ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖାପଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଆହୁରି ଘନୀଭୂତ ହୋଇଛି। ଲଘୁଚାପ ଯୋଗୁ ସୋମବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ସୁବର୍ଣ୍ଣପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର,କଳାହାଣ୍ଡି, ସୁନ୍ଦରଗଡ଼ ଏବଂ ଦେବଗଡ଼ ଜିଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ ଅନୁଗୋଳ, ନୂଆପଡ଼ା, ନବରଙ୍ଗପୁର, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କନ୍ଧମାଳ ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ୍ବାର୍ନିଂ ଜାରି କରିଛି। ୨୭ ତାରିଖରେ ମଧ୍ୟ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ଉପକୂଳରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଆସନ୍ତା ୨୭ ତାରିଖ ଯାଏ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ଉପରମୁଣ୍ଡରେ ଅଧିକ ବର୍ଷା ହେଉ ନ ଥିବାରୁ ବର୍ତ୍ତମାନ ରାଜ୍ୟରେ ବନ୍ୟା ପରିସ୍ଥିତି ନାହିଁ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି।
ପାଣିପାଗ ବିଭାଗ ସୂଚନା ଅନୁଯାୟୀ, କଟକ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଚ ଆଦି ଜିଲାରେ ପ୍ରବଳ ବର୍ଷା ଲାଗିରହିଛି। ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁରରେ ୬ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭଦ୍ରକ ୫, ରାୟଗଡ଼ା ୪, ଚାନ୍ଦବାଲି ୪, ଯାଜପୁର ୩, କେନ୍ଦ୍ରାପଡ଼ା ୩, ଭଦ୍ରକ, ପାରଳାଖେମୁଣ୍ଡି, ଗୁଣପୁର, କାଶୀନଗର, ଟେନ୍‌ସାରେ ୨ ସେଣ୍ଟିମିଟର ଲେଖାଏ ବର୍ଷା ରେକର୍ଡ କରାଯାଇଛି।