ବିକ୍ରି ହେଲାନି ଧାନ, ମଣ୍ଡିରେ ବିଷ ପିଇଲେ ଚାଷୀ

ଭଦ୍ରକ ଅଫିସ,୨୭।୨: ମଣ୍ଡିରେ ଧାନ ବିକ୍ରି ନ ହେବାରୁ ଚାଷୀ ଜଣକ ନିରାଶ ହୋଇ ବିଷ ପିଇ ଦେଇଥିଲେ। ଏହି ଘଟଣା ଘଟିଛି ଭଦ୍ରକ ଜିଲାରେ। ବନ୍ଧଗାଁ ପଞ୍ଚାୟତର ଚାଷୀ ରାମକୃଷ୍ଣ ପଣ୍ଡା। ବହୁ କଷ୍ଟେ ସେ ଧାନ ଅମଳ କରିଥିଲେ। ଦୁଇ ପଇସା ପାଇବା ନେଇ ମଣ୍ଡିକୁ ବିକ୍ରି ପାଇଁ ଧାନ ଆଣିଥିଲେ। ଠିକ୍‌ ସମୟରେ ଧାନ କିଣା ନ ହେବାରୁ ତାଙ୍କର ପ୍ରଥମ ଟୋକନ ରଦ୍ଦ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ସେ ପୁଣି ଟୋକନ ପାଇଁ ଆବେଦନ କରିଥିଲେ। ଟୋକନ ମଧ୍ୟ ପାଇଥିଲେ। ବର୍ତ୍ତମାନ ଟୋକନ ସମୟ ସୀମା ଶେଷ ହୋଇ ଆସୁଥିଲା। ଏନେଇ ସେ ଚିନ୍ତାରେ ରହୁଥିଲେ। ଶନିବାର ରାମକୃଷ୍ଣ ମଣ୍ଡିକୁ ଆସି ଧାନ କିଣିବାକୁ ଅନୁରୋଧ କରିଥିଲେ। ହେଲେ କେହି ଶୁଣି ନ ଥିଲେ। ଏଥିରେ ନିରାଶ ହୋଇ ରାମକୃଷ୍ଣ ମଣ୍ଡିରେ ବିଷ ପିଇ ଦେଇଥିଲେ। ଉପସ୍ଥିତ ଥିବା ଚାଷୀ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ଭଦ୍ରକ ଉପଜିଲାପାଳ ପୀତାମ୍ବର ସାମଲ ଡାକ୍ତରଖାନାରେ ପହଞ୍ଚି ରାମକୃଷ୍ଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଜିଲା ପ୍ରଶାସନ ଘଟଣାର ତଦନ୍ତ ଚଳାଇଛି।