ଅମରପାଲି, ୨୦।୭ (ପୀତାମ୍ବର ସାହୁ): ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ପରିବର୍ତ୍ତନ ସହ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯାଇଛି। କିନ୍ତୁ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ବ୍ଲକରେ ସ୍କୁଲ ଖୋଲିବାର ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଅନେକ ବିଦ୍ୟାଳୟର ଛାତ୍ରୀଛାତ୍ର ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପାଠ୍ୟପୁସ୍ତକ ପାଇନାହାନ୍ତି। ଫଳରେ ସେମାନଙ୍କର ପାଠପଢ଼ା ବ୍ୟାହତ ହେଉଛି। ଅନ୍ୟପକ୍ଷରେ ନୂତନ ପାଠ୍ୟପୁସ୍ତକ ଛପାରେ ତ୍ରୁଟି ଥିବା ଅଭିଯୋଗକୁ ନେଇ ରାଜ୍ୟବ୍ୟାପୀ ବିରୋଧୀ ଦଳ ପକ୍ଷରୁ ପ୍ରତିବାଦ ଜାରି ରହିଛି।
ସୂଚନା ଅନୁଯାୟୀ, ବୀରମହାରାଜପୁର ବ୍ଲକକୁ ପ୍ରାୟ ୬୦ ପ୍ରତିଶତ ପାଠ୍ୟପୁସ୍ତକ ଆସିଥିଲେ ମଧ୍ୟ ସେଗୁଡ଼ିକ ସଠିକ୍ ଭାବେ ଛାତ୍ରଛାତ୍ରୀଙ୍କ ପାଖକୁ ପହଞ୍ଚିପାରିନାହିଁ। କେତେକ ବିଦ୍ୟାଳୟରେ କିଛି ବହି ବଣ୍ଟନ ହୋଇଥିବା ବେଳେ ଅନେକ ସ୍ଥାନରେ ବହି ବଣ୍ଟନ ନାମକୁ ମାତ୍ର ହୋଇଛି।
ବିଶେଷକରି ବହଳପଦର ଓ ଦୁର୍ଜନତୈଲା କ୍ଲଷ୍ଟରର ସ୍ଥିତି ସବୁଠାରୁ ଉଦ୍ବେଗଜନକ। ଅଷ୍ଟମ ଶ୍ରେଣୀରେ ୧୧ଟି ପାଠ୍ୟପୁସ୍ତକ ଥିବାବେଳେ ଏହି ଦୁଇ କ୍ଲଷ୍ଟରର ଛାତ୍ରଛାତ୍ରୀଙ୍କୁ ମାତ୍ର ୪ଟି ଲେଖାଏଁ ବହି ମିଳିଛି। ଗଣିତ ଓ ଇଂରାଜୀ ପରି ପ୍ରମୁଖ ବିଷୟର ବହି ଏପର୍ଯ୍ୟନ୍ତ ବଣ୍ଟନ କରାଯାଇନାହିଁ। ସେହିପରି ସପ୍ତମ ଶ୍ରେଣୀରେ ୧୦ଟି ବହି ମଧ୍ୟରୁ କେବଳ ୩ଟି, ଷଷ୍ଠ ଶ୍ରେଣୀରେ ୧୦ଟି ମଧ୍ୟରୁ ୫ଟି ଏବଂ ପଞ୍ଚମ ଶ୍ରେଣୀରେ ୬ଟି ବହି ମଧ୍ୟରୁ କେବଳ ଗଣିତ ଓ ଯୋଗ-ଖେଳ ପୁସ୍ତକ ମିଳିଛି। ଅନ୍ୟ ୪ଟି ବିଷୟର ବହି ଏପର୍ଯ୍ୟନ୍ତ ମିଳିନାହିଁ। ବ୍ଲକର ଅନ୍ୟାନ୍ୟ କ୍ଲଷ୍ଟରରେ ମଧ୍ୟ ସମସ୍ତ ବିଷୟର ପାଠ୍ୟପୁସ୍ତକ ବଣ୍ଟନ ସମ୍ପୂର୍ଣ୍ଣ ହୋଇନାହିଁ।
ମିଳିଥିବା ସୂଚନା ଅନୁସାରେ, ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଦୁଇଟି ପର୍ଯ୍ୟାୟରେ ପାଠ୍ୟପୁସ୍ତକ ଆସିଥିଲା। ସିଆରସିସିମାନଙ୍କ ମାଧ୍ୟମରେ ସେଗୁଡ଼ିକୁ କ୍ଲଷ୍ଟରଗୁଡ଼ିକୁ ପଠାଯାଇଥିଲା। କିନ୍ତୁ ପର୍ଯ୍ୟାପ୍ତ ସଂଖ୍ୟାରେ ବହି ନଆସିବାରୁ ଅନେକ ବିଦ୍ୟାଳୟକୁ କେତେକ ବିଷୟର କେବଳ ଗୋଟିଏ ଲେଖାଏ ବହି ଯୋଗାଇ ଦିଆଯାଇଥିବା