ଦାରିଙ୍ଗବାଡ଼ି-ଗାଜଲବାଡ଼ିକୁ ଭାରୀଯାନ ଚଳାଚଳ ବନ୍ଦ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ଏବେ ବି ଭୂସ୍ଖଳନ ସ୍ଥାନରେ…

ଦାରିଙ୍ଗବାଡ଼ି,୧୨ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ଗତ ୨୯ ରେ ହୋଇଥିବା ଭୂସ୍ଖଳନ ଏବଂ ଭୂତପଙ୍କାଳ ବ୍ରିଜ ସହ ୩ ଶହ ୬୦ମିଟର ରାସ୍ତା ବାତ୍ୟା ଅର୍ଣ୍ଣବର ପ୍ରଭାବରେ ହୋଇଥିବା ବର୍ଷାରେ ଧୋଇହୋଇ ଯାଇଛି। ଏହି ୨ଟି ସ୍ଥାନରେ ଘଟିଥିବା ବିପର୍ଯ୍ୟୟ ଏବେ ସୁଦ୍ଧା ସୁଧାର ଆସିନାହିଁ। ଭୂସ୍ଖଳନ ସ୍ଥାନରେ ମାଟି, ବଡ଼ ବଡ଼ ପଥର ହଟାଯାଇଥିଲେ ମଧ୍ୟ ଗୋଟେ ବିଶାଳକାୟ ଗଛକୁ ଅଧା କଟାଯାଇ ସେମିତି ଛାଡ଼ି ଦିଆଯାଇଛି। କୁହାଯାଉଛି ଘାଟିରେ ବାତ୍ୟା ପରବର୍ତ୍ତୀ ଅବସ୍ଥା ମଧ୍ୟ ବିପଦପୂର୍ଣ୍ଣ ରହିଛି।

ସେହିପରି ଭୂତପଙ୍କାଳରେ ଅଡ଼ଙ୍ଗୀ ନଦୀରେ ପ୍ରବଳ ସ୍ରୋତ ଆସିବା ପରେ ନଦୀର କୂଳ ଖାଇଯିବା ସହ ପ୍ରାୟ ୩ ଶହ ୬୦ମିଟର ରାସ୍ତା ଓ ବ୍ରିଜକୁ ବର୍ଷା ଜଳ ଧୋଇଦେଇଛି। ଏଥିସହ ନଦୀଟି ବର୍ଷାଜଳ ପ୍ରଖର ସ୍ରୋତ ଯୋଗୁ ୩ ଭାଗ ହୋଇ କୂଳ ଲଙ୍ଘିଛି। ଫଳରେ ନଦୀର ବିଭିନ୍ନ ସ୍ଥାନରେ ଘାଇ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଏହାକୁ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଉଛି। ଗତ ୬ ତାରିଖ ଶୁକ୍ରବାରଠାରୁ ହାଲୁକା ଯାନ ଚଳାଚଳ ପାଇଁ ଗଞ୍ଜାମ ଓ କନ୍ଧମାଳ ଜିଲା ପ୍ରଶାସନ ଅନୁମତି ଦେଇଥିବା ବେଳେ ଭାରୀଯାନ ଚଳାଚଳ ପାଇଁ ଏବେ ମଧ୍ୟ କଟକଣା ଜାରି ରହିଛି। ଫଳରେ ଦାରିଙ୍ଗବାଡ଼ିଠାରୁ ବ୍ରହ୍ମପୁରକୁ ଗଜପତି ମୋହନା ଦେଇ ଏକ ମାତ୍ର ରାସ୍ତାରେ ଯାତ୍ରୀବାହୀ ବସ୍‌ ଓ ଭାରିଯାନଗୁ୍‌ଡ଼ିକ ଯାତାୟାତ କରୁଛି। ଆହୁରି ଭାରୀଯାନ ଚଳାଚଳ ପାଇଁ ୧୦ ଦିନରୁ ଅଧିକ ସମୟ ଲାଗିପାରେ ବୋଲି ଜାତୀୟ ରାଜପଥ ପ୍ରାଧିକରଣ ସୋରଡ଼ା କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ କହିଛନ୍ତି। ସେ ଦିନ ଓ ରାତି ଉକ୍ତ ରାସ୍ତାକୁ ମରାମତି କାର୍ଯ୍ୟ କରାଯାଇ ଶୀଘ୍ର ଯାତ୍ରୀବାହୀ ଗାଡ଼ି ଚଳାଚଳ କରାଇବାକୁ ପ୍ରୟାସ କରାଯାଉଥିବା କହିଛନ୍ତି।

Dharitri – Odisha’s No.1 Odia Daily

Share