ଦିବ୍ୟାଙ୍ଗ ଶିଶୁଙ୍କୁ ସହାୟତାର ହାତ, ୨୬୦ଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ୧୧୨ ଚିହ୍ନଟ

ଦାରିଙ୍ଗବାଡ଼ି, ୧୦।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ଅନ୍ତର୍ଗତ ରାପଡ଼ାବାଡ଼ି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି।

ଏହି ଶିବିରରେ ବ୍ଲକ୍‌ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ମୋଟ ୨୬୦ ଜଣ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୧୨ ଜଣଙ୍କୁ ଶାରୀରିକ, ଶ୍ରବଣ ଓ ବୌଦ୍ଧିକ ଅକ୍ଷମତା ଥିବା ଛାତ୍ରଛାତ୍ରୀ ଭାବେ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟକ ଉପକରଣ ପ୍ରଦାନ କରାଯିବା ସହ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଗୋଷ୍ଠୀ ସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ଏହି ଅବସରରେ ପୂର୍ବରୁ ଚିହ୍ନଟ ହୋଇଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ୧୦ଟି ହ୍ୱିଲ୍‌ଚେୟାର, ୩ଟି ଟ୍ରାଇସାଇକେଲ, ୪ଟି ଶ୍ରବଣ ଯନ୍ତ୍ର ଏବଂ ବୌଦ୍ଧିକ ଅକ୍ଷମତା ଥିବା ୧୬ ଜଣ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ସହାୟକ ଉପକରଣ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ମୁଖ୍ୟ ଅତିଥି ଏବଂ ଆଇଆଇସି ସଂଗ୍ରାମ କେଶରୀ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହାୟକ ଉପକରଣ ବଣ୍ଟନ କରିଥିଲେ।

ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱରରୁ ଆସିଥିବା ଅଡିଓଲୋଜିଷ୍ଟ ଡାକ୍ତର ସଞ୍ଜୟ କୁମାର ମାଝି, ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସୌମ୍ୟରଞ୍ଜନ ମହାନ୍ତି, ଆଶୁତୋଷ ସାହୁ ଏବଂ ମାନସିକ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ମହତାବ ଖାନ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

Dharitri – Odisha’s No.1 Odia Daily

Share