ଲୁଚିଛି ନା ଦିଶୁଛି

ଘାସିରାମ ପଣ୍ଡା

କକଟରେ ରାଜ୍ୟ ସଭାରେ ଆଗତ ଏକ ପ୍ରଶ୍ନର ଉତ୍ତର ଦେଇ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କୋଭିଡ୍‌ଜନିତ ଲକ୍‌ଡାଉନରେ ଶିଶୁ ଶ୍ରମିକ, ବାଲ୍ୟ ବିବାହ, ଚାଲାଣ ଭଳି କୌଣସି ଅପରାଧ ପଞ୍ଜୀକୃତ ହୋଇ ନ ଥିବା ଦର୍ଶାଇଛନ୍ତି। ଲକ୍‌ଡାଉନ ବେଳେ ନିଜ ଆଖପାଖରେ ପିଲାଙ୍କ ଦୟନୀୟ ସ୍ଥିତିକୁ ଦେଖିଥିବା ପ୍ରତ୍ୟେକ ମନ୍ତ୍ରୀଙ୍କ ଏହି ଉତ୍ତରକୁ ଦେଖିଲା ପରେ ‘ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି’ ବୋଲି ଭାବୁଛନ୍ତି। ପ୍ରବାସୀଙ୍କ ସହ ସେମାନଙ୍କର କୁନି ପିଲାମାନେ ଅନେକ କିଲୋମିଟର ପଥ ଅତିକ୍ରମ କରିବା, ଅନ୍‌ଲାଇନ ପାଠ ପାଇଁ ପାହାଡ଼ ଓ ଗଛ ଉପରକୁ ଚଢ଼ିବା, ଘରେ ଓ ବାହାରେ ପିଲାମାନେ ଶୋଷଣ ଓ ନିର୍ଯାତନାର ଶିକାର ହେବାକୁ ଏତେ ଜଲଦି କିଏ ବା କେମିତି ଭୁଲିଯାଇ ପାରିବ!
୨୦୨୦ ମସିହା ଜନୁୟାରୀ ମାସରେ କେରଳଠାରେ ପ୍ରଥମ କୋଭିଡ୍‌-୧୯ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ କରୋନାର ପ୍ରାଦୁର୍ଭାବ ବଢୁଥିବାର ଦେଖି ଗୋଷ୍ଠୀ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୪ ପରଠାରୁ ହିଁ ସମଗ୍ର ଦେଶରେ ଭାରତ ସରକାର ଲକ୍‌ଡାଉନ ଘୋଷଣା କରିଥିଲେ। ଫଳସ୍ବରୂପ ବିଦ୍ୟାଳୟ, ପାର୍କ, ମନ୍ଦିର, ବଜାର, ଗମନାଗମନର ମାଧ୍ୟମ ପ୍ରଭୃତି ସର୍ବସାଧାରଣ ସ୍ଥଳି ବନ୍ଦ ହୋଇଯାଇଥିଲା। ଏଭଳି ଏକ ଅଭୂତପୂର୍ବ ସ୍ଥିତି ଆଗରୁ କେହି କେବେ ଦେଖି ନ ଥିଲେ। ମନ୍ତ୍ରୀ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ତଥ୍ୟ ଆଧାରରେ ଏହି ଉତ୍ତର ଦେଇଥିବା ଉଲ୍ଲେଖ କରିଛନ୍ତି। ତେବେ ଶିଶୁମାନଙ୍କର ଅସୁରକ୍ଷାର ସ୍ଥିତି ଆକଳନ କରିବା ପାଇଁ ଜାତୀୟ ଆୟୋଗ ଏକମାତ୍ର ଉତ୍ସ ହେବା କଥା ନୁହେଁ। ଚାଇଲ୍ଡଲାଇନ, ଶିଶୁ ମଙ୍ଗଳ କମିଟି, ଥାନା, ଜିଲା ଶିଶୁ ସୁରକ୍ଷା ୟୁନିଟ, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଠାରେ ମଧ୍ୟ ଏନେଇ ଅଭିଯୋଗ ପଞ୍ଜୀକୃତ ହୁଏ। ସାମୂହିକ ଭାବେ ଏସବୁ ଅନୁଷ୍ଠାନରେ ପଞ୍ଜୀକୃତ ତଥ୍ୟ ଓ ସେମାନଙ୍କର ଅନୁଭୂତି ଆଧାରରେ ଲକ୍‌ଡାଉନରେ ଶିଶୁଙ୍କ ସମସ୍ୟାକୁ ଅନୁଧ୍ୟାନ କରି ଉତ୍ତର ରଖିଥିଲେ ବିଶେଷ ଗ୍ରହଣୀୟ ହୋଇଥାନ୍ତା। କୋଭିଡ୍‌ ପ୍ରଭାବରେ ମାତାପିତାଙ୍କୁ ହରାଇଥିବା ଶିଶୁ ଓ ରାସ୍ତାକଡ଼ର ଶିଶୁଙ୍କ ଥଇଥାନ ପାଇଁ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଜାତୀୟ କମିଶନ ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କିନ୍ତୁ ମନ୍ତ୍ରୀଙ୍କ ଉତ୍ତରରେ ଏହି ସଫଳତା ଉଲ୍ଲେଖ ହୋଇନାହିଁ। ତେଣୁ, ଏକ ଗମ୍ଭୀର ସମସ୍ୟାର ଏହା ଏକ ଅପ୍ରସ୍ତୁତ ଓ ତରବରିଆ ଉତ୍ତର ଭଳି ମନେହୁଏ।
ଦେଶରେ ୬୦୩ଟି ବିଭିନ୍ନ ସ୍ଥାନରେ ଓ ୧୩୮ଟି ରେଳ ଷ୍ଟେଶନରେ ଚାଇଲ୍ଡଲାଇନ ଅସୁରକ୍ଷିତ ଶିଶୁଙ୍କୁ ସହାୟତା ଯୋଗେଇ ଦେବାପାଇଁ ଦେୟମୁକ୍ତ ସେବା ଯୋଗାଉଛି। ଏହା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ପରିଚାଳିତ। ୟୁନିସେଫ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ କେବଳ ମାର୍ଚ୍ଚ – ଏପ୍ରିଲ ୨୦୨୦ରେ ଚାଇଲ୍ଡଲାଇନକୁ ଆସୁଥିବା ଅଭିଯୋଗର ମାତ୍ରା ୫୦ ଶତକଡ଼ା ବଢ଼ିଯାଇଥିଲା। ଅଭିଯୋଗ ଆଧାରରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଶତକଡ଼ା ୨୦ ଭାଗ ବାଲ୍ୟ ବିବାହ, ଚାଲାଣ, ନିର୍ଯାତନା ଓ ଶିଶୁ ଶ୍ରମିକ ଭଳି ଶିଶୁ ସୁରକ୍ଷା ସଂକ୍ରାନ୍ତୀୟ ହିଁ ଥିଲା। ଏକ ଇଂଲିଶ ଦୈନିକର ଜୁନ ୧୨ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ କେବଳ ମାର୍ଚ୍ଚରୁ ମେ ୨୦୨୦ ଭିତରେ ଦେଶରେ ୩୬୫୩ଟି ଶିଶୁ ଶ୍ରମ ସଂକ୍ରାନ୍ତୀୟ ଅଭିଯୋଗ ଉପରେ ଚାଇଲ୍ଡଲାଇନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏମାନଙ୍କ ଭିତରୁ ୧୨୬୪ ଭିକ୍ଷା, ୭୬୩ ଅସୁରକ୍ଷିତ କାର୍ଯ୍ୟ, ୫୧୩ ହୋଟେଲ, ୩୭୧ ଘରୋଇ କାର୍ଯ୍ୟ, ୨୮୬ ପାରିବାରିକ କାର୍ଯ୍ୟ ଓ ୧୫୬ ଜଣ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଉଦ୍ଧାର ହୋଇଥିଲେ। କେନ୍ଦ୍ରୀୟ ମହିଳା ଓ ଶିଶୁ ବିଭାଗର ୨୦୨୦- ୨୧ର ବାର୍ଷିକ ବିବରଣୀ ଅନୁଧ୍ୟାନ କଲେ ଜଣଯାଏ ଯେ, ସମଗ୍ର ଭାରତ ବର୍ଷରୁ ୧୨୩୬୦ ଥାନା ୪୧୦୩୫୩ ଶିଶୁ ନିରୁଦ୍ଦିଷ୍ଟ ହୋଇଥିବା ଓ ୩୧୫୮୨୧ ଉଦ୍ଧାର ହୋଇଥିବା ଉଲ୍ଲେଖ କରିଛନ୍ତିି। ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ୨୦୨୦ରେ ପ୍ରକାଶିତ ଭାରତରେ ଦୁର୍ଘଟଣାଜନିତ ମୃତ୍ୟୁ ଓ ଅପମୃତ୍ୟୁ ରିପୋର୍ଟ ଅନୁଯାୟୀ ଶିଶୁମାନଙ୍କ ଭିତରେ ଅପମୃତ୍ୟୁ ଅସ୍ବାଭାବିକ ଭାବରେ ବଢ଼ିଛି। ୨୦୧୯ ତୁଳନାରେ ୨୦୨୦ ମସିହାରେ ଏଥିରେ ୧୮.୫ ଶତକଡା ବୃଦ୍ଧି ଘଟିଥିଲା। ଏହା ଭିତରୁ ମାନସିକ ଅସୁସ୍ଥତା କାରଣରୁ କେବଳ ୪୯ ଭାଗ ଅପମୃତ୍ୟୁର ଶିକାର ହୋଇଥିବା କୁହାଯାଉଛି।
କୋଭିଡ୍‌ କବଳରୁ ଲୋକଙ୍କୁ ସୁରକ୍ଷା ଦେବାପାଇଁ ଲକ୍‌ଡାଉନ ଘୋଷଣା କରାଯାଇଥିଲେ ବି ଏହା ଲୋକଙ୍କ ସାମାଜିକ, ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ଏହାର କୁପରିଣାମ ମହିଳା ଓ ଶିଶୁଙ୍କ ଉପରେ ବିଶେଷ ଭାବରେ ପଡ଼ିଥିଲା। ଅଙ୍ଗନୱାଡି ସେବା ପ୍ରଭାବିତ ହୋଇଥିବାରୁ ଦେଶର ଦୁଇ କୋଟି ଚାଳିଶ ଲକ୍ଷ ତିନିରୁ ଛଅ ବର୍ଷର ପିଲା ପ୍ରାକ୍‌ ପ୍ରାଥମିକ ଶିକ୍ଷା, ପୋଷଣ ଓ ଅନ୍ୟାନ୍ୟ ସେବାରୁ ବଞ୍ଚିତ ହେଲେ। ସେହିପରି ଦେଶର ପ୍ରାୟ ୨୬ କୋଟି ୪୫ ଲକ୍ଷ ପିଲା ବିଦ୍ୟାଳୟ ବନ୍ଦ ହେବା କାରଣରୁ ପ୍ରଭାବିତ ହୋଇଥିଲେ। ଲକ୍‌ଡାଉନ ପାଇଁ ପିଲାଙ୍କ ଜୀବନରେ ଆସିଥିବା ଏହି ପ୍ରତିକୂଳ ସ୍ଥିତି ଦୀର୍ଘ ଦିନଧରି ପ୍ରଭାବ ପକାଇବ।
ଲକ୍‌ଡାଉନ ସମୟରେ ଓ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପିଲାଙ୍କ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ତେବେ ସମସ୍ୟାକୁ ସ୍ବୀକାର କରିବାରେ କୁଣ୍ଠା ନ କରି ସଂସଦ ସମେତ ଶିଶୁ ଅଧିକାରର ସୁରକ୍ଷା ପାଇଁ ଉତ୍ତରଦାୟୀ ଅନୁଷ୍ଠାନମାନଙ୍କରେ ଆଲୋଚନା କଲେ ସମାଧାନ ପାଇଁ ପ୍ରୟାସ ଆହୁରି ବ୍ୟାପକ ହୋଇପାରିବ।
ସୁବର୍ଣ୍ଣପୁର, ମୋ:୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri