ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଂକେତ ୬.୫ ମିଟର ରହିଛି । ମଙ୍ଗଳବାର ସକାଳ ୭ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୫୩ ମିଟରରେ ପ୍ରବାହିତ ହେଉଛି ।
ଦିନ ୧୦ ଟା ସୁଦ୍ଧା ଜଳସ୍ତର ୬.୫୬ ମିଟରରେ ପ୍ରବାହିତ ହେଉଛି । ଫଳରେ ଜଳକାରେ ଚଳିତ ବର୍ଷ ପ୍ରଥମ ବନ୍ୟା ଦେଖାଦେଇଛି । ବସ୍ତା ଓ ସଦର ବ୍ଲକର ଶତାଧିକ ହେକ୍ଟର ଚାଷଜମି ଜଳାର୍ନବ ହୋଇଛି । ଭୟଭୀତ ଅବସ୍ଥାରେ ରହିଛନ୍ତି ନଦୀକୂଳିଆ ବାସିନ୍ଦା ।
ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୂରଭଞ୍ଜ ଜିଲlରେ ପ୍ରବଳ ବର୍ଷା ହୋଇଛି । ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । ଅପରପକ୍ଷରେ ଲଗାଣ ବର୍ଷା କାରଣରୁ ବାଲେଶ୍ୱର ସହର ବେହାଲ ହୋଇପଡିଛି । ବିଭିନ୍ନ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି । ଜଳ ନିଷ୍କାସନ ହୋଇପାରୁନଥିବାରୁ ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖା ଦେଇଛି ।
ବସ ଷ୍ଟାଣ୍ଡ – ରେମୁଣା ରାସ୍ତାର ନୂଆସାହି ଛକ, ତେଲେଙ୍ଗା ସାହିର ସାଇ ମନ୍ଦିର ଅଞ୍ଚଳ, ଆଜିମାବାଦ ଛକ, ସହଦେଵ ଖୁଣ୍ଟାରୁ ନୁଆସାହି ରାସ୍ତା, ତାମୁଳିଆ ବ୍ରିଜ, ଛତୁଆ ପୋଖରୀ ଠାରୁ ମେଣ୍ଢାଶୂଳ ରାସ୍ତା, କଚେରୀ ଭିତର ରାସ୍ତା ଆଦି ଜଳାର୍ଣ୍ଣବ ହୋଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ଅଗ୍ନିଶମ ବିଭାଗ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ମୁତୟନ ଅଛନ୍ତି l ତେବେ ଗତ ୨୬ ତାରିଖ ଜିଲାରେ ୪୦୫ ମିମି, ୨୭ ତାରିଖ ୩୫୪ ମିମି ବର୍ଷା ହୋଇଥିବା ରେକର୍ଡ ହୋଇଛି । ୨୮ ତାରିଖ ୧୭୩୧ ମିମି ବର୍ଷା ହୋଇଥିବା ବେଳେ ବାଲେଶ୍ୱର ସହରରେ ସକାଳ ସୁଦ୍ଧା ୨୦୪ ମିମି ବର୍ଷା ହୋଇଥିବା ଜଣାପଡିଛି ।