ସ୍ତ୍ରୀଙ୍କ ମୃତ୍ୟୁ ପରେ ଦାଦନ ଖଟିବାକୁ ଗଲେ ସ୍ବାମୀ: ବେସାହାରା ଭଉଣୀ, ଭାଇ

ଲାଠୋର,୩୧।୧୨(ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ତୁରେକେଲା ବ୍ଳକ ଅଧୀନ ହଲନଭଟା ପଞ୍ଚାୟତ ନକଟାବାହାଲ ଗ୍ରାମର ଧନସିଂ ମାଝୀଙ୍କ ଝିଅ ଏବଂ ପୁଅଙ୍କୁ ପାଠ ପଢିବାର ସୁଯୋଗ ଦିଆଯାଉ ବୋଲି ଗ୍ରାମର ୱାର୍ଡ଼ ମେମ୍ବର ଫୁଲତୁଲି ବାଗଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି।

ଧନସିଂଙ୍କ ପରିବାର କହିଲେ ସ୍ତ୍ରୀ ନେପୁର, ଝିଅ ପିଙ୍କି(୧୯) ଏବଂ ପୁଅ ଡ଼ିଙ୍କେଶ୍ୱର(୬)। ହେଲେ ଚଳିତ ମାସରେ କୌଣସି କାରଣ ଯୋଗୁ ସ୍ତ୍ରୀ ନେପୁରଙ୍କ ମୃତ୍ୟୁ ଘଟିବାରୁ ପିଲାମାନେ ମାଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସ୍ତ୍ରୀଙ୍କ ଶୁଦ୍ଧ କ୍ରିୟା ଶେଷ ପରେ ଦୁଇ ଝିଅ ଏବଂ ପୁଅଙ୍କୁ ଛାଡ଼ି ବାପା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯିବାରୁ ଭଉଣୀ, ଭାଇ ବେସାହାରା ହୋଇପଡିଛନ୍ତି। ଏଭଳି ସ୍ଥିତିରେ ଯାହା କିଛି ଘରେ ରହିଛି ତାକୁ ଖାଇ ରହୁଛନ୍ତି।

ଝିଅ ପିଙ୍କି ଯୁକ୍ତ-୨ କଳା ପାସ୍‌ କରି ଆଗକୁ ପଢିବାକୁ ଚାହୁଁ ଥିବାବେଳେ ଭାଇଙ୍କୁ ପାଠ ପଢାଇ ଭଳ ମଣିଷ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ହେଲେ ବର୍ତ୍ତମାନ ଜୀବନ ବଞ୍ଚାଇବାକୁ ରୋଜଗାର କରିବାକୁ ପଡ଼ିବ। ରୋଜଗାର କରିବାକୁ ବାହାରିଲେ ପାଠ ପଢାରେ ଡ଼ୋରି ଲାଗିଯିବ। ପିଙ୍କି ବର୍ତ୍ତମାନ କ’ଣ କରିବେ ସେନେଇ ଚିନ୍ତାରେ ପଡିଛନ୍ତି। ଏନେଇ ତୁରେକେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରାଙ୍କୁ ଯୋଗାଯୋଗ କରିବାରୁ ଘଟଣା ସଂକ୍ରାନ୍ତରେ ଡବ୍ଲ୍ୟୁଇଓଙ୍କୁ କହି ସମ୍ପୃକ୍ତ ଦୁଇ ପିଲାଙ୍କୁ କୌଣସି ଆବାସିକ ଛାତ୍ରାବାସରେ ରଖି ପାଠ ପଢିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ ତୁରନ୍ତ ଦୁଇ ପିଲାଙ୍କ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହୋଇଛି।