ନୂଆପଡ଼ା,୨୦ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା ସଦର ବ୍ଲକ ବିଡିଓ ରୋହିତ ଭୋଇଙ୍କୁ ସୋମବାର ଜଣେ ଯୁବକ ମାଡ଼ ମାରିଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ବିଡିଓ ଭୋଇଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୧/୨୬) ରୁଜୁକରି ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଜୋଙ୍କ ଥାନା ଭଇଁଷାତାଲ ପଞ୍ଚାୟତ ମୁଢେଳା ଗାଁର ହେମନାଥ ବଞ୍ଜାରା (୩୫)। ଏହାର ପ୍ରତିବାଦରେ ନିର୍ବାଚିତ ପ୍ରତିନିଧି ଓ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୦ଟା ସମୟରେ ବିଡିଓ ଭୋଇ ନିଜ ବାସଭବନରୁ ଖଇରାନୀ ପଞ୍ଚାୟତଠାରେ ହେବାକୁ ଥିବା ଗାଁରେ ପ୍ରଶାସନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାହାରିଥିଲେ। ସେହି ସମୟରେ ଭଇଁଷାତାଲ ପଞ୍ଚାୟତର କେତେଜଣ ଲୋକ ଆସି ବିଡିଓଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେମାନେ କହିଥିଲେ, ଭଇଁଷାତାଲ ହେଉଛି ପଞ୍ଚାୟତ ସଦର ମହକୁମା। ସେଠାରେ ପଞ୍ଚାୟତ କୋଠା ନିର୍ମାଣ ନ ହୋଇ ବଲୋଦା ଗାଁଠାରେ ନିର୍ମାଣ କରାଯାଉଛି। ଜିଲା ପ୍ରଶାସନକୁ ଲିଖିତ ଭାବେ ଜଣାଇଲା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ପରେ ପଞ୍ଚାୟତବାସୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଚ୍ଚ ନ୍ୟାୟାଳୟ କୋଠା ନିର୍ମାଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବା ସତ୍ତ୍ୱେ କିପରି ଏହା ନିର୍ମାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ। ବିଡିଓ କହିଥିଲେ, ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ବଳରେ ସରପଞ୍ଚ କୋଠା ନିର୍ମାଣ କରୁଥିଲେ। କିନ୍ତୁ ଦୁଇଦିନ ତଳେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ମାଣ ବନ୍ଦ ନିର୍ଦ୍ଦେଶ ପାଇବା ପରେ ଆମେ ତାଙ୍କୁ ଅବଗତ କରାଇ ଦେଇଛୁ। ତେଣୁ ଆପଣମାନେ ମୋତେ ଦୋଷ ଦେଲେ କ’ଣ ହେବ ବୋଲି ବିଡିଓ କହିଥିଲେ ା ସେହି ସମୟରେ ହେମନାଥ ବଞ୍ଜାରା ନାମକ ଯୁବକ କହିଲେ ତମେମାନେ ଚାହିଁଲେ କାମ ବନ୍ଦ କରିପାରିବ। ଆମ ସହ ଖେଳ ଖେଳୁଛ ବୋଲି କହି ବିଡିଓଙ୍କ ବାମ ଗାଲରେ ଶକ୍ତ ଚାପୁଡା ମାରିଥିଲେ। ଏହାପରେ ବିଡିଓଙ୍କ ଗାଡି ଚାଳକ ଓ ଅନ୍ୟମାନେ ତାଙ୍କୁ ଅଟକାଇଥିଲେ। ପରେ ହେମନାଥ ସେଠାରୁ ଫେରାର ହୋଇଯାଇଥିଲେ ା ଖବର ପାଇ ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲୀପ ନିର୍ମଳକର ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ସମସ୍ତଙ୍କୁ ଫୋନ ଯୋଗେ ଜଣାଇଥିଲେ। ଉପଖଣ୍ଡୀୟ ପୋଲିସ ଅଧିକାରୀ ସ୍ବାଧୀନ ମିଶ୍ର, ଥାନା ଅଧିକାରୀ ଗଙ୍ଗାଧର ମେହେର ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅନ୍ୟପକ୍ଷେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ନିର୍ବାଚିତ ପ୍ରତିନିଧି ବ୍ଲକ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ। ବ୍ଲକ କର୍ମଚାରୀମାନେ ମଧ୍ୟ କଲମ ଛାଡ ଆନ୍ଦୋଳନ କରିଥିଲେ। ଏହାପରେ ଥାନା ଅଧିକାରୀ ମେହେର ୪ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ। ଏହି ସମୟରେ ହେମନାଥ ବିଡିଓଙ୍କୁ ମାଡ ମାରିଥିବା ସ୍ବୀକାର କରିଥିଲେ ା ପୋଲିସ ହେମନାଥଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ା
Dharitri – Odisha’s No.1 Odia Daily

