ଭୁବନେଶ୍ୱର, ୨୧ା୬(ବନ୍ଦନା ସେଠୀ): ମୌସୁମୀ ଛୁଇଁବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଅଗ୍ରସର ହେଉଛି। ଫଳରେ ସେସବୁ ଜିଲାରେ କୋହଲା ପାଗ ସହ ବର୍ଷା ଯୋଗୁ ଗ୍ରୀଷ୍ମ ପ୍ରବାହରେ ବ୍ରେକ୍ ଲାଗିଛି। ତାପମାତ୍ରାରେ ମଧ୍ୟ ୨ରୁ ୩ ଡିଗ୍ରୀ ହ୍ରାସ ଘଟିଛି। ରବିବାର ପ୍ରାୟତଃ ସବୁ ଜିଲାରେ ବର୍ଷା ସମ୍ଭାବନା ରହିଥିବାବେଳେ ଏ ପରିସ୍ଥିତି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି ହୋଇଥିବାବେଳେ ଘଡ଼ଘଡ଼ି ବିଜୁଳି ସହିତ ୫୦ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ସତର୍କ କରାଯାଇଛି। ସେହିପରି ଭଦ୍ରକ, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ ମଧ୍ୟ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ଭଦ୍ରକ, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ସୋମବାର ମଧ୍ୟ ସମଗ୍ର ରାଜ୍ୟରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ଅନ୍ୟପକ୍ଷରେ ଶନିବାର ହୀରାକୁଦରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବୌଦ୍ଧ ୪୦.୮, ସମ୍ବଲପୁର ୪୦.୬, ଝାରସୁଗୁଡା ୪୦, ବରଗଡ଼ ୩୯.୪, ନୂଆପଡ଼ା ୩୯, ଭବାନୀପାଟଣା ୩୮.୫, ବାରିପଦା ୩୮.୨ ଏବଂ ଟିଟିଲାଗଡ଼ରେ ୩୮ ଡିଗ୍ରୀ ଛୁଇଁଥିଲା। ଅପରପକ୍ଷେ ଦାରିଙ୍ଗିବାଡି ଓ ନୟାଗଡ଼ରେ ସର୍ବନିମ୍ନ ୩୦ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦିଆଯାଇଛି।