ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ ରାଜ୍ୟବାସୀ ହେଉଛନ୍ତି ମାଲିକ। ଦୁଃଖର ବିଷୟ ବିନା ଆଲୋଚନାରେ ପାର୍ଲାମେଣ୍ଟରେ ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାରିତ ହୋଇଗଲା। ରାଜ୍ୟର ୨୦ ଭାଜପା ଏମ୍‌ପି ପାଟି ନ ଖୋଲି କାହା ସ୍ବାର୍ଥରେ ଚୁପ୍‌ ବସିଲେ ଜଣାନାହିଁ। ଏଠାରେ ଓଡ଼ିଶାର ସ୍ବାର୍ଥ ପାଇଁ ସମସ୍ତେ ଏକତ୍ର ହୋଇଛେ। ଆମ ‘ଜେନ୍‌-ଜି’ଙ୍କ ଭବିଷ୍ୟତ ପାଇଁ ଏ ଲଢ଼େଇ ଲଢୁଛେ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ପାରିତ କରିସାରିଥିବା ଏମ୍‌ଏମ୍‌ଡିଆର ସଂଶୋଧନ ଆଇନକୁ ପ୍ରତ୍ୟାହାର କରିବା ଦାବିରେ ବିଜେଡି ପକ୍ଷରୁ ସୋମବାର ବିଧାନସଭା ଘେରାଉ ଡାକରା ଦିଆଯାଇଥିଲା। ବିଜେଡି ନେତାମାନେ ନିଜ ନିଜର ନିର୍ବାଚନମଣ୍ଡଳୀରୁ ଶତାଧିକ କର୍ମୀଙ୍କୁ ସାଙ୍ଗରେ ଆଣି ଲୋୟର ପିଏମ୍‌ଜିଠାରେ ଏକତ୍ର ହୋଇଥିଲେ। ରାଜ୍ୟ ଭାଜପା ସରକାରଙ୍କ ଉପରେ ବିଜେଡି ନେତାମାନେ ଏହି ସଭାରେ ପ୍ରବଳ ବର୍ଷୁଥାଆନ୍ତି ଓ କେନ୍ଦ୍ର ସରକାର ଓଡ଼ିଶା ସ୍ବାର୍ଥକୁ ଉପେକ୍ଷା କଲେ ବୋଲି ସମସ୍ତେ ନିଜ ଭାଷଣରେ କହୁଥାଆନ୍ତି। ମାତ୍ର ନବୀନ କିମ୍ବା ବିଜେଡିର କୌଣସି ଜଣେ ହେଲେ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନାମ ଉଚ୍ଚାରଣ କରି ତାଙ୍କୁ ସିଧାସଳଖ ବିରୋଧ କରିବାର ଦୃଶ୍ୟ ଦେଖିବାକୁ ମିଳିଲା ନାହିଁ। ନବୀନ ତାଙ୍କ ଭାଷଣରେ ଆହୁରି କହିଥିଲେ, ଏମ୍‌ଏମ୍‌ଡିଆର୍‌ ଆଇନକୁ ଲାଗୁ ନ କରିବା ପାଇଁ ଭାଜପା ଏମ୍‌ପିମାନେ ତ ମୁହଁ ଖୋଲିଲେ ନାହିଁ, ଓଡ଼ିଶା ସରକାର ମଧ୍ୟ ମୁହଁ ଫିଟାଇଲେ ନାହିଁ। ଏନେଇ ବିଧାନସଭାରେ ଏକ ସ୍ବତନ୍ତ୍ର ଅଧିବେଶନ ଡକାଯାଉ ବୋଲି ସେ ଚିଠି ଲେଖିବା ସତ୍ତ୍ୱେ ସେକଥା ସରକାର ଶୁଣିଲେ ନାହିଁ। ରାଜ୍ୟରେ କେବଳ ବାକ୍ୟବୀର ସରକାର ଚାଲିଛି। ମାଟିଠାରୁ ପାର୍ଟି କେବେ ବି ବଡ଼ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି।
