁଏମ୍‌ଏସ୍‌ ମଧ୍ୟରୁ ୨ ଅଚଳ ଅବସ୍ଥାରେ ରହିଛି। ଗତ ୭ା୯ା୨୦୨୧ରେ ବିଧାନସଭାରେ ବିଧାୟକ ମୋହନ ଚରଣ ମାଝିଙ୍କ ଉତ୍‌ଥାପିତ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହା ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଜିଲାର କଳିଙ୍ଗନଗର, କାଳିଆପାଣି, ଧର୍ମଶାଳା ଅଞ୍ଚଳରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ଇସ୍ପାତ୍‌ ଓ ସିମେଣ୍ଟ କାରଖାନା ସମେତ ଖଣି ଖାଦାନ ରହିଛି। କିନ୍ତୁ ସେଠାରେ ମାତ୍ର ୩ଟି ଏଏକ୍ୟୁଏମ୍‌ଏସ୍‌ ସ୍ଥାପନ କରି ଏସ୍‌ପିସିବି କର୍ତ୍ତୃପକ୍ଷ ଜାଣିଶୁଣି ନିଜ କର୍ତ୍ତବ୍ୟରୁ ଓହରି ଯାଇଥିବା ମନେ ହେଉଛି। ଏହି ଯନ୍ତ୍ରରେ ଦିଲ୍ଲୀ ସର୍ଭର ସହିତ ସିଧାସଳଖ ୱାଇ-କେବୁଲ ଜରିଆରେ ସଂଯୋଗ କରାଯାଇ ପ୍ରଦୂଷଣ ନିୟନ୍ତ୍ରଣ ହୋଇଥାଏ। କାଳେ ପ୍ରଦୂଷଣ ସଂକ୍ରାନ୍ତରେ ଦିଲ୍ଲୀ କର୍ତ୍ତୃପକ୍ଷ ଜାଣିଯିବେ ସେଥିପାଇଁ ଜାଣିଶୁଣି ଏଭଳି ଚକ୍ରାନ୍ତ କରାଯାଇଛି ବୋଲି ଅଭିଯୋଗ ହେଉଛି।
ରାଜ୍ୟ ତଥା କେନ୍ଦ୍ର ସରକାର ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ଏହି କ୍ରମରେ ଓଡ଼ିଶାରେ ପ୍ରତିଷ୍ଠିତ ସମସ୍ତ ଶିଳ୍ପ ଓ ଖଣି ଅଞ୍ଚଳରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ୨୦୧୫ ଜୁନ୍‌ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଏଏକ୍ୟୁଏମ୍‌ଏସ୍‌ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ବ୍ୟତିକ୍ରମ ହେଲେ ସଂପୃକ୍ତ ଶିଳ୍ପ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଥିଲା। କିନ୍ତୁ କଳିଙ୍ଗନଗରରେ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ଏଏକ୍ୟୁଏମ୍‌ଏସ୍‌ର ଆବଶ୍ୟକ ଥିବାବେଳେ ମାତ୍ର ୩ଟି ଯଥା ବିଆରପିଏଲ ଗେଷ୍ଟ ହାଉସ, ନୀଳାଚଳ ଗେଷ୍ଟ ହାଉସ ଓ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରେ ରହିଛି। ଏଥିରୁ ନୀଳାଚଳ ଗେଷ୍ଟ ହାଉସ ନିକଟରେ ରହିଥିବା ଏଏକ୍ୟୁଏମ୍‌ଏସ୍‌ କେବଳ କାମ କରୁଛି। ଏଥିଯୋଗୁ ଖଣି ଓ କାରଖାନା ଦ୍ୱାରା ସୃଷ୍ଟି ପ୍ରଦୂଷଣର ଭାରରେ ଭାରାକ୍ରାନ୍ତ କଳିଙ୍ଗନଗର ପରିବେଶଗତ ବିପର୍ଯ୍ୟୟକୁ ଆଉ ସମ୍ଭାଳିବା ସ୍ଥିତିରେ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏନସିଏପି(ନ୍ୟାଶନାଲ କ୍ଲିନ ଏୟାର ପ୍ରୋଗ୍ରାମ)ରିପୋର୍ଟରେ ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣରେ ସାରା ଭାରତବର୍ଷରେ ୮୨ ନମ୍ବର ସ୍ଥାନରେ ରହିଛି। ଖଣି ଓ କାରଖାନାରୁ ନିର୍ଗତ ପାଉଁଶ ବିସ୍ତୃତ ଚାଷଜମି, ଜଙ୍ଗଲରେ ମାଡିଯାଇ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟି କରୁଛି ତାହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହେବାରେ ଲାଗିଛି। ଏଭଳି ମାରାମତ୍କ ବାୟୁ ପ୍ରଦୂଷଣକୁ ରୋକିବାକୁ ସରକାର ଚିନ୍ତିତ ଥିବାବେଳେ କୌଣସି ଶିଳ୍ପ କମ୍ପାନୀ ଏହାକୁ ମାନୁ ନାହାନ୍ତି। ଶିଳ୍ପାଞ୍ଚଳ ପାଇଁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନିହାତି ଆବଶ୍ୟକ। ଏଥିପାଇଁ ଏଏକ୍ୟୁଏମ୍‌ଏସ୍‌ ଯନ୍ତ୍ର ଉଦ୍ଭାବନ କରାଯାଇଛି। ଏହି ଯନ୍ତ୍ର ଦ୍ୱାରା ପବନର ଗତି,ବେଗ, ଗୁଳୁଗୁଳି, ତାପମାତ୍ରା, ବର୍ଷା ପରିମାଣ ଆଦି ମପାଯାଇ ପାରିବ। ପାଣିପାଗର ସ୍ଥିତି ଅନୁଯାୟୀ ଆକ୍ୟୁମ୍ସ ଯନ୍ତ୍ରର ବ୍ୟବହାର କରାଯାଇ ପ୍ରଦୂଷଣ ନିୟନ୍ତ୍ରଣ ହୋଇ ପାରିବ।
ବାୟୁ ପ୍ରଦୂଷଣ ମାତ୍ରକୁ ଅବଲୋକନ କଲେ ଜିଲାର କାଳିଆପାଣି, ଫାକର ଛକ, ମେସ୍କୋ ରେଲୱେ ସାଇଡିଂ, ସୁକିନ୍ଦା ରେଲୱେ ସାଇଡିଂ, ତେଲିବାଡ଼ି ଛକ, କେଜେ ଇସ୍ପାତ୍‌ ଛକ, ଜିନ୍ଦଲ ଛକ, ବିଆରପିଏଲ ଛକ, ମଇଥାନ ଛକ, କଚେରୀ ଗାଁ ଛକ, ଡୁବୁରୀ ଛକ, ପଙ୍କପାଳ, ମାନତିରା ଆଦି ସ୍ଥାନରେ ଏଏକ୍ୟୁଏମ୍‌ଏସ୍‌ ସ୍ଥାପନ ହେବ କଥା ବୋଲି କୁହାଯାଉଛି। କିନ୍ତୁ କଳିଙ୍ଗନଗର ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଯାଇ ମାତ୍ର ୩ଟିରୁ ୨ଟି ଏଏକ୍ୟୁଏମ୍‌ଏସ୍‌ ଜାଣିଶୁଣି ଅଚଳ କରିଦିଆଯାଇଥିବା ଅଭିଯୋଗ ଉଠିଛି। ଏହାବାଦ୍‌ ଝାରସୁଗୁଡ଼ା ବେଦାନ୍ତ ଟାଉନସିପ୍‌ ଏବଂ ପୁରୀ ଟାଉନ ପୋଲିସ ଷ୍ଟେଶନ ନିକଟରେ ରହିଥିବା ଏଏକ୍ୟୁଏମ୍‌ଏସ୍‌ ଅଚଳ ରହିଛି।
ବିଧାନସଭା ଉତ୍ତରରେ ମନ୍ତ୍ରୀ ଆରୁଖ ଆହୁରି ଦର୍ଶାଇଥିଲେ ଯେ, ଅଚଳ ଏଏକ୍ୟୁଏମ୍‌ଏସ୍‌ ସଂକ୍ରାନ୍ତରେ ମୁଖ୍ୟ କାର୍ଯ୍ୟାଳୟ ଅବଗତ ଅଛନ୍ତି। ଯନ୍ତ୍ରଗୁଡିକ କାର୍ଯ୍ୟକ୍ଷମ କରିବାକୁ ନୂଆ ଦିଲ୍ଲୀର ଆନ୍‌ଭାର୍‌ଟେକ୍‌କୁ ଅବଗତ କରାଯାଇଛି। କୋଭିଡ୍‌-୧୯ କଟକଣା ଯୋଗୁ ଯନ୍ତ୍ରୀ ଆସିବାରେ ବାଧା ସୃଷ୍ଟି ହେଉଛି। ଏହି ପରୀକ୍ଷଣ ଯନ୍ତ୍ରଗୁଡିକ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟ ହରାଇଲାଣି ଚିଲଡ୍ରେନ ପାର୍କ: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ପଦ୍ମପୁର,୪ା୪(ପ୍ରଦୀପ୍ତ ଦାଶ ):ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ସବୁ…

ବାରଣ୍ଡାରେ ଶୋଇଥିଲେ ମା’, ବିଷ ଦେଇଦେଲେ ପୁଅ: ଆଉ ତା’ପରେ…

ଭୋଗରାଇ,୪ା୪(ପ୍ରଦୀପ ଦାସ):ଘରେ ପୁଅଟିଏ ଜନ୍ମ ହେଲେ କୁଳ ରକ୍ଷା ହେବ। ପରିଣତ ବୟସରେ ମା’ବାପାଙ୍କ ସାହାରା ହେବା ସହ ମୃତ୍ୟୁ ପରେ ମୁଖାଗ୍ନି ଦେବ, ଏଭଳି ଅନେକ…

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri