ନୂଆଦିଲ୍ଲୀ,୧୬।୧୧: ଯୁବ ବ୍ୟାଟର୍ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଅଳ୍ପ କ୍ରିକେଟ କ୍ୟାରିୟର ମଧ୍ୟରେ ଟି-୨୦ ଫର୍ମାଟରେ ନିଜ ବ୍ୟାଟିଂର ଜଲୱା ଦେଖାଇଛନ୍ତି ସେ। ଚାରିଆଡ଼େ ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ବିଶେଷକରି ଚଳିତ ବର୍ଷ ତାଙ୍କ ପାଇଁ ବେଶ ଭଲ ରହିଛି। ଆଇପିଏଳରେ ଦମଦାର ରନ କରିବା ପରେ ଭାରତୀୟ ଟି-୨୦ ଦଳରେ ମଧ୍ୟ ତାଙ୍କୁ ସୁଯୋଗ ମିଳିଛି। ଧୀରେ ଧୀରେ ଦଳରେ ନିଜ ସ୍ଥାନ ପକ୍କା କରିବା ଦିଗରେ ଆଗକୁ ବଢ଼ୁଛନ୍ତି ବୈଭବ।
ତେବେ ଏବେ ପ୍ରଶଂସକଙ୍କ ମନରେ ଗୋଟିଏ ପ୍ରଶ୍ନ, ବୈଭବ କେବେ ପୁଣି ମଇଦାନକୁ ଓହ୍ଲାଇବେ ଏବଂ କେଉଁ ଟୁର୍ନାମେଣ୍ଟରେ ନିଜ ବ୍ୟାଟିଂର ଜଲୱା ଦେଖାଇବେ? ତେବେ ଏହାର ଉତ୍ତର ହେଉଛି ରାଇଜିଂ ଷ୍ଟାର୍ସ ଏସିଆ କପ। ନଭେମ୍ବର ୧୯ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। କାତାରର ଦୋହାରେ ଏହା ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ।
ଭାରତୀୟ ଦଳ ନଭେମ୍ବର ୨୦ରେ ନେପାଳ ବିପକ୍ଷ ମ୍ୟାଚରେ ନିଜ ଅଭିଯାନ ଆରମ୍ଭ କରିବ। ଏହି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ଖେଳୁଥିବା ନଜର ଆସିବେ। ସେ ଅଭିଷେକ ଶର୍ମାଙ୍କ ସହ ଭାରତ ପାଇଁ ଓପନିଂ କରିବେ। ଭାରତୀୟ ଦଳର ନେତୃତ୍ୱ ଭାର ତିଲକ ବର୍ମାଙ୍କୁ ଦିଆଯାଇଛି। ରିଙ୍କୁ ସିଂ, ପ୍ରଭସିମରନ ସିଂ, ହର୍ଷିତ ରାଣା ଓ ପ୍ରିନ୍ସ ଯାଦବଙ୍କ ଭଳି ଖେଳାଳି ମଧ୍ୟ ନିଜ ଦମ ଦେଖାଇବେ। ରିଙ୍କୁ ସିଂଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ମିଳିଛି।
ଭାରତୀୟ ଦଳର ଦ୍ୱିତୀୟ ମ୍ୟାଚ ନଭେମ୍ବର ୨୨ରେ ପାକିସ୍ତାନ ବିପକ୍ଷରେ ଖେଳାଯିବ। ଏହି ମ୍ୟାଚକୁ କ୍ରିକେଟ ପ୍ରଶଂସକମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ସେହିପରି ନଭେମ୍ବର ୨୪ରେ ଭାରତ ୟୁଏଇ ବିପକ୍ଷରେ ତୃତୀୟ ମ୍ୟାଚ ଖେଳିବ। ଏହି ସମସ୍ତ ମ୍ୟାଚରେ ବୈଭବଙ୍କ ଉପରେ ସମସ୍ତଙ୍କ ନଜର ରହିବ। ତାଙ୍କଠାରୁ ବଡ଼ ସ୍କୋରର ଆଶା ରଖିଛନ୍ତି ପ୍ରଶଂସକ।
ରାଇଜିଂ ଷ୍ଟାର୍ସ ଏସିଆ କପ ପାଇଁ ଭାରତୀୟ ଦଳ:
ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ପ୍ରଭସିମରନ ସିଂ (ଉଇକେଟ୍କିପର), ତିଲକ ବର୍ମା (ଅଧିନାୟକ), ରିଙ୍କୁ ସିଂ (ଉପଅଧିନାୟକ), କୁମାର କୁଶାଗ୍ର (ଉଇକେଟ୍କିପର), ସୂର୍ଯ୍ୟାଂଶ ଶେଡଗେ, ଶାହବାଜ ଅହମ୍ମଦ, ବିପ୍ରଜ ନିଗମ, ହର୍ଷ ଦୁବେ, ତନୁଷ କୋଟିଆନ, ହର୍ଷିତ ରାଣା, ପ୍ରିନ୍ସ ଯାଦବ, ଅର୍ଶଦ ଖାନ ଓ ଆୟୁଷ ବଦୋନି।