ଏହି ଅବସରରେ ବିଜେଡି ବିଧାୟକମାନେ ଗୃହ ଭିତରେ ଏମ୍‌ଏମ୍‌ଡିଆର ପ୍ରସଙ୍ଗ ଉଠାଇ ହୋହଲ୍ଲା କରିବା ପରେ କକ୍ଷତ୍ୟାଗ କରି ସିଧାସଳଖ ଲୋୟର ପିଏମ୍‌ଜିଠାରେ ପହଞ୍ଚିଥିଲେ। ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଏଠାରେ ବହୁ ଖୁପିଆ ପୋଲିସ୍‌, ଗୋଇନ୍ଦା ଅଧିକାରୀ ବୁଲୁଛନ୍ତି। ସେମାନେ ଯାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବେ ଏଠାରେ ବିଜେଡିର କେତେ ଲୋକ ଏକତ୍ର ହୋଇଥିଲେ। ଏଠାରେ ଯେଉଁମାନେ ଉପସ୍ଥିତ ଅଛନ୍ତି ସେମାନେ ସମସ୍ତେ ଜଣେ ଲେଖା ବିଜେଡିର ସିପାହୀ। ନବୀନ ଏବେ ବି ରାଜ୍ୟର ଅଘୋଷିତ ମୁଖ୍ୟମନ୍ତ୍ରୀ ବୋଲି ଲୋକମାନେ ବିବେଚିତ କରୁଛନ୍ତି ବୋଲି ପ୍ରସନ୍ନ କହିଛନ୍ତି। ଏହାପରେ ବିଜେଡି ନେତା ଓ କର୍ମୀମାନେ ବ୍ୟାରିକେଡ ଭାଙ୍ଗି ବିଧାନସଭା ଆଡକୁ ଯିବାକୁ ଚାହିଁଥିଲେ। ମାତ୍ର ପୋଲିସ ସେମାନଙ୍କୁ ଅଟକାଇବାରୁ କିଛି ସମୟ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା।
ଅନ୍ୟପଟେ ସଭା ମଞ୍ଚରେ ବିଜେଡି ନେତାମାନେ ମୋଦି କିମ୍ବା ଶାହାଙ୍କ ନାମ ନେଇ ବିରୋଧ ନ କରିପାରିବା ବିଷୟ ଅନେକ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଯେତେବେଳେ ଗତ ସାଧାରଣ ନିର୍ବାଚନ ସମୟରେ ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ରାଜ୍ୟକୁ ଆସି ସଭା ଉପରେ ସିଧାସଳଖ ବିଜେଡି ସଭାପତିଙ୍କୁ ଟାର୍ଗେଟ କରିଯାଉଥିଲେ, ସେତେବେଳେ ମଧ୍ୟ ବିଜେଡିର ସର୍ବୋଚ୍ଚ ନେତା ସେମାନଙ୍କ ନାମ ନେଇ ଟାର୍ଗେଟ କରିପାରୁ ନ ଥିଲେ। ବର୍ତ୍ତମାନ ବିଜେଡି ବିରୋଧୀ ଦଳକୁ ଆସିବା ପରେ ସୁଦ୍ଧା ଭାଜପାର ଶୀର୍ଷ କେନ୍ଦ୍ରୀୟ ନେତାଙ୍କୁ ଟାର୍ଗେଟ କରା ନ ଯିବା ଏହା ଦୁଇ ଦଳ ଭିତରେ ବୁଝାମଣାର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି। ଜଣେ ବିଜେଡି ବିଧାୟିକା ନିଜ ନାମ ଗୋପନ ରଖି କହିଛନ୍ତି, ବିଜେଡି ଯେତେ ପ୍ରବଳ ବିରୋଧ କରିବ ସେଥିରେ ଭାଜପାର ଲାଭ। କାରଣ କଂଗ୍ରେସ ଆଗକୁ ନ ବଢ଼ି ବିଜେଡି ଯଦି ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବ ତାହାଲେ ଭାଜପାକୁ ପରୋକ୍ଷ ସମର୍ଥନ ବୋଲି ଧରାଯିବ।

Dharitri – Odisha’s No.1 Odia Daily

Share