ରିୟାଦ,୨୮।୬: ସାଉଦି ଆରବର ରାସ୍ ତନୁରା ଅଞ୍ଚଳରେ ଏକ ବଡ଼ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପ୍ରାୟ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ହେଲିକପ୍ଟରଟି ସାଉଦି ଆରବର ପ୍ରମୁଖ ପେଟ୍ରୋଲିୟମ୍ ରିଫାଇନାରୀ କମ୍ପାନୀ ଆରାମକୋର ଥିଲା । ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।
ସାଉଦି ଆରବର ସରକାରୀ ଗଣମାଧ୍ୟମ ସାଉଦି ପ୍ରେସ୍ ଏଜେନ୍ସି (SPA) ଅନୁଯାୟୀ, ରବିବାରସ୍ଥାନୀୟ ସମୟ ସକାଳ ୬:୦୦ ଟା ସମୟରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ହୋଇଥିଲା । ପ୍ରାଣ ହରାଇଥିବା ସମସ୍ତ ୧୪ ଜଣ ସାଉଦି ନାଗରିକ ଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ନିର୍ଣ୍ଣୟ କରାଯାଇ ନଥିଲେ ମଧ୍ୟ ତଦନ୍ତ ଜାରି ରହିଛି ।
ସାଉଦି ଶକ୍ତି ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି ନିଶ୍ଚିତ କରିଛି ଯେ ଦୁର୍ଘଟଣାର କାରଣ ଜାଣିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି । ମନ୍ତ୍ରଣାଳୟ ମଧ୍ୟ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପ୍ରତି ଗଭୀର ସମବେଦନା ପ୍ରକାଶ କରିଛି ।