ବିଇଓ କାର୍ଯ୍ୟାଳୟର ଜଣେ କର୍ମଚାରୀ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ ବହଳପଦର ଓ ଦୁର୍ଜନତୈଲା କ୍ଲଷ୍ଟରର ସିଆରସିସିମାନେ ଦୁଇ ପର୍ଯ୍ୟାୟ ବଦଳରେ କେବଳ ଗୋଟିଏ ପର୍ଯ୍ୟାୟରେ ବହି ଆଣି ବିଦ୍ୟାଳୟଗୁଡ଼ିକୁ ବଣ୍ଟନ କରିଥିବା ଅଭିଯୋଗ ହୋଇଛି। ଫଳରେ ଏହି ଦୁଇ କ୍ଲଷ୍ଟରର ଛାତ୍ରୀଛାତ୍ର ସବୁଠାରୁ କମ୍ ପାଠ୍ୟପୁସ୍ତକ ପାଇଛନ୍ତି। ବିଇଓ କାର୍ଯ୍ୟାଳୟରେ ବହି ଥିବା ସତ୍ତ୍ୱେ ତାହା ସ୍କୁଲକୁ କାହିଁକି ପହଞ୍ଚୁନାହିଁ, ତାହାକୁ ନେଇ ଶିକ୍ଷାବିତ ଓ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।
ବହଳପଦର କ୍ଲଷ୍ଟର ଅମରପାଲି ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଗୁଲସନ ପ୍ରଧାନ ଓ ବହଳପଦର ୟୁପି ସ୍କୁଲର ଛାତ୍ର ସିଦ୍ଧାର୍ଥ ଶେଖର ନାୟକ କହିଛନ୍ତି, “ଆମକୁ ଏପର୍ଯ୍ୟନ୍ତ ଗଣିତ ଓ ଇଂରାଜୀ ସମେତ ସମସ୍ତ ବହି ମିଳିନାହିଁ। ବହି ନଥିବାରୁ ପାଠପଢ଼ାରେ ବହୁତ ଅସୁବିଧା ହେଉଛି। ତେଣୁ ଶୀଘ୍ର ସମସ୍ତ ବହି ଯୋଗାଇ ଦିଆଯାଉ।”
ସେହିପରି ଦୁର୍ଜନତୈଲା ପଞ୍ଚାୟତର ସାଗଯୁରୀ ଗ୍ରାମର ଅଶୋକ ବାଘ ଓ ଲୁତୁରପଙ୍କ ଗ୍ରାମର ପୃଥ୍ୱୀରାଜ ମହାକୁରଙ୍କ ସମେତ ଅନେକ ଅଭିଭାବକ ପିଲାମାନଙ୍କୁ ସମ୍ପୂର୍ଣ୍ଣ ପାଠ୍ୟପୁସ୍ତକ ନ ମିଳିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ କରିଛନ୍ତି।
ଏନେଇ ଦୁର୍ଜନତୈଲା କ୍ଲଷ୍ଟରର ସିଆରସିସି ଅଶୋକ ଲୁହାଙ୍କୁ ପଚାରିବାରୁ ସେ କହିଛନ୍ତି, “ଖୁବ୍ ଶୀଘ୍ର ସମସ୍ତ ବହି ବଣ୍ଟନ କରାଯିବ।” ତେବେ ବୀରମହାରାଜପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଷେକ ଭୁଏଙ୍କ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଗ୍ରହଣ କରିନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଏହି ପ୍ରସଙ୍ଗରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ କହିଛନ୍ତି, “ଘଟଣାର ତଦନ୍ତ କରାଯିବ। ଯଦି କାହାରି ଅବହେଳା ପ୍ରମାଣିତ ହୁଏ, ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”
ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ସମସ୍ତ ପାଠ୍ୟପୁସ୍ତକ ବଣ୍ଟନ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ଜୋର ଧରିଛି।