ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ ସ୍ଥାନୀୟ ଅଞ୍ଚଳରେ ବନ୍ୟା ପାଣି ପଶିବାରୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି।
ପାପଡାହାଣ୍ଡିରୁ ଡାବୁଗାଁ ରାସ୍ତା ସଂଯୋଗ କରୁଥିବା ରାଜ୍ୟ ରାଜପଥ ଜଟାବାଲଠାରେ ଅସ୍ଥାୟୀ ପୋଲ ଧୋଇ ଯାଇଛି। ଏପରିକି ଚାଷ ଜମିରେ ପାଣି ମାଡିଯିବାରୁ ବ୍ୟାପକ ଫସଲ ନଷ୍ଟ ହୋଇଛି। ଜଲାପାଳଙ୍କ ସହ ବିଧାୟକ ଏବଂ ଅଧିକାରୀମାନେ ପାପଡାହାଣ୍ଡିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ୧୭୫ ମି.ମି ବର୍ଷା ହୋଇଛି । ବ୍ଲକ ଦେଇ ପ୍ରବାହିତ ଟୁରି ନଦୀ କୂଳ ଲଙ୍ଘିବା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଛି । ସଦର ବସଷ୍ଟାଣ୍ଡ ଛକ, ପାଇକ ସାହି ଓ ସତନାମୀ ସାହି ୩୦ରୁ ଊର୍ଦ୍ଧ ଘରେ ପାଣି ପଶି ଯିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବସଷ୍ଟାଣ୍ଡ ଛକରେ ଥିବା ୪୦ରୁ ଊର୍ଦ୍ଧ ଦୋକାନରେ ପାଣି ପଶିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ପମ୍ପ ଲଗାଇ ପାଣି ନିଷ୍କାସନ କରାଯାଉଛି।
ଚାରି ଛକର ଭବାନୀପାଟଣା-ଉମରକୋଟ ରାସ୍ତାରେ ଏବଂ ସାଇ ମନ୍ଦିର ନିକଟରେ ବନ୍ୟା ପାଣି ପ୍ରବାହିତ ହେଉଛି। ହାଟପଦା ସାହିରେ ପାଣି କମି ନ ଥିବାରୁ ସନ୍ଧ୍ୟା ସୁଦ୍ଧା ଲୋକେ ରାଜି ହେଲେ ସ୍ଥାନାନ୍ତର କରାଯିବ ବୋଲି ବିଡ଼ିଓ କପିଲଦେବ ସାହୁ ସୂଚନା ଦେଇଛନ୍ତି।
ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ଲୋକଙ୍କୁ ଶୁଖିଲା ଖାଦ୍ୟ ଏବଂ ପଲିଥିନ ବଣ୍ଟନ କରିବା ସହ ଲୋକଙ୍କ ସସସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ହାଟପଦା ସାହିର ୩ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜିଲାପାଳ ଡ଼ଃ ମହେଶ୍ୱର ସ୍ବାଇଁ, ଏଡିଏମ ବିଶ୍ୱଜିତ ବର୍ମନ, ଉପଜିଲାପାଳ ପ୍ରକାଶ ମିଶ୍ର, ବିଧାୟକ ମନୋହର ରନ୍ଧାରି,ସ୍ବତନ୍ତ୍ର କାଶ ପରିଷଦ ଉପାଧକ୍ଷ ଲିଙ୍ଗରାଜ ଭତରା ପାପଡ଼ାହାଣ୍ଡିର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି।
ବିଦ୍ୟୁତ୍ ବିଭାଗର ସୂଚନା ଅନୁଯାୟୀ, ବନ୍ୟା ଯୋଗୁ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଗାଁ ଅନ୍ଧକାର ରହିଛି। ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଛି । ପାପଡାହାଣ୍ଡିରୁ ଉମରକୋଟ ଦେଇ ଯାଇଥିବା ରାଜ୍ୟ ରାଜପଥର ଜଟାାଲ ଅସ୍ଥାୟୀ ପୋଲ ଉପରେ ୩ଫୁଟରୁ ଊର୍ଦ୍ଧ୍ୱ ପାଣି ପ୍ରବାହିତ ହେବା ଯୋଗୁ ପୋଲଟି ଧୋଇ ହୋଇଯାଇଛି। ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ କରିଦିଆଯାଇଛି। ହେଲେ ଡାବୁଗାଁରୁ ମଇଦଲପୁର ହୋଇ ପାପଡାହାଣ୍ଡି ଗାଡି ଚଳାଚଳ ହେଉଛି।
ମୋକିଆ ପଞ୍ଚାୟତ ଗୁଡ୍ରାଗୁଡା ପାଣି ଘେରରେ ରହିଥିବାରୁ ୪୫ ପରିବାରକୁ ସ୍ଥାନାନ୍ତର କରାଯାଇଛି। ଏପରିକି ମୋକିଆ ବନ୍ୟା ଆଶ୍ରୟସ୍ଥଳୀରେ ୧୦୦ ଜଣଙ୍କୁ ରଖା ଯାଇଛି। ଲୋକଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି।
ସରପଞ୍ଚ ଜଗତ ଜୀବନ ନାୟକ ଓ ପୂର୍ବତନ ସମିତି ଯୁଗଳ ବିଶୋଇ ଆଶ୍ରୟସ୍ଥଳୀରେ ରହି ଲୋକଙ୍କୁ ସହଯୋଗ କରୁଛନ୍ତି। ସେହିପରି ବ୍ଲକର ଚନ୍ଦ୍ରପୁର, ପିତାରୀଗୁଡା, ଗାଦବା କତରା, ଝାଡ କୁସମୀ ଆଦି ପୋଲଉପରେ ପାଣି ପ୍ରବାହିତ ହେବା ଯୋଗୁ ୟାତାୟତ ବାଧା ପ୍ରାପ୍ତ ହୋଇଛି।
ଡେଙ୍ଗାଗୁଡା ଦେଇଯାଇଥିବା ଭାରତ ମାଳା ରାସ୍ତାର ସିଉନାଗୁଡା ଅଣ୍ଡର ପାସରେ ପାଣି ଜମିଯିବା ଯୋଗୁ ଗ୍ରାମବାସୀ ବାହାରକୁ ଯାଇପାରୁନାହାନ୍ତି । ଖୁଟୁବାଇ ଅଙ୍ଗନଓ୍ବାଡ଼ି, ଛତ୍ରବର ସ୍କୁଲରେ ପାଣି ପଶି ଯାଇଥିବା ସୂଚନା ମିଳିଛି। ଚିଙ୍ଗଡସର ନିକଟରେ ରାଜ୍ୟରାଜପଥ ଉପରେ ଗଛ ପଡିବା ଯୋଗୁ ରାସ୍ତା ଅବରୋଧ ହୋଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରୁଛନ୍ତି। ଡଙ୍ଗରାରେ ୬ଟି ଘର ଭାଙ୍ଗିଥିବା ବେଳେ ପାପଡାହାଣ୍ଡିରେ ୫, ଚେରଚେଟାରେ ୧୧, ଜଟାବାଲରେ ୧, ମଇଦଲପୁରରେ ୬, ନୂଆକୋଟରେ ୧, ତୁମ୍ବର୍ଲାଠାରେ ୮ଟି ଘର ଭାଙ୍ଗିଥିବା ତହସିଲଦାର ତପନ କୁମାର ନାୟକ ସୂଚନା ଦେଇଛନ୍ତି।